ବିଲ୍ଡିଂ ଭୁଶୁଡ଼ିବା ପୂର୍ବରୁ ଦିଏ ଏହିସବୁ ସଙ୍କେତ, କାନ୍ଥରେ ଫାଟ ଦେଖିଲେ ଅଣଦେଖା କରନ୍ତୁନି, ହୋଇଯାଏ ବିପଜ୍ଜନକ
ଭୁଶୁଡ଼ିବା ପୂର୍ବରୁ କେଉଁ କେଉଁ ସଙ୍କେତ ଦେଇଥାଏ କୋଠା? କାନ୍ଥରେ ଥିବା ଫାଟ କେବେ ବିପଜ୍ଜନକ ହୋଇଯାଏ?
ନୂଆଦିଲ୍ଲୀ: ଗୋଟେ ମୁହୂର୍ତ୍ତରେ ତାସ୍ର ଘର ପରି ଭୁଶୁଡ଼ି ପଡ଼ିଲା ପାଞ୍ଚ ମହଲା କୋଠା। ମାଟି ତଳେ ଚାପି ହୋଇଗଲା ଅନେକ ଲୋକଙ୍କ ସ୍ୱପ୍ନ ଓ ଜୀବନ। ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳର ଏହି ଘଟଣା ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛି ଗୋଟିଏ ବଡ଼ ପ୍ରଶ୍ନ, କୌଣସି ବିଲ୍ଡିଂ ଭୁଶୁଡ଼ିବା ପୂର୍ବରୁ କ’ଣ ଆମକୁ କିଛି ସଙ୍କେତ ଦିଏ?
ବିଶେଷଜ୍ଞଙ୍କ ଅନୁସାରେ, ଅନେକ ମାମଲାରେ ଢାଞ୍ଚାର ସମସ୍ୟା ହଠାତ୍ ଦେଖାଦିଏ ନାହିଁ। ଫାଟ, ଘର ଦବିବା, ପାଚେରୀ ଫୁଲିଯିବା, କବାଟ-ଝରକା ଅଟକିଯିବା, ସିଲନ ଭଳି ଲକ୍ଷଣ ଦେଖାଦେଇପାରେ। କିନ୍ତୁ ଏହି ଲକ୍ଷଣର ପ୍ରକୃତ କାରଣ ବୁଝିବା ପାଇଁ ଯୋଗ୍ୟ ଇଞ୍ଜିନିୟରଙ୍କ ଯାଞ୍ଚ ଆବଶ୍ୟକ।
କବାଟ-ଝରକା ହଠାତ୍ ଅଟକିଯାଉଛି କି: ଘରର କବାଟ କିମ୍ବା ଝରକାକୁ ହଠାତ୍ ଖୋଲିବା ଏବଂ ବନ୍ଦ କରିବାରେ ସମସ୍ୟା ହେଉଛି କି? ଫ୍ରେମ୍ ବାଙ୍କିଯାଉଛି କି? ଏହାକୁ ସାଧାରଣ ଘଟଣା ଭାବି ଅଣଦେଖା କରନ୍ତୁ ନାହିଁ।
କୋଠାର ଢାଞ୍ଚାରେ ଚଳନ କିମ୍ବା ଚାପ ପଡ଼ିଲେ କବାଟ ଓ ଝରକାର ଫ୍ରେମ୍ରେ ଏହାର ପ୍ରଭାବ ପଡ଼ିପାରେ। ଘରର କବାଟ-ଝରକାରେ ଏଭଳି ପରିବର୍ତ୍ତନକୁ ବିଲ୍ଡିଂ ଯାଞ୍ଚ ସମୟରେ ଧ୍ୟାନ ଦେବାକୁ କୁହାଯାଏ।
