fbpx

BJDରୁ ଇସ୍ତଫା ଦେଲେ ତେଜେଶ୍ୱର ପରିଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜୁ ଜନତା ଦଳ (ବିଜେଡି)ର ପଦଯାତ୍ରା ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଜଣେ ଟାଣୁଆ ରାଜନେତା ଦଳ ଛାଡ଼ିଛନ୍ତି । ବିଜେଡି ନେତା ତଥା ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ତେଜେଶ୍ୱର ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

ଏନେଇ ତେଜେଶ୍ୱର ଉଲ୍ଲେଖ କରିଛନ୍ତି, ବିଜୁ ଜନତା ଦଳ ମୋତେ ଜନତାଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସେଥିପାଇଁ ଚିର କୃତଜ୍ଞ ରହିବି । ଦଳରେ ମୁଁ ଦୀର୍ଘଦିନ ଧରି ଜଣେ ଦାୟିତ୍ୱବାନ, କର୍ତ୍ତବ୍ୟପରାୟଣ, ସଚ୍ଚୋଟ କର୍ମୀ ଭାବେ କାର୍ଯ୍ୟ କରିଥିଲି । ଦଳର ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ଜିଲ୍ଲାରେ ମୁଁ ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲି । ଦଳର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ପ୍ରୟାସ କରି ଆସିଥିଲି ।

ତେବେ ତେଜେଶ୍ୱର ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସେ ନିର୍ବାଚନ ମାନିଫେଷ୍ଟୋ କମିଟି ସଦସ୍ୟ ଓ ତାରକା ପ୍ରଚାରକ ଭାବେ ମନୋନୀତ ହୋଇଥିଲେ । ସେଥିପାଇଁ ସେ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.