ପୂର୍ବତନ BJYM ନେତାଙ୍କ ବିରୋଧରେ ମହିଳା ନେତ୍ରୀଙ୍କ ନିର୍ଯ୍ୟାତନା ଅଭିଯୋଗ
ସଂଯୋଜକ ଡି. ପଦ୍ମିନୀଙ୍କ ଅଭିଯୋଗ ଆଧାରରେ ଆଲୱାଲ ପୁଲିସ ପି.ଏମ. ସାଇ ପ୍ରସାଦ ଓରଫ ‘ଟିମ୍ ସାଇ’ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ମେଡଚାଲ-ମାଲକାଜଗିରି: ତେଲେଙ୍ଗାନା ବିଜେପି SC ମୋର୍ଚ୍ଚାର ସୋସିଆଲ ମିଡିଆ ସଂଯୋଜକ ଡି. ପଦ୍ମିନୀଙ୍କ ଅଭିଯୋଗ ପରେ ପୂର୍ବତନ BJYM ଜାତୀୟ କୋଷାଧ୍ୟକ୍ଷ ପି.ଏମ. ସାଇ ପ୍ରସାଦ ଓରଫ ‘ଟିମ୍ ସାଇ’ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଲୱାଲ ପୁଲିସ ମାମଲା ରୁଜୁ କରିଛି।
ପୁଲିସ ସୂଚନା ଅନୁସାରେ, ଅକ୍ଟୋବର ୫ ତାରିଖ ଅପରାହ୍ନ ୩ଟାରେ ୨୮ ବର୍ଷୀୟା ପଦ୍ମିନୀ ଅଭିଯୋଗ ଦାଖଲ କରିଥିଲେ। ସେ ଓଲ୍ଡ ଆଲୱାଲର ଭାସଭି ଏନକ୍ଲେଭ୍ରେ ରହୁଛନ୍ତି।
ପଦ୍ମିନୀ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ସାଇ ପ୍ରସାଦ ଓ ତାଙ୍କ ଗୋଷ୍ଠୀ ସହ ଜଡ଼ିତ ଥିଲେ। ୨୦୨୬ ଏପ୍ରିଲ ୧ରେ ସେ ତାଙ୍କ ଗୋଷ୍ଠି ଠାରୁ ଦୂରେଇ ଯାଇଥିଲେ । ଏହା ପରେ ସାଇ ପ୍ରସାଦ ତାଙ୍କୁ ବାରମ୍ବାର ଫୋନ୍ କରି ହଇରାଣ କରିବା, ଧମକ ଦେବା ଓ ଚାପ ପକାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଜାତିକୁ ନେଇ ଅପମାନଜନକ କଥା କୁହାଯିବା ସହ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଥିବା ମଧ୍ୟ ସେ କହିଛନ୍ତି। ଏଥିସହ ସ୍ୱାମୀ ଓ ପିଲାମାନଙ୍କୁ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗରେ ପଦ୍ମିନୀ କହିଛନ୍ତି ଯେ, ୨୦୨୪ ଡିସେମ୍ବର ୨୪, ୨୦୨୫ ଏପ୍ରିଲ ୧ ଓ ଅଗଷ୍ଟ ୯ରେ ସେ ଓଲ୍ଡ ଆଲୱାଲର ଗଙ୍ଗାପୁତ୍ର କଲୋନୀରେ ଥିବା ସାଇ ପ୍ରସାଦଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଶୋଇବା ଘରକୁ ଯିବା ପାଇଁ ଚାପ ଦିଆଯାଇଥିଲା। ସେ ମନା କରିବାରୁ ସ୍ୱାମୀ ଓ ପରିବାରକୁ କ୍ଷତି କରିବାର ଧମକ ଦିଆଯାଇଥିବା ସେ କହିଛନ୍ତି।
