fbpx

ଜଳାର୍ଣ୍ଣବ ହେଲା ଲିଙ୍ଗରାଜ ମନ୍ଦିର: ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ହୋଇଥିବା ବର୍ଷାରେ ଲିଙ୍ଗରାଜ ମନ୍ଦିରର ପରିସର ଜଳାର୍ଣ୍ଣବ ହୋଇଯାଇଛି। ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ଭକ୍ତମାନେ ସିଂହଦ୍ୱାରରେ ଠିଆ ହେବାକୁ ସ୍ଥାନ ନପାଇବାରୁ ପାଣିରେ ପଶି ମନ୍ଦିର ଭିତରକୁ ଯାଇଥିଲେ।

ବର୍ଷା କାରଣରୁ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ନାଟମଣ୍ଡପ, ବାସୁଆବଳଦ ମନ୍ଦିର, ପାର୍ବତୀ ମନ୍ଦିର ଏବଂ ମା’ ଭୁବନେଶ୍ୱରୀ ମନ୍ଦିରରେ ପାଣି ପଶି ଯାଇଥିଲା। ପାଣି ନିଷ୍କାସନ କରାଯାଇ ନଥିବାରୁ ମନ୍ଦିରର ନୀତିକାନ୍ତି ହୋଇ ପାରି ନଥିଲା। ମନ୍ଦିର ଭିତରେ ପାଣି ପଶି ଥିବାରୁ ସେବାୟତମାନେ ମନ୍ଦିର ପାହାଚରେ ବସି ପୂଜା କାର୍ଯ୍ୟ କରିଥିଲେ।

ଦୀର୍ଘ ଦେଢ ବର୍ଷ ହେଲା ମନ୍ଦିରରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ବର୍ଷା ପାଣିରେ ମନ୍ଦିରର କାନ୍ଥ ଓଦା ହୋଇ ଯାଉଥିବାରୁ ବିଦ୍ୟୁତ ପ୍ରବାହିତ ହୋଇ କରେଣ୍ଟ ମାରୁଥିବା ଭଳି ପରିସ୍ଥିତି ଉପୁଜିଛି। ନିୟମିତ ଭାବେ ବର୍ଷା ପାଣିରେ ଓଦା ହୋଇ ମନ୍ଦିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ତେବେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଏନେଇ କୌଣସି ପଦକ୍ଷେପ ନନେଲେ ମନ୍ଦିରକୁ କ୍ଷତି ପହଞ୍ଚିବାର ସମ୍ଭାବନା ଅଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

 

Get real time updates directly on you device, subscribe now.