fbpx

ଏହି ଗ୍ରାମରେ ୧୫୦ ବର୍ଷରୁ ପାଳନ ହେଉନି ହୋଲି: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଏବଂ ଉତ୍ସାହ ଭରି ରହିଛି । ତେଣୁ ଏବେଠୁ ହୋଲିର ଶୁଭେଚ୍ଛା ଫେସବୁକ, ହ୍ୱାଟ୍ସଆପ କିମ୍ବା ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ କରୁଥିବେ । ଦେଶର କୋଣ ଅନୁକୋଣ ଏବେ ଅନେକ ରଙ୍ଗରେ ରଙ୍ଗେଇ ହୋଇଯିବ । କିନ୍ତୁ ଦୁଇଟି ଗ୍ରାମରେ ଦେଖିବାକୁ ମିଳେ ଏହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ରପଟ । ହୋଲି ଭଳି ରଙ୍ଗୀନ ଦିନରେ ମଧ୍ୟ ବେରଙ୍ଗ ରହିଥାଏ ଏହି ଦୁଇଟି ଗାଁ । କାହିଁ କେତେ ବର୍ଷରୁ ଏଠାରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କେରବା ଜିଲ୍ଲାର ଏହି ଦୁଇଟି ଗ୍ରାମ ବିଷୟରେ ହୁଏତ କେହି ଜାଣି ନଥିବେ । ହୋଲିର ରଙ୍ଗୀନ ପର୍ବକୁ ଏଠାକାର ଗ୍ରାମବାସୀମାନେ ବେରଙ୍ଗୀ ଭାବରେ ପାଳନ କରିଥାନ୍ତି । ଏହି ଦିନ ଉଭୟ ଗ୍ରାମରେ ରଙ୍ଗର ବ୍ୟବହାର କରାଯାଏ ନାହିଁ । ତେବେ ପ୍ରଥମ ଗ୍ରାମଟି ହେଉଛି ମା ମଡବାରାଣୀଙ୍କ ପ୍ରାକଟ୍ୟ ପାହାଡ ତଳେ ଅବସ୍ଥିତ ଖରହରୀ । ଏଠାରେ ପ୍ରାୟତଃ ୧୫୦-୧୬୦ ବର୍ଷରୁ ହୋଲି ପର୍ବ ପାଳନ କରାଯାଇନାହିଁ । ଗ୍ରାମର ବୟଜ୍ୟେଷ୍ଠ ଲୋକମାନଙ୍କ କହିବା ଅନୁସାରେ, ଅନେକ ବର୍ଷ ତଳେ ଏଠାରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ଗ୍ରାମର ସ୍ଥିତି ଖରାପ ହୋଇଯାଇଥିଲା ଏବଂ ସାରା ଗ୍ରାମରେ ମହାମାରୀ ବ୍ୟାପି ଯାଇଥିଲା । ଏହାପରେ ଦିନେ ଗ୍ରାମର ହାକିମଙ୍କ ସ୍ୱପ୍ନରେ ଦେବୀ ମଡବାରାଣୀ ଆସି ଏହି ମହାବିପତ୍ତିରୁ ମୁକ୍ତି ପାଇବାର ଉପାୟ କହିଥିଲେ । ସେ କହିଥିଲେ ଯେ, ଯଦି ଏହି ଗ୍ରାମରେ କେବେ ହୋଲି ପାଳନ କରା ନଯାଏ, ତେବେ ଏହି ବିପତ୍ତିରୁ ମୁକ୍ତି ମିଳିପାରିବ । ସେହି ଦିନଠୁ ଏହି ଗ୍ରାମରେ ହୋଲି ପର୍ବ ପାଳନ ନ ହେବାର ପ୍ରଥା ରହି ଆସିଛି ।

ସେହିପରି ଅନ୍ୟ ଏକ ଗ୍ରାମ ହେଉଛି ଧମନାଗୁଡି । ଏଠାରେ ମଧ୍ୟ ପ୍ରାୟ ୧୫୦ ବର୍ଷରୁ ହୋଲି ପର୍ବ ପାଳନ କରାଯାଇ ନାହିଁ । ହୋଲି କେଳିବା ଦ୍ୱାରା ଗ୍ରାମର ଦେବାଦେବୀ ନାରାଜ ହୋଇଯାଆନ୍ତି ବୋଲି ମାନ୍ୟତା ରହିଛି । ଅନେକ ବର୍ଷ ତଳେ ଯେବେ ଗ୍ରାମର ପରୁଷମାନେ ହୋଲି ପର୍ବ ପାଳନ କରୁଥିଲେ ସେହି ସମୟରେ ଖୁବ ଗାଳି ଗୁଲଜ କରିଥିଲେ । ତେବେ ଏହା ଦେଖି ଗ୍ରାମଦେବୀ ଡଙ୍ଗନହୀନ ମାତା ମହିଳାଙ୍କ ଦେହରେ ପ୍ରବେଶ କରି ବାଉଁଶରେ ସମସ୍ତଙ୍କୁ ମାଡ ମାରିଥିଲେ । ତେବେ ପୁରୁଷମାନେ କ୍ଷମା ପ୍ରାର୍ଥନା କରିବାରୁ ଗ୍ରାମଦେବୀ ଭବିଷ୍ୟତରେ ହୋଲି ପାଳନ ନ କରିବା ପାଇଁ ସର୍ତ୍ତ ରଖି ସେମାନଙ୍କୁ କ୍ଷମା ଦେଇଥିଲା । ସେହି ବର୍ଷ ଶେଷ ଥର ପାଇଁ ଏହି ଗ୍ରାମରେ ହୋଲି ପର୍ବ ପାଳନ ହୋଇଥିଲା ।

Get real time updates directly on you device, subscribe now.