fbpx

୧୦ ଲକ୍ଷ କୃଷକଙ୍କୁ ମିଳିବ ଫାଇଦା: କେନ୍ଦ୍ର କୃଷି ମନ୍ତ୍ରଣାଳୟ ଲାଗୁ କରିବ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଆଣିବା ନେଇ ବିଚାର କରୁଛନ୍ତି । ଏଥିପାଇଁ କେନ୍ଦ୍ର କୃଷି ଏବଂ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟାନ କୃଷି କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ସିଡିପି) ପ୍ରସ୍ତୁତ କରାଯାଇଛି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦେଶରେ କୃଷିକ୍ଷେତ୍ରର ବିକାଶ ଓ କୃଷକଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ପ୍ରଦାନ କରିବା ସରକାରଙ୍କର ପ୍ରଥମ ଲକ୍ଷ୍ୟ । ତେଣୁ ପ୍ରତ୍ୟେକ ଯୋଜନାରେ କୃଷକଙ୍କ ହିତ ସାଧନ ହେବା ଉଚିତ୍ ବୋଲି ତୋମାର କହିଛନ୍ତି ।

ଶ୍ରୀ ତୋମାର କହିଛନ୍ତି, ଦେଶରେ ଉଦ୍ୟାନ କୃଷିର ବିକାଶ ପାଇଁ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । କୃଷକମାନେ କିପରି ଲାଭାନ୍ୱିତ ହୋଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବ । ଅରୁଣାଚଳ ପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ମଣିପୁର, ମିଜୋରାମ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ସହିତ ଅନେକ ରାଜ୍ୟର ମୁଖ୍ୟ ଫସଲକୁ ଚିହ୍ନିତ କରାଯିବ । ଏପରି ଭାବେ ୫୫ କ୍ଲଷ୍ଟରକୁ ସୂଚୀରେ ସାମିଲ କରାଯାଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ସହ ଜଡ଼ିତ ସଂସ୍ଥା ପାଖରେ ଉପଲବ୍ଧ ଭୂମିର ଉପଯୋଗ କରାଯିବ । ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ଫସଲ ବିବିଧିକରଣ ତଥା ଶସ୍ୟ ବିକ୍ରି ପାଇଁ ବଜାର ସହିତ ଲିଙ୍କ ଉପରେ ଜୋର ଦିଆଯିବ ।

ଏହି ସିଡିପି କାର୍ଯ୍ୟକ୍ରମ ଅର୍ଥବ୍ୟବସ୍ଥାରେ ସହାୟକ ହେବା ସହିତ କ୍ଲଷ୍ଟରକୁ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ଗଢ଼ି ତୋଳିବ । ଫଳରେ ତାହାକୁ ରାଷ୍ଟ୍ରୀୟ ଓ ବିଶ୍ୱ ସ୍ତରର ମୂଲ୍ୟ ଶୃଙ୍ଖଳାରେ ସାମିଲ କରଯାଇପାରିବ । ଏହାଦ୍ୱାରା କୃଷକଙ୍କୁ ଅଧିକ ପାରିଶ୍ରମିକ ମିଳିପାରିବ । ସିଡିପିରେ ପାଖାପାଖି ୧୦ ଲକ୍ଷ କୃଷକ ଓ ମୂଲ୍ୟ ଶୃଙ୍ଖଳା ସମ୍ବନ୍ଧିତ ହିତାଧିକାରୀଙ୍କୁ ଫାଇଦା ମିଳିବ । ଫସଲର ରପ୍ତାନୀରେ ପାଖାପାଖି ୨୦ ପ୍ରତିଶତ ସୁଧାର ଆଣିବା ସହ କ୍ଲଷ୍ଟର ଫସଲର ଉତ୍ପାଦନ ବୃଦ୍ଧି ଓ କ୍ଲଷ୍ଟର-ବିଶିଷ୍ଟ ବ୍ରାଣ୍ଡ ନିର୍ମାଣ କରିବା ସିଡିପିର ଲକ୍ଷ୍ୟ । ସିଡିପି ମାଧ୍ୟମରେ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ନିବେଶ ସୁଯୋଗ ସୃଷ୍ଟି ହେବ ।

Get real time updates directly on you device, subscribe now.