ଚେନ୍ନାଇରେ ଖୋଲୁ ସୁପ୍ରିମକୋର୍ଟ ବେଞ୍ଚ! ମୋଦୀଙ୍କୁ ଚିଠି ଲେଖିଲେ ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଚେନ୍ନାଇରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଚେନ୍ନାଇରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସ୍ଥାପନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚେନ୍ନାଇରେ ସୁପ୍ରିମକୋର୍ଟର ବେଞ୍ଚ ସ୍ଥାପନ କରିବା ତାମିଲନାଡୁର ଦୀର୍ଘଦିନର ଦାବି। ୧୯୮୦ ମସିହାରେ ରାଜ୍ୟ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦାବି ଉଠାଯାଇଥିଲା।

ବିଜୟ କହିଛନ୍ତି ଯେ, ସମ୍ବିଧାନର ଧାରା 130 ଅନୁଯାୟୀ ସୁପ୍ରିମକୋର୍ଟ ଦିଲ୍ଲୀରେ ବସିବ; କିନ୍ତୁ ପ୍ରଧାନ ବିଚାରପତି ଚାହିଁଲେ ଏବଂ ରାଷ୍ଟ୍ରପତି ଅନୁମତି ଦେଲେ ଏହାକୁ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ବସାଇ ପାରିବେ।

୧୯୭୯ ମସିହାରେ ଅନୁଷ୍ଠିତ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦକ୍ଷିଣ ଭାରତର ଲୋକଙ୍କୁ ନ୍ୟାୟ ପାଇବା ପାଇଁ ବାଧ୍ୟ ହୋଇ ନୂଆଦିଲ୍ଲୀ ଯିବାକୁ ପଡୁଛି। ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଅଧିକ ଖର୍ଚ୍ଚ ଓ ଯାତ୍ରାଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ଚେନ୍ନାଇ ଦକ୍ଷିଣ ଭାରତର ଏକ ପ୍ରମୁଖ ସହର ହୋଇଥିବାରୁ ସେଠାରେ ସୁପ୍ରିମକୋର୍ଟର ବେଞ୍ଚ ସ୍ଥାପନ ହେଲେ ତାମିଲନାଡୁ ସମେତ ଦକ୍ଷିଣ ଭାରତର ସମସ୍ତ ରାଜ୍ୟର ଲୋକ ଉପକୃତ ହେବେ। ମାଡ୍ରାସ ହାଇକୋର୍ଟର ଓକିଲମାନେ ଉଚ୍ଚ ଦକ୍ଷତା ଓ ବୃତ୍ତିଗତ ଅଭିଜ୍ଞତା ରଖିଛନ୍ତି। ଏହାସହ ମାଡ୍ରାସ ହାଇକୋର୍ଟ ଭାରତର ସବୁଠାରୁ ପୁରୁଣା ହାଇକୋର୍ଟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ୧୮୬୨ ମସିହାରେ ପ୍ରତିଷ୍ଠା ହୋଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜୟ ଚିଠିରେ ଆହୁରି କହିଛନ୍ତି ଯେ, ୨୦୦୭ ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ବୈଠକରେ ଏହି ପ୍ରସଙ୍ଗ ଉପରେ ବିଚାର କରାଯାଇଥିଲା। ସେତେବେଳେ ତାମିଲନାଡୁ ସରକାର ସୁପ୍ରିମକୋର୍ଟର ବିଚାରପତିମାନଙ୍କ ପାଇଁ ବାସଗୃହ ସମେତ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଯୋଗାଇଦେବାକୁ ପ୍ରସ୍ତୁତ ଥିବା ଆଶ୍ୱାସନା ଦେଇଥିଲେ। ତଥାପି ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିବାର କୌଣସି ଯଥାର୍ଥ କାରଣ ନାହିଁ ବୋଲି ସେହି ବୈଠକରେ ମତ ପ୍ରକାଶ ପାଇଥିଲା।

