Gold Reserves: ଭାରତର ଏହି ରାଜ୍ୟରେ ଅଛି ସବୁଠୁ ଅଧିକ ସୁନା, ମାଟି ତଳେ ଲୁଚି ରହିଛି ସୁନାର ଖଣି !
ଭାରତର ଏହି ରାଜ୍ୟରେ ମାଟି ତଳେ ଲୁଚି ରହିଛି ସୁନାର ଖଣି !
ନୂଆଦିଲ୍ଲୀ: ଭାରତକୁ ସୁନା ପକ୍ଷୀ ବୋଲି କୁହାଯାଏ। କାରଣ ଏହାର ମାଟି ତଳେ ବିପୁଳ ପରିମାଣର ସୁନାର ଭଣ୍ଡାର ରହିଛି। ଆଜି, ଆମେ ସର୍ବାଧିକ ସୁନା ଭଣ୍ଡାର ଥିବା ରାଜ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ରାଜ୍ୟଗୁଡ଼ିକ ଅନ୍ତର୍ଭୁକ୍ତ।
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁସାରେ, ବିହାର ତାଲିକାର ଶୀର୍ଷରେ ଅଛି। ବିହାରର ଜାମୁଇ ଜିଲ୍ଲାରେ ୨୨୨.୮ ନିୟୁତ ଟନ୍ ସୁନା ଭଣ୍ଡାର ଅଛି । ଯାହା ଏହାକୁ ଭାରତର ସବୁଠାରୁ ଧନୀ ସୁନା ଭଣ୍ଡାରରେ ପରିଣତ କରିଛି। ଯଦିଓ ଏଠାରେ ବାଣିଜ୍ୟିକ ଆକାରରେ ସୁନା ଖନନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ମାତ୍ର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଭଣ୍ଡାରଗୁଡ଼ିକ ଭବିଷ୍ୟତରେ ବିହାରକୁ ଭାରତର ସୁନା ଅର୍ଥନୀତିର କେନ୍ଦ୍ର ଭାବେ ପରିଚିତ କରାଇବ।
୧୨୫.୯ ନିୟୁତ ଟନ୍ ସୁନା ଭଣ୍ଡାର ସହିତ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ଅଛି। ବାଂସୱାଡ଼ା ଜିଲ୍ଲାର ଭୁକିଆ ଜଗପୁରା ସୁନା ବେଲ୍ଟ ହେଉଛି ରାଜ୍ୟର ସର୍ବବୃହତ ସୁନା ସମୃଦ୍ଧ ଅଞ୍ଚଳ, ଏଠାରେ ମଧ୍ୟ ଭରପୁର ସୁନା ଗଚ୍ଛିତ ହୋଇ ରହିଛି।
କର୍ଣ୍ଣାଟକ ଦଶନ୍ଧି ଧରି ଭାରତର ସୁନା ଉତ୍ପାଦନର ମେରୁଦଣ୍ଡ ହୋଇଆସିଛି। କୋଲାର ସୁନା କ୍ଷେତ୍ର ଏବଂ ହାଟି ସୁନା ଖଣିର ଘର, ଏହି ଦୁଇଟି ସ୍ଥାନରେ ପ୍ରାୟ ୧୦୩ ନିୟୁତ ଟନ୍ ସୁନା ଭଣ୍ଡାର ଅଛି। ଯଦିଓ ଏଠାରେ ଥିବା କୋଲାର ଖଣି ବନ୍ଦ ହୋଇଯାଇଛି, ହାଟି ଖଣି ଠାରେ ଯଥେଷ୍ଟ ପରିମାଣର ସୁନା ଉତ୍ପାଦନ କରାଯାଉଛି।
୧୫ ନିୟୁତ ଟନ୍ ସୁନା ଭଣ୍ଡାର ସହିତ ଆନ୍ଧ୍ର ପ୍ରଦେଶ ଚତୁର୍ଥ ସ୍ଥାନରେ ରହିଛି। ଅନନ୍ତପୁର ଏବଂ ଚିତ୍ତୁର ଜିଲ୍ଲାରେ ସୁନା ଭଣ୍ଡାର ଥିବା କୁହାଯାଉଛି।
୧୩ ନିୟୁତ ଟନ୍ ସୁନା ଭଣ୍ଡାର ସହିତ ଉତ୍ତର ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି। ୟୁପିରେ ଥିବା ସୋନଭଦ୍ର ଜିଲ୍ଲାରେ ଏହି ଖଣି ରହିଛି।
ଏହାଛଡା ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ମଧ୍ୟ ଯଥେଷ୍ଟ ସୁନା ଭଣ୍ଡାର ଅଛି। ମହାରାଷ୍ଟ୍ରରେ ପ୍ରାୟ ୧.୬ ନିୟୁତ ଟନ୍ ସୁନା ଭଣ୍ଡାର ଅଛି।
