fbpx

ପୁଣି ଜମ୍ମୁରେ ଉଡ଼ିଲା ଆତଙ୍କବାଦୀଙ୍କ ଡ୍ରୋନ୍

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଡ୍ରୋନ୍ ଉଡ଼ାଇଛନ୍ତି । ସାମ୍ବା ଜିଲ୍ଲାରେ ଦେଖାଯାଇଥିବା ଡ୍ରୋନ୍ ପାକିସ୍ତାନୀ ଲିଙ୍କ୍ ରହିଥିବା କୁହାଯାଉଛି । ଗତକାଲି ୮ଟା ୩୦ ମିନିଟରେ ବରି-ବ୍ରାହ୍ମଣ, ଚିଲଦ୍ୟା ଓ ଗଗ୍ୱାଲ ଅଞ୍ଚଳରେ ଡ୍ରୋନ୍ ଉଡ଼ୁଥିବା ସୁରକ୍ଷା କର୍ମୀଙ୍କ ନଜରକୁ ଆସିଥିଲା ।

ତେବେ ଡ୍ରୋନ୍ ଦେଖିବା ପରେ ବିଏସଏଫ୍ ବାହିନୀ ଆଲର୍ଟ ହେବା ସହ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ଗତ ଜୁଲାଇ ୨୩ ତାରିଖରେ ସୁରକ୍ଷାକର୍ମୀମାନେ ବିସ୍ଫୋରକ ଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ସେହିପରି ଗତ ଜୁନ ୨୭ ତାରିଖରେ ପାକିସ୍ତାନୀ ଡ୍ରୋନ୍ ଜମ୍ମୁ ଏୟାର ଫୋର୍ସ ଷ୍ଟେସନ ଉପରେ ଆକ୍ରମଣ କରିଥିଲା । ଜୁଲାଇ ୧୪ରେ ଆରନିଆ ଅଞ୍ଚଳରେ ବିଏସଏଫ୍ ବାହିନୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଡ୍ରୋନ୍ ଉପରକୁ ଗୁଳି ଚଳାଇଥିବା ବେଳେ ଜୁଲାଇ ୨ ତାରିଖରେ ଉକ୍ତ ଅଞ୍ଚଳରୁ ପାକିସ୍ତାନୀ ଡ୍ରୋନ୍ ପଛକୁ ଫେରି ଚାଲିଯାଇଥିଲା । ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସହ ଅନୁଷ୍ଠିତ କମାଣ୍ଡରସ୍ତରୀୟ ବୈଠକରେ ଭାରତ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ଜୁନ୍ ସୁଦ୍ଧା ମୋଟ ୧୬ ଜଣ, ୨୦୨୦ରେ ୬୨ ଜଣ ଓ ୨୦୧୯ରେ ୮୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ।

Get real time updates directly on you device, subscribe now.