ଘର ଗୋଟିଏ ପଟକୁ ଢଳୁଛି କି: ଘରର ପାନ୍ଥ ସିଧା ନରହି ବାହାରକୁ ଫୁଲିଯିବା, ଦିଵାଲ ବା ଅନ୍ୟ ଅଂଶ ହଲିବା, ଘର ଗୋଟିଏ ପଟକୁ ଢଳିବା ଭଳି ଲକ୍ଷଣ ଦେଖାଦେଲେ ଏହା ଗୁରୁତର ଚେତାବନୀ ହୋଇପାରେ। ଢାଞ୍ଚାର ଅସ୍ଥିରତା ଥିଲେ ଏଭଳି ଲକ୍ଷଣ ଦେଖାଯାଇପାରେ।
ରାନ୍ଥରେ ଫାଟ କେବେ ହେବ ବିପଦ: ସବୁ ଫାଟ ବିପଜ୍ଜନକ ନୁହେଁ। କିଛି ଛୋଟ ଫାଟ ପ୍ଲାଷ୍ଟର ଶୁଖିବା କିମ୍ବା ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ହୋଇପାରେ। କିନ୍ତୁ ଫାଟ ନୂଆ ଭାବେ ଦେଖାଦେଉଛି, ଦିନକୁ ଦିନ ଚଉଡ଼ା କିମ୍ବା ଲମ୍ବା ହେଉଛି, କାନ୍ଥର ଦୁଇ ପାର୍ଶ୍ୱକୁ ଯାଉଛି କିମ୍ବା ବିମ୍ ଓ କଲମ୍ରେ ଦେଖାଯାଉଛି, ତେବେ ଏହାକୁ ଗୁରୁତ୍ୱ ଦେବା ଦରକାର। ନୂଆ ଫାଟର କାରଣ ସ୍ପଷ୍ଟ ନହେଲେ ବିଶେଷଜ୍ଞଙ୍କ ଯାଞ୍ଚ କରାଇବା ଉଚିତ।
୪୫ ଡିଗ୍ରୀର ଫାଟ ଦେଖିଲେ ସାବଧାନ: କବାଟ, ଝରକା କିମ୍ବା ଦିଵାଲର କୋଣରୁ ତିର୍ଯ୍ୟକ ଭାବେ ବାହାରୁଥିବା ଫାଟ ଢାଞ୍ଚାର ଚଳନ କିମ୍ବା ଚାପର ସଙ୍କେତ ହୋଇପାରେ। ବିଶେଷକରି ଏଭଳି ଫାଟ ସମୟ ସହ ବଢ଼ୁଥିଲେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ। ତେବେ କେବଳ ଫାଟର ଆକାର କିମ୍ବା କୋଣ ଦେଖି ଘର ଭୁଶୁଡ଼ିବ ବୋଲି ନିଷ୍କର୍ଷ କରିବା ଠିକ୍ ନୁହେଁ।
ଛାତରୁ ଅଜବ ଶବ୍ଦ ଆସୁଛି କି: ଛାତ କିମ୍ବା ଦିଵାଲରୁ ଲଗାତାର ଚଟ୍ଚଟ୍, କ୍ରାକିଂ କିମ୍ବା ଭାଙ୍ଗିବା ଭଳି ଶବ୍ଦ ଆସୁଛି, ଛାତ ତଳକୁ ଝୁଲିଯାଉଛି କିମ୍ବା ପ୍ଲାଷ୍ଟର ଖସୁଛି କି? ତେବେ ଏହାକୁ ଗୁରୁତର ଭାବେ ନିଅନ୍ତୁ। କିଛି ପରିସ୍ଥିତିରେ ଏଭଳି ଶବ୍ଦ ଓ ଛାତ ଝୁଲିବା ଢାଞ୍ଚା ଉପରେ ଅଧିକ ଚାପର ସଙ୍କେତ ହୋଇପାରେ।
