ବିଫଳ ହେଲା ଟ୍ରମ୍ପଙ୍କ ପ୍ରୟାସ, ପୁଣି ବୋମାମାଡ଼ ଆରମ୍ଭ କଲା ଥାଇଲ୍ୟାଣ୍ଡ, ବଡ଼ ଦାବି କଲା କାମ୍ବୋଡିଆ

ବିଫଳ ହେଲା ଟ୍ରମ୍ପଙ୍କ ପ୍ରୟାସ, ପୁଣି ବୋମାମାଡ଼ ଆରମ୍ଭ କଲା ଥାଇଲ୍ୟାଣ୍ଡ

Thailand Cambodia Conflict: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ କାମ୍ବୋଡିଆ ଥାଇଲ୍ୟାଣ୍ଡ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। କାମ୍ବୋଡିଆ କହିଛି ଯେ, ଯୁଦ୍ଧବିରତି ଚୁକ୍ତି ସତ୍ତ୍ୱେ ଥାଇଲ୍ୟାଣ୍ଡ ତା‘ର ଅଞ୍ଚଳରେ ଆକ୍ରମଣ ଜାରି ରଖିଛି। ଏହି ଅଭିଯୋଗଗୁଡ଼ିକ ଦକ୍ଷିଣ-ପୂର୍ବ ଏସିଆର ଏହି ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ବୃଦ୍ଧି କରୁଥିବା ଦେଖାଯାଉଛି।

କାମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କହିଛି ଯେ, ଥାଇ ସେନା ଶନିବାର ଦିନ ତା’ର ଅଞ୍ଚଳରେ ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ବିବୃତ୍ତିରେ କୁହାଯାଇଛି “ଡିସେମ୍ବର ୧୩, ୨୦୨୫ ରେ ଥାଇ ସେନା ଦୁଇଟି F-୧୬ ଲଢ଼ୁଆ ବିମାନ ବ୍ୟବହାର କରି କାମ୍ବୋଡିଆର ଅନେକ ସ୍ଥାନରେ ସାତଟି ବୋମା ପକାଇଥିଲା,” । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଥାଇ ସାମରିକ ବିମାନ ଦ୍ୱାରା ବୋମାମାଡ଼ ବନ୍ଦ ହୋଇନାହିଁ।

ଥାଇଲ୍ୟାଣ୍ଡରୁ କୌଣସି ପ୍ରତିକ୍ରିୟା ମିଳିନାହିଁ: କାମ୍ବୋଡିଆର ଅଭିଯୋଗ ସମ୍ପର୍କରେ ଥାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇ ନାହିଁ। ତଥାପି, ଦୁଇ ଦେଶ ମଧ୍ୟରେ ପୂର୍ବରୁ ଆରୋପ-ପ୍ରତ୍ୟାରୋପ ଚାଲିଥିବାରୁ ପରିସ୍ଥିତି ଆହୁରି ସମ୍ବେଦନଶୀଳ ହୋଇଯାଇଛି।

ଟ୍ରମ୍ପଙ୍କ ଯୁଦ୍ଧବିରତି: କାମ୍ବୋଡିଆର ଏହି ନୂତନ ଅଭିଯୋଗ ଏପରି ସମୟରେ ଆସିଛି, ଯାହାର ଗୋଟେ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆର ନେତାମାନେ ଶତ୍ରୁତା ବନ୍ଦ କରିବାକୁ ଏବଂ ଅସ୍ତ୍ରବିରତି ଲାଗୁ କରିବାକୁ ରାଜି ହୋଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ତାଙ୍କର ଥାଇ ପ୍ରଧାନମନ୍ତ୍ରୀ ଅନୁଟିନ୍ ଚାର୍ଣ୍ଣଭିରାକୁଲ୍ ଏବଂ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ ଙ୍କ ସହ ପୃଥକ ଭାବରେ ଆଲୋଚନା ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ଏହି ଚୁକ୍ତିକୁ ସମ୍ଭବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ପ୍ରଥମ ଅସ୍ତ୍ରବିରତି: ଉଲ୍ଲେଖନୀୟ ଯେ, ମାଲେସିଆ ମଧ୍ୟସ୍ଥତାରେ ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଯୁଦ୍ଧବିରତି ହୋଇଥିଲା। ଟ୍ରମ୍ପଙ୍କ ଚାପ ପରେ ଏହି ଚୁକ୍ତି ହୋଇଥିଲା, ଯିଏ ଚେତାବନୀ ଦେଇଥିଲେ ଯେ ଯଦି ନିୟମ ପାଳନ ନ କରାଯାଏ ତେବେ ବାଣିଜ୍ୟିକ ସୁବିଧା ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବରରେ ମାଲେସିଆରେ ଏକ ଆଞ୍ଚଳିକ ବୈଠକରେ ଏହି ଚୁକ୍ତିକୁ ଆହୁରି ଆନୁଷ୍ଠାନିକ କରାଯାଇଥିଲା, ଯେଉଁଥିରେ ଟ୍ରମ୍ପ ମଧ୍ୟ ଯୋଗ ଦେଇଥିଲେ।

ରିପୋର୍ଟ ଅନୁସାରେ ଥାଇଲ୍ୟାଣ୍ଡ କହିଛି ଯେ, ସାମ୍ପ୍ରତିକ ହିଂସାରେ ଏହାର ୧୦ ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ସେପଟେ କାମ୍ବୋଡିଆ ରିପୋର୍ଟ କରିଛି ଯେ, ଆକ୍ରମଣରେ ଜଣେ ଶିଶୁ ସମେତ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅତି କମରେ ୬୦ ଜଣ ଆହତ ହୋଇଛନ୍ତି। ତେବେ କାମ୍ବୋଡିଆ ସାମରିକ ମୃତାହତଙ୍କ ସଂଖ୍ୟା ସେୟାର କରିନାହିଁ।