ସେନ୍ସର ବୋର୍ଡରୁ ଗ୍ରୀନ୍ ସିଗନାଲ୍: ଥଲାପତି ବିଜୟଙ୍କ ବିବାଦୀୟ ଫିଲ୍ମ ‘ଜନ ନାୟକନ୍’କୁ ମିଳିଲା ‘A’ ସାର୍ଟିଫିକେଟ୍; ଜାଣନ୍ତୁ କେବେ ହେବ ରିଲିଜ୍
ସେନ୍ସର ବୋର୍ଡରୁ ଗ୍ରୀନ୍ ସିଗନାଲ୍: ଥଲାପତି ବିଜୟଙ୍କ ବିବାଦୀୟ ଫିଲ୍ମ ‘ଜନ ନାୟକନ୍’କୁ ମିଳିଲା ‘A’ ସାର୍ଟିଫିକେଟ୍
Jananayagan: ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଏବଂ ବିବାଦୀୟ ଚଳଚ୍ଚିତ୍ର ‘ଜନ ନାୟକନ୍’କୁ ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସେନ୍ସର ବୋର୍ଡ ‘ଜନ ନାୟଗନ୍’କୁ ‘A’ ସାର୍ଟିଫିକେଟ୍ ପ୍ରଦାନ କରିଛି । ତେବେ ଫିଲ୍ମର କେଉଁ ସବୁ ଦୃଶ୍ୟ କିମ୍ବା ସଂଳାପ ଉପରେ କାଟ୍ଛାଟ୍ କରାଯାଇଛି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ଫିଲ୍ମର ନିର୍ମାତାମାନେ ଗତ ଡିସେମ୍ବର ୨୦୨୫ରେ ‘ଜନ ନାୟକନ୍’କୁ ସେନ୍ସର ବୋର୍ଡ ପାଖକୁ ଅନୁମତି ପାଇଁ ପଠାଇଥିଲେ ଏବଂ ଏହାକୁ ୯ ଜାନୁଆରୀ ୨୦୨୬ରେ ପ୍ରେକ୍ଷାଳୟରେ ରିଲିଜ୍ କରିବାକୁ ଯୋଜନା କରାଯାଇଥିଲା ।
କାହିଁକି ଅଟକିଥିଲା ଫିଲ୍ମର ସାର୍ଟିଫିକେସନ୍?
ଜାନୁଆରୀ ରିଲିଜ୍ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ୍ ଦେବା ବଦଳରେ ଏହାକୁ ଏକ ‘ରିଭାଇଜିଂ କମିଟି’ ପାଖକୁ ପଠାଇ ଦେଇଥିଲା । ଫିଲ୍ମର କିଛି ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ କରୁଥିବା ଏବଂ ସଶସ୍ତ୍ର ସେନା ପ୍ରତି ଆପତ୍ତିଜନକ ଥିବା ନେଇ ଅଭିଯୋଗ ହୋଇଥିଲା । ଏହି କାରଣରୁ ରିଲିଜ୍ର ଠିକ୍ କିଛି ଦିନ ପୂର୍ବରୁ ହିଁ ଫିଲ୍ମର ସାର୍ଟିଫିକେସନ୍ ପ୍ରକ୍ରିୟା ଅଟକି ଯାଇଥିଲା ।
ସେନ୍ସର ବୋର୍ଡରୁ ଅନୁମତି ନମିଳିବା ପରେ ପ୍ରୋଡ୍ୟୁସର କେଭିଏନ୍ ପ୍ରୋଡକ୍ସନ୍ସ (KVN Productions) ମାନ୍ଦ୍ରାଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଳମ୍ବ ଯୋଗୁଁ ସେମାନଙ୍କର ପ୍ରଭୂତ ଆର୍ଥିକ କ୍ଷତି ହେଉଥିବା ନିର୍ମାତାମାନେ କୋର୍ଟରେ ଦର୍ଶାଇଥିଲେ । ଏହା ସହିତ ଯେଉଁ ଫିଲ୍ମ ଏପର୍ଯ୍ୟନ୍ତ ସର୍ବସାଧାରଣରେ ସ୍କ୍ରିନିଂ ହୋଇନାହିଁ, ତା’ ବିରୋଧରେ କିଭଳି ଅଭିଯୋଗ ହୋଇପାରିବ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ ।
Uttarakhand Govt.
ଫିଲ୍ମକୁ ପୂର୍ବରୁ ହିଁ ୨୫ରୁ ଅଧିକ ଆନ୍ତର୍ଜାତୀୟ ବଜାରରେ ସାର୍ଟିଫିକେଟ୍ ମିଳିସାରିଛି, ଯେଉଁଥିରେ ବ୍ରିଟିଶ ବୋର୍ଡ ଅଫ୍ ଫିଲ୍ମ କ୍ଲାସିଫିକେସନ୍ ପକ୍ଷରୁ ମିଳିଥିବା ୧୫ ରେଟିଂ ମଧ୍ୟ ସାମିଲ ଅଛି ବୋଲି ପ୍ରୋଡ୍ୟୁସର କହିଥିଲେ ।
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମେକର୍ସ
ପ୍ରାରମ୍ଭିକ ପର୍ଯ୍ୟାୟରେ ମାନ୍ଦ୍ରାଜ ହାଇକୋର୍ଟଙ୍କ ସିଙ୍ଗଲ୍ ଜଜ୍ ବେଞ୍ଚ ସେନ୍ସର ବୋର୍ଡକୁ ଫିଲ୍ମ ସାର୍ଟିଫିକେଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର CBFC ଏହି ଆଦେଶକୁ ଡିଭିଜନ୍ ବେଞ୍ଚରେ ଚ୍ୟାଲେଞ୍ଜ କରିବା ପରେ ପୂର୍ବ ନିର୍ଦ୍ଦେଶ ଉପରେ ରୋକ୍ ଲାଗିଯାଇଥିଲା । ପରେ ତୁରନ୍ତ ଆଶ୍ୱସ୍ତି ପାଇଁ ନିର୍ମାତାମାନେ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ମାନ୍ଦ୍ରାଜ ହାଇକୋର୍ଟରେ ହିଁ ମାମଲା ଜାରି ରଖିବାକୁ କହିଥିଲେ ।
ଜନ ନାୟଗନ୍’ର ରିଲିଜ୍ ଡେଟ୍
ଫିଲ୍ମର ମେକର୍ସଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ । ମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଫିଲ୍ମଟି ଆସନ୍ତା ଜୁଲାଇ ୨୪ ରେ ପ୍ରେକ୍ଷାଳୟକୁ ଆସିବ ।
ଭାଇରାଲ୍ ପୋଷ୍ଟ ମୁତାବକ, “ଫାଇନାଲି! ଆମ ସମସ୍ତଙ୍କ ପ୍ରିୟ ଥଲାପତି ବିଜୟ ‘ଜନ ନାୟକନ୍’ ସହିତ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ୟୋର୍କ ସିନେମା କାନାଡାରେ ଏହାକୁ ରିଲିଜ୍ କରିବ । ଜୁଲାଇ ୨୪ରୁ ସ୍କ୍ରିନ୍ରେ ଆରମ୍ଭ ହେବ ସେଲିବ୍ରେସନ୍ । ଟିକେଟ୍ ବୁକିଂ ପାଇଁ ପ୍ରସ୍ତୁତ ରୁହନ୍ତୁ ।” ତେବେ ଖୁବ୍ ଶୀଘ୍ର ପ୍ରଯୋଜନା ସଂସ୍ଥା ଏହାର ଅଫିସିଆଲ୍ ରିଲିଜ୍ ଡେଟ୍ ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି ।

