କ୍ୟାମ୍ପସ ରାଜନୀତିର ଝଡ଼: ଛାତ୍ରଙ୍କ ନିର୍ବାଚନରେ ରାଜନୈତିକ ଦଳ ଟଣାଓଟରା କାହିଁକି?

୮ ବର୍ଷ ପରେ ଫେରିଛି ଛାତ୍ର ସଂସଦ ନିର୍ବାଚନ। ଯୁବ ଭୋଟରଙ୍କ ମନୋଭାବ ବୁଝିବା ସହ କ୍ୟାମ୍ପସ୍‌ରେ ନିଜ ପ୍ରଭାବ ବଢ଼ାଇବାକୁ ଦଳଗୁଡ଼ିକର ଉଦ୍ୟମ।

ଭୁବନେଶ୍ୱର: ଦୀର୍ଘ ଆଠ ବର୍ଷର ଅପେକ୍ଷା ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଉତ୍ସାହ ଫେରିଛି। ଛତ୍ରମାନଙ୍କର କୌତୁହଳ, ଉତ୍ତେଜନା ଓ ଖୁସିର ହୁଙ୍କାରରେ କମ୍ପୁଛି କ୍ୟାମ୍ପସ ପରିସର, ଯାହାର ଏକ ମାତ୍ର କାରଣ ହେଉଛି ‘ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ଏବେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ବରଂ ରାଜ୍ୟର ବଡ଼ ବଡ଼ ରାଜନୌତିକ ଦଳ ଗୁଡ଼ିକ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ଯାହା କେବଳ ଛାତ୍ର ସଂସଦ ନିର୍ବାଚନ ହେବା କଥା ତାହା ଏବେ ଏକ ପ୍ରତେକ୍ଷ ରାଜନୈତିକ ଯୁଦ୍ଧରେ ପରିଣତ ହୋଇଛି। ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ନିଜ ନିଜ ଛାତ୍ର ସଂଗଠନ ତଥା ଏବିଭିପି, ବିସିଜେଡି ଓ ଏନ୍‌ଏସ୍‌ୟୁଆଇକୁ ମଇଦାନକୁ ନିଜର ସମ୍ପୁର୍ଣ୍ଣ ଶକ୍ତି ସହ ଓହ୍ଲାଇଛନ୍ତି। ଏହାର କାରଣ ହେଉଛି ଏହି ନିର୍ବାଚନ ରାଜ୍ୟର ଜେନ୍‌-ଜି ବା ନୂଆ ଭୋଟରଙ୍କୁ ବୁଝିବା ଓ ଆକର୍ଷଣ କରିବାର ସବୁଠାରୁ ବଡ଼ ମାଧ୍ୟମ।

ତେବେ, କ୍ୟାମ୍ପସ ନିର୍ବାଚନ ଶେଷ ପଯ୍ୟାୟରେ ଥିବାରୁ କ୍ୟାମ୍ପସ ଗୁଡ଼ିକରେ ପ୍ରଚାର ଏବେ ଚରମ ସୀମାରେ ପହଁଞ୍ଚିଛି। କଲେଜ ପରିସରରେ ଏବେ ଖାଲି ଦଳୀୟ ବ୍ୟାନର, ପୋଷ୍ଟର, ଶୋଭାଯାତ୍ରା ଓ ଭୋଜିଭାତର ଶୋ-ଅଫ୍ ଦେଖିବାକୁ ମିଳୁଛି। ଭୋଟ ପାଇଁ ଗୁପ୍‌ଚୁପ୍‌, ଆଇସକ୍ରିମ ଏବଂ ବିରିୟାନୀର ଖୁବ୍ ବଣ୍ଟା ଚାଲିଛି। ଖାଲି ଏତିକି ନୁହେଁ ହଂସା ଓ ଗଣ୍ଡଗୋଳ କରିବାକୁ ମଧ୍ୟ ପଛାଉନାହାଁନ୍ତି। ଏହି ସଂଘର୍ଷ ଓ ଉତ୍ତେଜନା ଏତେ ଉଗ୍ର ହେଉଛି ଯେ, ଅନେକ ସ୍ଥାନରେ ଗୋଷ୍ଠି ସଂଘର୍ଷ, ହଙ୍ଗାମା ଓ ପୋଲିସ ସହ ନେତାଙ୍କ ମୁହାଁମୁହିଁ ହେବାର ଭିଡିଓ ମଧ୍ୟ ଭାରରାଲ ହେବାରେ ଲାଗିଛି। ନୟାଗଡ଼ରେ ପୋଲିସଙ୍କ ସହ ବିଜେଡି ନେତା ଅରୁଣ ସାହୁଙ୍କ ବାକଯୁଦ୍ଧ ହେଉ କି ବିଜେପି ନେତା ଅରିନ୍ଦମ ରାୟଙ୍କ ଶୋଭାଯାତ୍ରା। ତେବେ ଏହି ବିଧାୟକ ଓ ଶୀର୍ଷ ନେତୃତ୍ୱ ମାନଙ୍କର ଆଗକୁ ଆସି ନିଜେ କ୍ୟାମ୍ପସ ନିର୍ବାଚନର କମାଣ ସମ୍ଭାଳିବା ପ୍ରମାଣିତ କରୁଛି ଯେ ଏହି ନିର୍ବାଚନର ଫଳାଫଳ ସେମାନଙ୍କ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ।

