fbpx

ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା (ଭାସ୍କର ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଚଳିତ ସେପ୍ଟେମ୍ବର ୧୯ ତାରିଖ ରବିବାର ଦିନ ଜିଲ୍ଲା ସ୍ତରୀୟ ଏବଂ ତାଲୁକା ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକର୍ଦ୍ଦମା ଯଥା ଫୌଜଦାରୀ(ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତ ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍‌ ଦେୟ ଜନିତ ବିବାଦ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ(ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକର୍ଦ୍ଦମା ଇତ୍ୟାଦିର ଅପୋଷ ସହମତିରେ ସମାଧାନ କରାଯାଇ ପାରିବ । କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ, ପ୍ରାକ୍‌-ମୋକଦ୍ଦମା ସ୍ତରୀୟ(କଚେରୀରେ ଦାୟର ହୋଇନଥିବା) ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍‌ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ଭରପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେ ୱାନୀ ମକର୍ଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ।

ଲୋକ ଅଦାଲତରେ ମୋକଦ୍ଦମା/ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ । ଯଦି କୌଣସି ବିଚାରାଧିନ ମୋକଦ୍ଦମା / ବିବାଦର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଦୀର୍ଘ ଦିନ ଧରି ଚାଲୁରହିଥିବା ମୋକଦ୍ଦମା ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦା କିମ୍ବା ତାଲୁକ ଅଦାଲତ ସେବା ସମିତିଙ୍କ ସହ ତୁରନ୍ତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଅଛି ।

Get real time updates directly on you device, subscribe now.