ସମ୍ବିଧାନ ପ୍ରଣୟନ ସମୟରେ ଏହାର ନିର୍ମାତାମାନେ ଚାହୁଁଥିଲେ ଯେ, ଧନୀ ହୁଅନ୍ତୁ କି ଗରିବ, ପ୍ରତ୍ୟେକ ନାଗରିକ ନ୍ୟାୟ ପାଇବା ପାଇଁ ଅଦାଲତରେ ସିଧାସଳଖ ପହଞ୍ଚିପାରିବେ। କିନ୍ତୁ ଦକ୍ଷିଣ ଭାରତର ଲୋକଙ୍କ ପାଇଁ ଦିଲ୍ଲୀର ଦୂରତା ଯୋଗୁଁ ଏହି ସୁବିଧା ହାସଲ କରିବା କଷ୍ଟକର ହୋଇପଡୁଛି ବୋଲି ବିଜୟ କହିଛନ୍ତି।

ଏହାସହ ୨୦୧୬ ଜୁଲାଇ ୧୩ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଏକ ଆଦେଶର ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଡବ୍ଲ୍ୟୁ.ପି. (ସିଭିଲ୍‌) ନମ୍ବର ୩୬/୨୦୧୬, ଭି. ବସନ୍ତକୁମାର ବନାମ ଏଚ୍‌.ସି. ଭାଟିଆ ଓ ଅନ୍ୟମାନେ ମାମଲାରେ ସୁପ୍ରିମକୋର୍ଟର ଖଣ୍ଡପୀଠ ସ୍ଥାପନ ସମ୍ପର୍କିତ ପ୍ରଶ୍ନକୁ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ନିକଟକୁ ପଠାଯାଇଥିଲା। ଏହି ଖଣ୍ଡପୀଠର ଅଧ୍ୟକ୍ଷତା ଭାରତର ପ୍ରଧାନ ବିଚାରପତି କରିବାର ଥିଲା।

ତେଣୁ ଏହି ପୁରୁଣା ଦାବି ଉପରେ ପୁଣି ଥରେ ବିଚାର କରିବାକୁ ବିଜୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ସହ ନୂଆ ଭାବେ ଆଲୋଚନା କରି ଚେନ୍ନାଇରେ ଖଣ୍ଡପୀଠ ସ୍ଥାପନ ପାଇଁ ଅନୁକୂଳ ନିଷ୍ପତ୍ତି ଆଣିବାକୁ ସେ ଦାବି କରିଛନ୍ତି।

ଚେନ୍ନାଇରେ ସୁପ୍ରିମକୋର୍ଟର ଖଣ୍ଡପୀଠ ସ୍ଥାପନ ହେଲେ ଦେଶର ପ୍ରକୃତ ସଂଘୀୟ ବ୍ୟବସ୍ଥାର ପ୍ରତିଫଳନ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଏହାସହ ୨୦୦୪, ୨୦୦୬, ୨୦୦୮ ଓ ନିକଟରେ ୨୦୨୧ ମସିହାରେ ସଂସଦର ବିଭିନ୍ନ ସ୍ଥାୟୀ କମିଟି ମଧ୍ୟ ଏଭଳି ଖଣ୍ଡପୀଠ ସ୍ଥାପନ ପାଇଁ ସୁପାରିସ କରିଥିବା କଥା ସେ ମନେ ପକାଇ ଦେଇଛନ୍ତି।

ଆଇନ କମିଶନ ମଧ୍ୟ ନିଜର ବିଭିନ୍ନ ରିପୋର୍ଟରେ ଦେଶର ବିଭିନ୍ନ ଅଞ୍ଚଳରେ ସ୍ଥାୟୀ ଆଞ୍ଚଳିକ ଖଣ୍ଡପୀଠ ସ୍ଥାପନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଏପରି ଖଣ୍ଡପୀଠ ସ୍ଥାପନ ହେଲେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏହାର ସମସ୍ତ ନିୟନ୍ତ୍ରଣ ଭାରତର ପ୍ରଧାନ ବିଚାରପତିଙ୍କ ହାତରେ ହିଁ ରହିବ ବୋଲି ସେ ଚିଠିରେ ସ୍ପଷ୍ଟ କରିଛନ୍ତି।