ସରକାରୀ ଚାକିରି ଆଶାୟୀଙ୍କ ଖୁସି ଖବର: ବୟସ ସୀମାରେ ୫ ବର୍ଷ କୋହଳ, ଏବେ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ
ସରକାରଙ୍କ ବଡ଼ ଘୋଷଣା: ସରକାରୀ ଚାକିରି ପାଇଁ ବୟସ ସୀମାରେ ୫ ବର୍ଷର କୋହଳ, ଆଶ୍ୱସ୍ତି ପାଇଲେ ଯୁବପିଢ଼ି
ତାମିଲନାଡୁ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ବୟସ ସୀମା କୋହଳ କଲେ ରାଜ୍ୟ ସରକାର । ତାମିଲନାଡୁରେ ସରକାରୀ ଚାକିରି ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ସରକାରୀ ଚାକିରିରେ ସିଧାସଳଖ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର ଅତିରିକ୍ତ ଛାଡ଼ ଦେବାକୁ ଘୋଷଣା କରିଛନ୍ତି।
ଏହି ନିଷ୍ପତ୍ତି ପରେ ଯେଉଁ ସରକାରୀ ପଦବୀଗୁଡ଼ିକ ପାଇଁ ପୂର୍ବରୁ ସର୍ବାଧିକ ବୟସ ସୀମା ୩୦ ବର୍ଷ ଥିଲା, ଏବେ ସେଥିପାଇଁ ୩୫ ବର୍ଷ ବୟସ୍କ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ବୟସ ଅତିକ୍ରମ ହୋଇଯିବା କାରଣରୁ ପୂର୍ବରୁ ଅନେକ ଯୁବକଯୁବତୀ ଆବେଦନ କରିବାରୁ ବଞ୍ଚିତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଏହି ନୂତନ ଆଦେଶ ଯୋଗୁଁ ସେମାନଙ୍କୁ ଆବେଦନ କରିବା ପାଇଁ ଆଉ ଅଧିକ ୫ ବର୍ଷର ସୁଯୋଗ ମିଳିଛି।
ସାଧାରଣ ଏବଂ ସଂରକ୍ଷିତ ବର୍ଗଙ୍କୁ ମିଳିବ ଲାଭ: ତାମିଲନାଡୁ ସରକାରଙ୍କ ପକ୍ଷରୁ ଏହି ସମ୍ବନ୍ଧରେ ଏକ ଅଧିକାରୀକ ଆଦେଶ ଜାରି କରାଯାଇଛି। ସରକାରଙ୍କ ଏହି ପଦକ୍ଷେପର ଲାଭ କେବଳ ସାଧାରଣ ବର୍ଗ ନୁହେଁ, ବରଂ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ମଧ୍ୟ ମିଳିବ। ବିଶେଷ କଥା ହେଉଛି, ବୟସ ସୀମାରେ ଏହି ୫ ବର୍ଷର ଅତିରିକ୍ତ ଛାଡ଼ ପଛୁଆ ବର୍ଗ (BC), ଅତି ପଛୁଆ ବର୍ଗ (MBC), ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ପ୍ରାର୍ଥୀମାନଙ୍କୁ ପୂର୍ବରୁ ମିଳୁଥିବା ରିହାତି ବ୍ୟତୀତ ଅତିରିକ୍ତ ଭାବେ ପ୍ରଦାନ କରାଯିବ।
ସରକାରଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା ଅକ୍ଟୋବର ୩୦, ୨୦୨୬ ରୁ ଆରମ୍ଭ କରି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତ ରହିବ, ଯାହାଦ୍ୱାରା ରାଜ୍ୟର ହଜାର ହଜାର ପ୍ରତିଯୋଗୀ ପରୀକ୍ଷାର୍ଥୀ ଉପକୃତ ହେବେ।
ଗ୍ରୁପ୍-୧, ଗ୍ରୁପ୍-୨ ଏବଂ ଗ୍ରୁପ୍-୪ ପରୀକ୍ଷାରେ କ’ଣ ପରିବର୍ତ୍ତନ ଘଟିଛି: ରାଜ୍ୟ ସରକାର ବିଭିନ୍ନ ବର୍ଗର ସରକାରୀ ଭର୍ତ୍ତି ପରୀକ୍ଷା ପାଇଁ ସର୍ବାଧିକ ବୟସ ସୀମାରେ ପରିବର୍ତ୍ତନ କରିଛନ୍ତି। ନୂତନ ଆଦେଶ ଅନୁଯାୟୀ, ଗ୍ରୁପ୍-୧ ପରୀକ୍ଷାରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷରୁ ବୃଦ୍ଧି ପାଇ ୩୭ ବର୍ଷ କରାଯାଇଥିବାବେଳେ ସଂରକ୍ଷିତ ବର୍ଗଙ୍କ ପାଇଁ ଏହି ସୀମା ୩୭ ବର୍ଷରୁ ବଢ଼ି ୪୨ ବର୍ଷ ହୋଇଛି।
ସେହିପରି ଗ୍ରୁପ୍-୨ ଏବଂ ଗ୍ରୁପ୍-୨ଏ ପରୀକ୍ଷାରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷରୁ ବୃଦ୍ଧି କରାଯାଇ ୩୫ ବର୍ଷ କରାଯାଇଛି ଏବଂ ସଂରକ୍ଷିତ ବର୍ଗଙ୍କ ପାଇଁ ଏହି ପରୀକ୍ଷାଗୁଡ଼ିକରେ କୌଣସି ସର୍ବାଧିକ ବୟସ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏହାଛଡ଼ା ଗ୍ରୁପ୍-୪ ପରୀକ୍ଷା ପାଇଁ ମଧ୍ୟ ସର୍ବାଧିକ ବୟସ ସୀମା ୩୨ ବର୍ଷରୁ ବୃଦ୍ଧି କରାଯାଇ ୩୭ ବର୍ଷ କରାଯାଇଛି।


