ବାଂଲାଦେଶରେ ହିନ୍ଦୁଙ୍କ ଭାବନା ସହ ଖେଳ; କାଟିନେଲେ ମାଆ ଦୁର୍ଗାଙ୍କ ମୁଣ୍ଡ!
ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମନ୍ଦିର ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ଢାକା: ବାଂଲାଦେଶରେ ହିନ୍ଦୁଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ଉପରେ ହୋଇଛି ଆକ୍ରମଣ। ଧରାପୃଷ୍ଠକୁ ଅବତରଣ କରିବେ ପୂର୍ବରୁ ମା’ ଦୁର୍ଗାଙ୍କ ନବ ନିର୍ମିତ ପ୍ରତିମାକୁ ଭାଙ୍ଗି ଦିଆଯାଇଛି। ମାଆ ଦୁର୍ଗାଙ୍କ ସମେତ ୭ଟି ପ୍ରତିମାଙ୍କ ମୁଣ୍ଡ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବଂଲାଦେଶରେ ରହୁଥିବା ହିନ୍ଦୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଟାଙ୍ଗାଇଲ ଜିଲ୍ଲା ମିର୍ଜାପୁର ଉପଜିଲ୍ଲା ଅନ୍ତର୍ଗତ ଜମୁର୍କି ପଶ୍ଚିମପଡ଼ାରେ ଦୀର୍ଘ ୮୫ ବର୍ଷ ହେଲା ମାଆ ଦୁର୍ଗାଙ୍କ ପୂଜା ଆୟୋଜନ କରାଯାଉଛି। ଚଳିତବର୍ଷ ଏଠାରେ ପୂଜା ଆଗରୁ ମନ୍ଦିରରେ ଜୋରସୋରରେ ଚାଲିଥିଲା ପ୍ରସ୍ତୁତି। ମା’ ଦୁର୍ଗାଙ୍କ ସମେତ ୭ଟି ମୂର୍ତ୍ତି ନିର୍ମାଣ ପ୍ରାୟ ଶେଷ ହୋଇଥିଲା। କେବଳ ରଙ୍ଗ ଦିଆଯିବା ବାକି ରହିଥିଲା। ହେଲେ ରାତିର ଅନ୍ଧକାରରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଜମୁର୍କି ଆର୍ଯ୍ୟ ସମିତିର ସଭାପତି ପ୍ରକାଶ ବକାଲିଙ୍କ କହିବା ଅନୁସାରେ, ବୁଧବାର ରାତି ପର୍ଯ୍ୟନ୍ତ ମନ୍ଦିରରେ ସମସ୍ତେ ଉପସ୍ଥିତ ଥିଲେ। ହେଲେ ଗୁରୁବାର ସକାଳେ ମନ୍ଦିରରେ ପହଞ୍ଚିବା ପରେ ମୂର୍ତ୍ତିଗୁଡ଼ିକ ଭଙ୍ଗା ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଯେଉଁ ମୂର୍ତ୍ତିଗୁଡ଼ିକୁ ନିଜ ହାତରେ ଗଢ଼ିବା ପାଇଁ ଏତେ ଦିନ ଧରି ପରିଶ୍ରମ କରାଯାଇଥିଲା, ସେଗୁଡ଼ିକ ଏଭଳି ନଷ୍ଟ ହୋଇଯିବା ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଦେଇଛି। ପ୍ରତିବର୍ଷ ଏହି ମନ୍ଦିରରେ ପାଳିତ ହେଉଥିବା ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଦୀର୍ଘଦିନର ପରମ୍ପରା ଓ ଭାବନା ସହ ଜଡ଼ିତ।
ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମନ୍ଦିର ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
୨୦୨୪ ଜୁଲାଇ ପରଠାରୁ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଅନ୍ୟାନ୍ୟ ହିଂସାତ୍ମକ ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଆସୁଛି। କେବଳ ଧାର୍ମିକ ସଂଖ୍ୟାଲଘୁ ନୁହନ୍ତି, ସାମ୍ବାଦିକମାନେ ମଧ୍ୟ ଆକ୍ରମଣ, ଧମକ ଓ ଆଇନଗତ ଉତ୍ପୀଡ଼ନର ସାମ୍ନା କରୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ମିଡିଆ ଇନିସିଏଟିଭ୍ ଫର୍ ଡେଭଲପମେଣ୍ଟର ରିପୋର୍ଟ ଅନୁସାରେ, ଗତ ତିନି ମାସ ମଧ୍ୟରେ ଦେଶରେ ୧୧୨ଟି ଭିନ୍ନ ଘଟଣାରେ ଅତି କମ୍ରେ ୧୬୨ ଜଣ ସାମ୍ବାଦିକ ଆକ୍ରମଣ, ଧମକ ଓ ଆଇନଗତ ଜାଲରେ ଫସିଛନ୍ତି। ଏଥିମଧ୍ୟରୁ ୮୯ ଜଣ ଦୈନିକ ଖବରକାଗଜ ସହ ଜଡ଼ିତ ଥିଲେ।
ବାଂଲାଦେଶରେ ଏହି ମନ୍ଦିର ଉପରେ ଆକ୍ରମଣ ଘଟଣା ପୁଣିଥରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ଧାର୍ମିକ ସହାବସ୍ଥାନକୁ ନେଇ ପ୍ରଶ୍ନ ଉଠାଇଛି। ଦୁର୍ଗାପୂଜା ଭଳି ଏକ ଆସ୍ଥା ଓ ଆନନ୍ଦର ପର୍ବ ପୂର୍ବରୁ ଏଭଳି ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଛି। ଏବେ ତଦନ୍ତ ମାଧ୍ୟମରେ ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ମନ୍ଦିରର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସମସ୍ତଙ୍କ ନଜର ରହିଛି।

