fbpx

ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହି ଦିବସରେ ଭାରତର ବୀର ସଂଗ୍ରାମୀମାନେ ଅସହ୍ୟ ନିର୍ଯାତନା ସହି ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଥିଲେ । ଏହି ଦିନଟିକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ପାଳନ କରିଥାନ୍ତି । ତେବେ ଏହି ଦିବସ ଉପଲକ୍ଷେ ଆପଣ ଛୋଟ ପିଲାଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିପାରିବେ । ଫଳରେ ପିଲାମାନେ ଦେଶକୁ ଭଲ ପାଇବା ଶିଖିବା ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବେ ।

– ଆପଣମାନେ ଶିଶୁମାନଙ୍କୁ ସ୍ୱାଧୀନତା ଦିବସ ସମ୍ବନ୍ଧୀୟ କୌଣସି ପୁସ୍ତକ ଉପହାର ଆକାରରେ ପ୍ରଦାନ କରିପାରିବେ । ଏହାଫଳରେ ସେମାନେ ଖୁସି ହେବା ସହ ଏହି ଦିବସର ମହତ୍ୱ ବିଷୟରେ ଅବଗତ ହୋଇପାରିବେ । ସେମାନଙ୍କୁ ପୁସ୍ତକ ପଢ଼ିବାର ଉପକାରିତା ଭଲଭାବରେ ବୁଝାଇ ପୁସ୍ତକ ପ୍ରେମ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ।

– ଯଦି ଆପଣଙ୍କ ଶିଶୁ ପୁସ୍ତକ ପଢ଼ିବା ବୟସରେ ଉପନୀତ ହୋଇନଥାଏ, ତେବେ ଆପଣ ତାକୁ ବୀର ସହୀଦ ମାନଙ୍କର ଦେଶପ୍ରେମ ତଥା ତ୍ୟାଗର କାହାଣୀ ଶୁଣାଇପାରିବେ । ସେମାନଙ୍କୁ ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ଲାଲବାହାଦୁର ଶାସ୍ତ୍ରୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ମହାନ୍ ବୀରଙ୍କ ଜୀବନୀ କହିପାରିବେ । ଏହାଫଳରେ ପିଲାମାନେ ସାହସୀ ହେବା ସହ ଦେଶକୁ ଭଲପାଇବା ଶିଖିପାରିବେ ।

– ଏହାସହିତ ଆପଣ ସେମାନଙ୍କୁ ବିଭିନ୍ନ ପ୍ରକାର ଦେଶଭକ୍ତି ଗୀତ, କବିତା ଆଦି ଶୁଣାନ୍ତୁ । ସ୍କୁଲମାନଙ୍କରେ ତ୍ରିରଙ୍ଗା ଅବତରଣ ସମୟରେ ସେମାନଙ୍କୁ ଗୀତ ବୋଲିବା ପାଇଁ କୁହନ୍ତୁ । ଏହାଫଳରେ ସେମାନେ ସ୍ୱାଧୀନତା ଦିବସ ଉପରେ ନୂଆ ନୂଆ କଥା ଶିଖିବା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିପାରିବେ ।

– ପିଲାମାନଙ୍କୁ ତ୍ରିରଙ୍ଗା ତିଆରି କରିବା ଶିଖାଇବା ସହ ଏହାର ରଙ୍ଗ ଓ ଅଶୋକ ଚକ୍ର ବିଷୟରେ ବୁଝାନ୍ତୁ । ସେମାନଙ୍କୁ ଦେଶପ୍ରେମ ଉପରେ ଆଧାରିତ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖାଇ ତା’ର ମହତ୍ତ୍ୱ ବୁଝାନ୍ତୁ । ଦେଶ ପାଇଁ ସ୍ୱାଧୀନତାର କ’ଣ ଆବଶ୍ୟକତା ରହିଛି, ତାହା ସେମାନଙ୍କୁ ବୁଝାଇବା ସହ ଭବିଷ୍ୟତରେ ସୁନାଗରିକ ହେବାକୁ ସ୍ୱାଧୀନତା ଦିବସରେ ପ୍ରେରଣା ଦେବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.