fbpx

କୃଷକଙ୍କ ପାଇଁ ବଡ ଘୋଷଣା କଲେ ବିଭାଗୀୟ ମନ୍ତ୍ରୀ: କୃଷି କ୍ଷେତ୍ରରେ ବିକାଶ ପାଇଁ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ଦେଖା ଦେଉଥିବା ଚାଲେଞ୍ଜ ଭିତରେ କୃଷକଙ୍କୁ ଆଉ ଏକ ପାଦ ଆଗକୁ ନେବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମର । କୃଷକମାନଙ୍କ ସହ ନୂଆ ଜ୍ଞାନକୌଶଳ ଏବଂ ରିସର୍ଚ୍ଚ ଇତ୍ୟାଦିକୁ ସଂଯୋଗ କରିବା ପାଇଁ ସେ ବୈଠକରେ ଦାବି କରିଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୪ତମ ବାର୍ଷିକ ସାଧାରଣ ବୈଠକରେ ଏହା ଉପପେର ଗୁରୁତ୍ୱାରୋପ କରିଛନ୍ତି କୃଷିମନ୍ତ୍ରୀ ।

ସେ କହିଛନ୍ତି ଯେ, କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ, ତେଣୁ ଏହି କ୍ଷେତ୍ରରେ ବିକାଶ ହେବା ଆବଶ୍ୟକ । ତୋମର କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଭଳି ଚାଲେଞ୍ଜ ଆଜି ଆମ ସାମନାରେ ରହିଛି । ଏହାସହିତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକଙ୍କର ଫସଲ ମଧ୍ୟ ବାରମ୍ବାର ନଷ୍ଟ ହେଉଥିବାର ଅନେକ ଉଦାହରଣ ଆମେ ଦେଖିଛେ । ନୂଆ ଭାରତରେ ଆମକୁ ନୂଆ ଜ୍ଞାନ କୌଶଳ ଏବଂ ରିସର୍ଚ୍ଚକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । କୃଷିକ୍ଷେତ୍ରରେ ବିକାଶ କରିବା ପାଇଁ ସେ ଆଇସିଏମଆରର ବୈଜ୍ଞାନିକଙ୍କ ସହାୟତା ମାଗିଥିବା ଜଣାଯାଇଛି । ଏହାସହିତ ୨୦୪୭ ମସିହା ପର୍ଯ୍ୟନ୍ତ ଏକ ନୂଆ ଭାରତ ପ୍ରସ୍ତୁତ କରିବା ପାଇଁ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି ।

ଅନ୍ୟ ପକ୍ଷରେ କୃଷି ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଡ୍ରାଗନ ଫ୍ରୁଟ, ଆମ୍ବ, ପନିପରିବା ଏବଂ ଫୁଲ ପାଇଁ ବେଙ୍ଗଲୁରୁ, ଯାଜପୁର ଏବଂ ଗୋଆରେ ୩ଟି ଉତ୍କୁଷ୍ଟତା କେନ୍ଦ୍ର ସ୍ଥାପନ କରାଯିବ । ତେବେ କେନ୍ଦ୍ର କୃଷି ମନ୍ତ୍ରାଳୟ ବର୍ତ୍ତମାନ ସୁଦ୍ଧା ମୋଟ ୪୯ଟି ସିଓଆଇକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିରୁ ଡ୍ରାଗନ ଫ୍ରୁଟ ପାଇଁ ଗୋଟିଏ ସିଓଆଇ ବେଙ୍ଗଲୁରୁର ହୀରେହଲ୍ଲୀ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଆମ୍ବ ଏବଂ ପନିପରିବା ପାଇଁ ଓଡିଶାର ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏହା ବ୍ୟତୀତ ପନିପରିବା ସହ ଫୁଲ ପାଇଁ ତୃତୀୟ ସିଓଆଇ ଦକ୍ଷୀଣୀ ଗୋଆର ପୋଣ୍ଡାରେ ଏକ ସରକାରୀ କୃଷି ଫାର୍ମରେ ସ୍ଥାପିତ କରାଯିବ ।

Get real time updates directly on you device, subscribe now.