fbpx

ଟି-୨୦ରେ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନରେ ବିପଦରେ ଏହି ସ୍ପିନରଙ୍କ ସ୍ଥାନ, ଚହଲଙ୍କ ଉପରେ ମଧ୍ୟ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ତିନି ମାସରୁ କମ ସମୟ ବାକି ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନଜର ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କ ଚୟନ ଉପରେ ରହିଛି। ବିଶ୍ଵକପ୍ ଦଳ ଚୟନ ପାଇଁ ଆଇସିସି ଶେଷ ତାରିଖ ସେପ୍ଟେମ୍ବର ୧୫ ନିର୍ଦ୍ଧାରଣ କରିଛି। ଏମିତିରେ ରୋହିତ ଶର୍ମାଙ୍କ ନିକଟରେ ଗୋଟିଏ ମାସ ସମୟ ରହିଛି। କ୍ରିକେଟ୍ ଗଳିରେ ଏହି ଚର୍ଚ୍ଚା ଚାଲିଛି ଯେ, ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପର ଦଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ହେଲେ ପ୍ରକୃତ ପେଞ୍ଚ ସ୍ପିନ ବିଭାଗରେ ଯାଇ ଫସିଛି।

ଏସିଆ କପ୍ ୟୁଏଇରେ ଖେଳାଯିବ। ଏଠାରେ ଭାରତ ତିନି ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ହେଲେ ଟି-୨୦ ବିଶ୍ଵ କପ୍ ଅଷ୍ଟ୍ରେଲିଆରେ ଆୟୋଜନ ହେବ, ଯେଉଁଠି ଦୁଇ ସ୍ପିନରଙ୍କୁ ଖେଳାଇବା ପାଇଁ ଦଳ ପଛଘୁଞ୍ଚା ଦିଅନ୍ତି। ତେଣୁ ଭାରତ ବିଶ୍ଵ କପ୍ ଦଳରେ କେତେ ଜଣ ସ୍ପିନରଙ୍କୁ ସାମିଲ୍ କରୁଛି ତାହା ଦେଖିବା ବାକି ରହିଲା।

ଟି-୨୦ ବିଶ୍ଵ କପ୍ ୨୦୨୧ ପରେ ଅଶ୍ଵିନ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ଦୁଇଟି ଟି-୨୦ ଖେଳିଥିଲେ। ଏହା ପରେ ଏହି ସ୍ପିନର ଛୋଟ ଫର୍ମାଟର ଖେଳରୁ ଲଗାତାର ଦଳ ବାହାରେ ଥିଲେ। ମାତ୍ର ଅଚାନକ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଚହଲଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା କୁଲଦୀପ ଏବଂ ଅକ୍ଷରଙ୍କ ଉପରେ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇଛନ୍ତି। ବିଷ୍ନୋଇଙ୍କୁ ପ୍ରଥମ ମୁକାବିଲାରେ ସ୍ଥାନ ମିଳିଥିଲା। ହେଲେ ଦ୍ଵିତୀୟ ମୁକାବିଲାରେ ସୁଯୋଗ ମିଳି ନାହିଁ। ଅଶ୍ଵିନ ଇଣ୍ଡିଜ ବିପକ୍ଷରେ ଏ ପର‌୍ୟ୍ୟନ୍ତ ତିନି ଟି ୨୦ରେ ଦମଦାର ଇକୋନୋମି ସହ ୩ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନରେ କୁଲଦୀପ ଯାଦବ, ଅକ୍ଷର ପଟେଲ୍ ଏବଂ ରବି ବିଷ୍ନୋଇଙ୍କ ପରି ସ୍ପିନର ଟି-୨୦ ବିଶ୍ଵ କପ୍ ଦଳରୁ ବାଦ୍ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

ଟି-୨୦ ବିଶ୍ଵ କପ୍ ୨୦୨୧ରେ ଚହଲଙ୍କ ନାମ କଟିଥିଲା। ତାଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ସୁଯୋଗ ମିଳିଥିଲା। ଚଳିତ ବର୍ଷ ମଧ୍ୟ ଚହଲଙ୍କ ଉପରେ ଖଣ୍ଡା ଝୁଲୁଛି। କାରଣ ଅଶ୍ଵିନ ବୋଲିଂ ସହିତ ବ୍ୟାଟିଂ କରିବାର ଦମ ରଖିଛନ୍ତି। ଏହି କାରଣରୁ ବିଶ୍ଵ କପ୍ ଦଳ ପାଇଁ ଅଶ୍ଵିନ ଚହଲଙ୍କଠୁ ଗୋଟିଏ ପାଦ ଆଗରେ ଥିବା କୁହାଯାଉଛି।

ଅଷ୍ଟ୍ରେଲିଆରେ ଦୁଇ ବୋଲର କଙ୍ଗାରୁ ଘରେ ଅଧିକ ମ୍ୟାଚ୍ ଖେଳି ନାହାନ୍ତି। ଅଶ୍ଵିନ ୫ଟି ମ୍ୟାଚରେ ୭.୪୦ ଇକୋନୋମିରେ ରନ ଦେଇଥିବା ବେଳେ ଚହଲଙ୍କ ଇକୋନୋମି ରହିଛି ୯.୭୫। ଏସିଆ କପ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ତେଣୁ ରୋହିତ ଶର୍ମା ୟୁଏଇ ମାଟିରେ ହିଁ ଏହା ସ୍ଥିର କରିବେ ଯେ, ବିଶ୍ଵ କପ୍ ପାଇଁ କେଉଁ ସ୍ପିନରଙ୍କୁ ଦଳରେ ନିଆଯିବ।

 

Get real time updates directly on you device, subscribe now.