ପଦ୍ମିନୀଙ୍କ ଅଭିଯୋଗ ଅନୁସାରେ, ୨୦୨୬ ଏପ୍ରିଲ ୧ରେ ସାଇ ପ୍ରସାଦ ତାଙ୍କୁ ନାମପଲ୍ଲୀର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଡାକିଥିଲେ। ସେ ସ୍ୱାମୀଙ୍କ ସହ ଅପରାହ୍ନ ୨ଟା ୩୦ରୁ ୪ଟା ମଧ୍ୟରେ ସେଠାକୁ ଯାଇଥିଲେ। ସେଠାରେ ସାଇ ପ୍ରସାଦଙ୍କ ସହ ପକା ଶିବା, ରାହୁଲ, ଜନ୍ ଓ ଆଦିତ୍ୟ ତାଙ୍କୁ ଜାତିକୁ ନେଇ ଗାଳିଗୁଲଜ କରିବା ସହ ଅଶ୍ଳୀଳ ଭାଷାରେ ଅପମାନ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ସମୟରେ ତାଙ୍କ ସ୍ୱାମୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ସେମାନେ ତାଙ୍କ ରାଜନୈତିକ ଜୀବନ ଓ ସମ୍ମାନ ନଷ୍ଟ କରିଦେବାର ଧମକ ଦେଇଥିବା ପଦ୍ମିନୀ କହିଛନ୍ତି। ସାଇ ପ୍ରସାଦ ତାଙ୍କ ନାଁରେ ନକଲି କିମ୍ବା AI ଦ୍ୱାରା ତିଆରି ଅଶ୍ଳୀଳ ଫଟୋ ଓ ଭିଡିଓ ବନାଇ ସୋସିଆଲ ମିଡିଆରେ ପ୍ରଚାର କରିଦେବାର ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ମୋବାଇଲ ଫୋନ୍ ହ୍ୟାକ୍ କରିଥିବା ଦାବି ମଧ୍ୟ ସାଇ ପ୍ରସାଦ କରିଥିବା ସେ କହିଛନ୍ତି।
ପଦ୍ମିନୀ କହିଛନ୍ତି ଯେ, ସେ ସାଇ ପ୍ରସାଦଙ୍କ ନମ୍ବର ବ୍ଲକ୍ କରିଦେଇଥିଲେ। ତଥାପି ତାଙ୍କ ସହଯୋଗୀମାନେ ଫୋନ୍ କରିବା ଜାରି ରଖିଥିଲେ। ଅଗଷ୍ଟ ୨୧ ତାରିଖ ରାତି ପ୍ରାୟ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଜନ୍, ପକା ଶିବା ଓ ରାହୁଲ ତାଙ୍କ ଘରକୁ ଆସିଥିବା ସେ ଅଭିଯୋଗ କରିଛନ୍ତି। ସେମାନେ ସାଇ ପ୍ରସାଦଙ୍କ ସହ କଥା ହେବାକୁ ତାଙ୍କୁ ଜୋର କରିବା ସହ ଜାତିକୁ ନେଇ ଅପମାନଜନକ କଥା କହିଥିଲେ। ତାଙ୍କ ରାଜନୈତିକ ଭବିଷ୍ୟତ ନଷ୍ଟ କରିଦେବା ଓ ପରିବାରକୁ କ୍ଷତି କରିବାର ଧମକ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି।
ଏହା ପରେ ମଧ୍ୟ ରାତିରେ ବାରମ୍ବାର ଫୋନ୍ ଆସୁଥିବାରୁ ସେ ଭୟଭୀତ ହୋଇଥିବା ପଦ୍ମିନୀ କହିଛନ୍ତି। ଆଗକୁ ତାଙ୍କ କିମ୍ବା ପରିବାରର କ୍ଷତି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପୁଲିସକୁ ଅନୁରୋଧ କରିଛନ୍ତି।
ଏହି ଅଭିଯୋଗ ଆଧାରରେ ଆଲୱାଲ ଥାନା ଇନ୍ସପେକ୍ଟର ଏ. ପ୍ରଶାନ୍ତ Cr. No. 989/2026ରେ BNSର ବିଭିନ୍ନ ଧାରା, IT Actର ଧାରା ୬୬(C), ୬୬(E) ଏବଂ SC/ST (Prevention of Atrocities) Actର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି।


