ଆପଣଙ୍କ ପକେଟ ଉପରେ ପଡ଼ିବ ଇରାନ-ଆମେରିକା ଯୁଦ୍ଧର ପ୍ରଭାବ ! IMF ଓ ବିଶ୍ୱ ବ୍ୟାଙ୍କର ବଡ଼ ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ପାଇଁ ପୁଣି ଏକ ଖରାପ ଖବର। କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏବେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଅଶାନ୍ତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଏବଂ ବିଶ୍ୱ ବ୍ୟାଙ୍କ (World Bank) ଏକ ଗମ୍ଭୀର ଚେତାବନୀ ଜାରି କରିଛନ୍ତି।

କାହିଁକି ବଢ଼ିବ ମହଙ୍ଗା ମାଡ଼?

ୱାଶିଂଟନରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଏହି ଦୁଇ ବଡ଼ ଆର୍ଥିକ ସଂସ୍ଥା କହିଛନ୍ତି ଯେ, ଯୁଦ୍ଧ ଯୋଗୁଁ ଆଗାମୀ ଦିନରେ ଅଶୋଧିତ ତୈଳ (Crude Oil) ଏବଂ ପ୍ରାକୃତିକ ଗ୍ୟାସର ମୂଲ୍ୟ ବହୁତ ଅଧିକ ବୃଦ୍ଧି ପାଇପାରେ। ଯେହେତୁ ଭାରତ ଭଳି ଦେଶଗୁଡ଼ିକ ଇନ୍ଧନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ, ତେଣୁ ଏହାର ସିଧାସଳଖ ପ୍ରଭାବ ପରିବହନ ଏବଂ ଦୈନନ୍ଦିନ ବ୍ୟବହୃତ ଜିନିଷ ଉପରେ ପଡ଼ିବ।

ଚାଷ ଜମିରୁ ରୋଷେଇ ଘର ପର୍ଯ୍ୟନ୍ତ ପ୍ରଭାବ: ଖାଲି ପେଟ୍ରୋଲ-ଡିଜେଲ ନୁହେଁ, ସାର ମୂଲ୍ୟରେ ମଧ୍ୟ ଅହେତୁକ ବୃଦ୍ଧି ଘଟିବା ନେଇ ଆଶଙ୍କା କରାଯାଉଛି। ଯଦି ସାର ଦର ବଢ଼େ, ତେବେ ଚାଷ ଖର୍ଚ୍ଚ ବଢ଼ିବ ଏବଂ ଏହା ଖାଦ୍ୟଶସ୍ୟର ମୂଲ୍ୟକୁ ଆକାଶଛୁଆଁ କରିବ। ଫଳରେ ରୋଷେଇ ଘରେ ପରିବାଠାରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇପାରେ।

ଗରିବ ଦେଶଙ୍କ ପାଇଁ ସଙ୍କଟ

IMF ର ସୂଚନା ଅନୁଯାୟୀ, ଏହି ସଙ୍କଟ ବିଶେଷ କରି ସ୍ୱଳ୍ପ ଆୟକାରୀ ଦେଶଗୁଡ଼ିକୁ ଅଧିକ ପ୍ରଭାବିତ କରିବ। ପର୍ଯ୍ୟଟନ ବାଧାପ୍ରାପ୍ତ ହେବା ସହ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଦେଇପାରେ।

ଏହି ଆର୍ଥିକ ସୁନାମିରୁ ବର୍ତ୍ତିବା ପାଇଁ ବିଶ୍ୱ ସମୁଦାୟକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ଯୁଦ୍ଧ ପରିସ୍ଥିତି ଲମ୍ବା ସମୟ ଧରି ଜାରି ରହେ, ତେବେ ଏହା ବିଶ୍ୱ ଅର୍ଥନୀତି ପାଇଁ ତୃତୀୟ ବଡ଼ ଝଟକା ସାବ୍ୟସ୍ତ ହେବ।