ସିଲନ ଓ ପାଣି ଲିକ୍କୁ ହେଳା କରନ୍ତୁ ନାହିଁ: କାନ୍ଥରେ ଦୀର୍ଘ ସମୟ ଧରି ସିଲନ, ପାଣି ଦାଗ କିମ୍ବା ପାଣି ଲିକ୍ ରହିଲେ ଏହାର ମୂଳ କାରଣ ଖୋଜିବା ଜରୁରୀ। ପାଣି ଲିକ୍ ହେଉଥିବା ସ୍ଥାନରେ କାନ୍ଥ, ପ୍ଲାଷ୍ଟର ଓ ଅନ୍ୟ ନିର୍ମାଣ ଅଂଶ କ୍ଷତିଗ୍ରସ୍ତ ହୋଇପାରେ।
ଏହି କାରଣରୁ ସିଲନ ସହିତ ଫାଟ କିମ୍ବା ଅନ୍ୟ ଢାଞ୍ଚାଗତ ଲକ୍ଷଣ ଦେଖାଦେଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।
କଂକ୍ରିଟ୍ ଖସି ଲୁହା ରଡ୍ ଦେଖାଯାଉଛି କି: ବିମ୍ କିମ୍ବା କଲମ୍ର କଂକ୍ରିଟ୍ ଖସି ଭିତରର ଲୁହା ରଡ୍ ବାହାରକୁ ଦେଖାଯିବା ଏବଂ ସେଥିରେ ଜଙ୍ଗ ଲାଗିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ। ଏଭଳି ସ୍ଥିତିରେ ନିଜେ ମରାମତି କରିବା ପରିବର୍ତ୍ତେ ଯୋଗ୍ୟ ସିଭିଲ୍/ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ଯାଞ୍ଚ କରାଇବା ଉଚିତ।
ଏଭଳି ଲକ୍ଷଣ ଦେଖିଲେ କ’ଣ କରିବେ: ସବୁଠାରୁ ପ୍ରଥମେ ଆତଙ୍କିତ ନହୋଇ ଲକ୍ଷଣଗୁଡ଼ିକୁ ଗୁରୁତ୍ୱର ସହ ନିଅନ୍ତୁ। ଯଦି ଫାଟ ଦ୍ରୁତ ଗତିରେ ବଢ଼ୁଛି, ଦିଵାଲ ଢଳୁଛି, ଛାତ ଝୁଲୁଛି, ବଡ଼ ଅଂଶ ଖସୁଛି କିମ୍ବା ଘରର ଢାଞ୍ଚା ଅସ୍ଥିର ଲାଗୁଛି, ତେବେ ସୁରକ୍ଷିତ ଭାବେ ଘର ଖାଲି କରି ତୁରନ୍ତ ଯୋଗ୍ୟ ଇଞ୍ଜିନିୟର କିମ୍ବା ସ୍ଥାନୀୟ ବିଲ୍ଡିଂ କର୍ତ୍ତୃପକ୍ଷଙ୍କ ସହାୟତା ନିଅନ୍ତୁ।
ହଠାତ୍ ବଢ଼ୁଥିବା ବଡ଼ ଫାଟ, ଝୁଲୁଥିବା ଛାତ ଓ ଢଳୁଥିବା ଦିଵାଲକୁ ଜରୁରୀ ବିପଦର ଲକ୍ଷଣ ଭାବେ ନିଆଯାଇପାରେ। ମନେ ରଖନ୍ତୁ, ଫାଟ ଦେଖିଲେ ତାହାର ମାପ ନେଇ ନିଜେ ଘର ସୁରକ୍ଷିତ କି ନୁହେଁ ବୋଲି ନିଷ୍ପତ୍ତି ନେବା ଠିକ୍ ନୁହେଁ। ଫାଟର ସ୍ଥାନ, ଗତି, ଗଭୀରତା ଓ ଢାଞ୍ଚାର ଅନ୍ୟ ଲକ୍ଷଣକୁ ମିଶାଇ ଜଣେ ବିଶେଷଜ୍ଞ ହିଁ ଠିକ୍ ମୂଲ୍ୟାଙ୍କନ କରିପାରିବେ।