ଏବେ ଏହି ନିର୍ବାଚନକୁ ନେଇ ଶାସକ ଦଳ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡି ଭିତରେ କାଦୁଅ ଫିଙ୍ଗାଫିଙ୍ଗି ବଢ଼ିଛି। ବିଜେଡି ଅଭିଯୋଗ କରୁଛି ଯେ ଶାସକ ଦଳ ନିଜର ପରାଜୟ ଭୟରେ ନିଜ ପାୱାର ଓ ପୋଲିସର ଦୂରୁପଯୋଗ କରି କେତେକ କଲେଜରେ ନିର୍ବାଚନ ବାତିଲ କରିବାର ଚକ୍ରାନ୍ତ କରୁଛି। ଅନ୍ୟପଟେ ବିଜେପି ଏହାର କଡ଼ା ଜବାବ ଦେବାକୁ ଯାଇ କହୁଛି ଯେ ୨୦୨୪ରେ କ୍ଷମତା ହାତରୁ ଗଲାପରେ ବିଜେଡି କ୍ୟାମ୍ପସରେ ନିଜର ସମର୍ଥନ ହରାଇ ସାରିଛି, ଏହାସହ ଆଜିର ଯୁବପିଢ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ ନୀତି ସହ ଅଛନ୍ତି। କାରଣ ୨୦୨୮ରୁ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ନିଜ ପ୍ରତିସ୍ରୁତି ଅନୁଯାୟୀ ପୁଣି ଆରମ୍ଭ କରି ବିଜେପି ଯୁବ ନେତାଙ୍କ ପାଇଁ ପଥ ପରିଷ୍କାର କରିଛି।

ଏହାସହ, ବତ୍ତମାନ ରାଜନୈତିକ ସମୀକ୍ଷକଙ୍କ ମତରେ, ଏହି କ୍ୟାମ୍ପସ ନିର୍ବାଚନ କେବଳ ଆଜିର ଛାତ୍ରଛାତ୍ରୀଙ୍କ ବିଜୟ-ପରାଜୟରେ ସୀମିତ ନୁହେଁ। କ୍ୟାମ୍ପସରେ ଜିତିବାର ଥିବା ଯୁବ ନେତା ମାନେ ଭବିଷ୍ୟତର ରାଜନୈତିକ ମାଇଲଖୁଣ୍ଟ, ସଂଗଠନ ଓ ଭୋଟ୍ ଆକର୍ଷଣ କରିବାର ମୁଖ୍ୟ ମାଧ୍ୟମ ହେବେ। ଯେଉଁ ଦଳ କ୍ୟାମ୍ପସରେ ନିଜର ପତାକା ଉଡ଼ାଇବ, ସେମାନଙ୍କ ସହିତ ନୂଆ ଯୁବପିଢ଼ି ରହିଥିବା ଦବୀ ମଜବୁତ ହେବ। ସେଥିପାଇଁ ଶାସକ ଓ ବିରୋଧୀ ଉଭୟ ପକ୍ଷ ମିଶି ନିଜର ଅସ୍ତିତ୍ୱ ଓ ଆଧିପତ୍ୟ ଜାହିର କରିବାକୁ ଏହି ଛାତ୍ର ସଂସଦ ନିର୍ବାଚନକୁ ମହାସଂଗ୍ରାମର ରୂପ ଦେଇଛନ୍ତି।