ଚର୍ଚ୍ଚାରେ ଆଉ ଏକ ଅଭିନେତାଙ୍କ ବିବାହ ବିଚ୍ଛେଦ, ବିବାହର ୨୭ ବର୍ଷ ପରେ ଅଲଗା ହେବେ ବିଜୟ-ସଙ୍ଗୀତା

୨୭ ବର୍ଷର ବିବାହ ପରେ ଥଲପତି ବିଜୟଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ତରଫରୁ ଡିଭୋର୍ସ ଆବେଦନ

Vijay-Sangeeta Divorce: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଥାଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ୍ ୨୭ ଫେବୃଆରୀ ୨୦୨୬ରେ ଚେଙ୍ଗଲପଟ୍ଟୁ ପରିବାର ଆଦାଲତରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି। ଏହା ଦୁହେଁଙ୍କ ଭିତରେ ବିଚ୍ଛେଦ ଦିଗରେ ପ୍ରଥମ ଆଇନଗତ ପଦକ୍ଷେପ ବୋଲି ମନେ କରାଯାଉଛି।

ଏହି ମାମଲାରେ ଏପର୍ଯ୍ୟନ୍ତ ବିଜୟଙ୍କ ପକ୍ଷରୁ କୌଣସି ଅଧିକାରିକ ବିବୃତି ଆସିନାହିଁ। ଆଦାଲତ ଏହି ଆବେଦନ ଉପରେ ଶୁଣାଣି କରୁଛି ଏବଂ ଆଗାମୀ ଦିନରେ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହେବ।

ବିଜୟ ଓ ସଙ୍ଗୀତାଙ୍କ ବିବାହ

ବିଜୟ ଓ ସଙ୍ଗୀତା ୨୫ ଅଗଷ୍ଟ ୧୯୯୯ରେ ବିବାହ ବନ୍ଧନରେ ବାନ୍ଧିଥିଲେ। ଏହି ବିବାହରେ ଦକ୍ଷିଣ ଭାରତର ଅନେକ ପ୍ରସିଦ୍ଧ ତାରକା ଉପସ୍ଥିତ ଥିଲେ। ଦୁହେଁ ଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ହିନ୍ଦୁ ପାରମ୍ପରିକ ରୀତିରେ ବିବାହ ହୋଇଥିଲା ଏବଂ ପରେ ଚେନ୍ନାଇରେ ଭବ୍ୟ ରିସେପ୍ସନ୍ ହୋଇଥିଲା।

ପରିବାର ଓ ସନ୍ତାନ

ବିବାହ ପରେ ୨୬ ଅଗଷ୍ଟ ୨୦୦୦ରେ ଦୁହେଁ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ, ଯାହାଙ୍କ ନାମ ଜାସୋନ୍ ସଞ୍ଜୟ । ପରେ ୨୦୦୫ରେ ଝିଅ ଦିବ୍ୟା ଜନ୍ମ ନେଇଥିଲେ।

ବର୍ତ୍ତମାନ ଦୁହେଁ ସନ୍ତାନ ମଧ୍ୟ ଧୀରେ ଧୀରେ ଲାଇମଲାଇଟ୍‌କୁ ଆସୁଛନ୍ତି। ଜେସନ ସଞ୍ଜୟ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ ଭାବେ ପ୍ରବେଶ କରିସାରିଛନ୍ତି।

କିଏ ସଙ୍ଗୀତା ସୋର୍ନାଲିଙ୍ଗମ?

ସଙ୍ଗୀତା ଏକ ଶ୍ରୀଲଙ୍କା ତାମିଲ୍ ପରିବାରରୁ ଆସିଥିବା ବେଳେ ତାଙ୍କର ଲାଳନ-ପାଳନ ୟୁନାଇଟେଡ୍ କିଙ୍ଗଡମରେ ହୋଇଛି। ସେ ସଦା ଗ୍ଲାମର୍ ଦୁନିଆରୁ ଦୂରେ ରହି ପରିବାରକୁ ଅଧିକ ପ୍ରାଧାନ୍ୟ ଦେଇଆସିଛନ୍ତି। ସେ କେବଳ କେତେକ ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖାଯାଇଛନ୍ତି ଏବଂ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ କମ୍ ସକ୍ରିୟ।

ତେବେ ପ୍ରାୟ ୨୭ ବର୍ଷର ଦୀର୍ଘ ବିବାହିତ ଜୀବନ ପରେ ବିଜୟ ଓ ସଙ୍ଗୀତାଙ୍କ ଏହି ନିଷ୍ପତ୍ତି ଫ୍ୟାନ୍ସମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି । ଏବେ ସମସ୍ତଙ୍କ ନଜର ଆଦାଲତର ପରବର୍ତ୍ତୀ ଶୁଣାଣି ଓ ଦୁହେଁଙ୍କ ଅଧିକାରିକ ପ୍ରତିକ୍ରିୟା ଉପରେ ରହିଛି।