ସଙ୍କଟରେ ଫସିବା ପରେ ବାଂଲାଦେଶକୁ ମନେ ପଡ଼ିଲା ଭାରତ
ବାଂଲାଦେଶୀ ମିଡିଆ ‘ଦ ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ମାସର ଶେଷ ସପ୍ତାହରେ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି
ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଚୀନ ପ୍ରେମରେ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ତାରିକ ରହମାନ। ଚୀନ ବଳରେ ବଳିଆନ୍ ହୋଇ ଭାରତ ବିରୋଧରେ ଦେଇଥିଲେ ବୟାନ। ଆଉ ଯେତେବେଳେ ସଙ୍କଟରେ ପଡ଼ିଲେ, ସେତେବେଳେ ଧରାଛୁଆଁ ଦେଲାନି ଚୀନ। ଏପରିସ୍ଥିତିରେ ମନେ ପଡ଼ିଲା ଭାରତ କଥା। ତେଣୁ ଦେଶରେ ଦେଖାଦେଇଥିବା ବୈଶୟୀକ ସଙ୍କଟରୁ ମୁକୁଳିବା ପାଇଁ ଭାରତ ଆସିବାକୁ ଯୋଜନା କରୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ। ସେ ଚଳିତ ମାସ ୨୦ରୁ ୨୫ ତାରିଖ ଭିତରେ ଭାରତ ଆସି ପାରନ୍ତି। ଏନେଇ ବାଂଲାଦେଶ ମିଡ଼ିଆରେ ଖବର ପ୍ରକାଶ ପାଇଛି।
ବାଂଲାଦେଶୀ ମିଡିଆ ‘ଦ ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ମାସର ଶେଷ ସପ୍ତାହରେ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି। କୂଟନୈତିକ ସୂତ୍ରକୁ ଉଦ୍ଧୃତ ରିପୋର୍ଟ ଅନୁସାରେ ଏହି ଗସ୍ତ ଅଗଷ୍ଟ ୨୦ରୁ ୨୫ ତାରିଖ ମଧ୍ୟରେ ହୋଇପାରେ।
ରିପୋର୍ଟ ଅନୁଯାୟୀ, ଢାକାର ବରିଷ୍ଠ ଅଧିକାରୀମାନେ ଏବେ ଦୁଇଟି ତାରିଖକୁ ନେଇ ବିଚାର କରୁଛନ୍ତି। ଅଗଷ୍ଟ ୨୦ରୁ ୨୧ କିମ୍ବା ୨୧ରୁ ୨୨। ନୂଆଦିଲ୍ଲୀରେ ଥିବା ଜଣେ କୂଟନୈତିକ ଅଧିକାରୀଙ୍କ ତଥ୍ୟକୁ ଆଧାର କରି ‘ଦ ଡେଲି ଷ୍ଟାର’ କହିଛି; ଦୁଇ ଦେଶ ଏହି ଦ୍ୱିପାକ୍ଷିକ ବୈଠକକୁ ନେଇ ଆଗ୍ରହୀ ଅଛନ୍ତି। କେବଳ ତାରିଖ ନିର୍ଦ୍ଧାରଣକୁ ନେଇ ସହମତି ହୋଇପାରିନାହିଁ। ଏବେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀ ଗୋଟିଏ ତାରିଖ ଉପରେ ପ୍ରାୟ ସହମତିରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀ ହେବା ପରେ ତାରିକଙ୍କ ପ୍ରଥମ ଭାରତ ଗସ୍ତ!: ଏହି ଗସ୍ତ ହେଲେ ତାରିକ ରହମାନଙ୍କ ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ତେବେ ଗସ୍ତ ନେଇ ଅନ୍ତିମ ନିଷ୍ପତ୍ତି ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ ଢାକାରୁ ଫେରିବା ପରେ ହେବାର ଆଶା କରାଯାଉଛି। ଏପର୍ୟ୍ୟନ୍ତ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ ଅଗଷ୍ଟ ୧୧ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଢାକାରେ ସେ ତାରିକ ରହମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ଶେଖ ହସିନାଙ୍କୁ ନେଇ ଦୁଇ ଦେଶ ମଧ୍ୟରେ ବଢ଼ିଥିଲା ତିକ୍ତତା: ଶେଖ ହସିନାଙ୍କ ବୟାନକୁ ନେଇ ନିକଟ ଅତୀତରେ ଭାରତ ଓ ବାଂଲାଦେଶ ସମ୍ପର୍କରେ ତିକ୍ତତା ବଢ଼ି ଥିଲା। ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହେବାଠାରୁ ଶେଖ ହସିନା ଭାରତରେ ରହୁଛନ୍ତି। ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରୁ ତାଙ୍କ ଭର୍ଚୁଆଲ୍ ପ୍ରେସ ବାର୍ତ୍ତାକୁ ନେଇ ଢାକା ତୀବ୍ର ଆପତ୍ତି ଜଣାଇଥିଲା। ତେବେ ଭାରତ ସରକାର ଏହି କାର୍ୟ୍ୟକ୍ରମଠାରୁ ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖିଥିଲା।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଥିଲେ; ଏହା ଏକ ଘରୋଇ ମିଡିଆ ସଂସ୍ଥା ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମ ଥିଲା। ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା।
ବାଂଲାଦେଶରେ ଶକ୍ତି ସଙ୍କଟ: ଚୀନ ପ୍ରେମରେ ପଡ଼ିଥିବା ବାଂଲାଦେଶ ଭାରତକୁ ଶତ୍ରୁ ଭଳି ଆଚରଣ ପ୍ରଦର୍ଶନ କରୁଛି। ଯାହାଫଳରେ ଭାରତ ବଡ଼ ନିଷ୍ପତ୍ତି ନେଇଥିଲା। ଯେଉଁଥିପାଇଁ ବାଂଲାଦେଶରେ ଦେଖାଦେଇଥିଲା ଶକ୍ତି ସଙ୍କଟ। ଅର୍ଥାତ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ସନ୍ଧ୍ୟା ୭ଟା ପରେ ବାଂଲାଦେଶରେ ବଡ଼ବଡ଼ ସପିଂ ମହଲରେ ଲାଇଟ ବନ୍ଦ କରିବାକୁ ପଡ଼ିଥିଲା। ରାସ୍ତାଘାଟରେ ଜଳୁଥିବା ବିଦ୍ୟୁତ ଲାଇଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।


