fbpx

୫ ବର୍ଷରେ ବାଲ୍ୟବିବାହ ମୁକ୍ତ ପାଲଟିଲା ଓଡ଼ିଶାର ଏହି ଗାଁ: UNICEF ଯୋଗାଇ ଦେଉଛି ବୈଷୟିକ କୌଶଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର କୋଳରେ ନିଜର ମନୋରମ ଦୃଶ୍ୟ ପାଇଁ ପରିଚିତ ଦେବଗଡ ଜିଲ୍ଲା । ଏହି ଜିଲ୍ଲାରେ ପ୍ରବାହିତ ହିଞ୍ଜୁଳି ନଦୀ କୂଳରେ ଥିବା ଏକ ଗ୍ରାମ ଠିଆନାଳ ଆଜି ସମଗ୍ର ଦେଶରେ ପରିଚିତ । ଜିଲ୍ଲା ହେଡକ୍ୱାର୍ଟରରୁ ମାତ୍ର ୬୦ କିମି ଦୂରରେ ଅବସ୍ଥିତ ଏହି ଗ୍ରାମରେ ୭୦ ପରିବାର ନିବେଶ କରନ୍ତି । ସମସ୍ତଙ୍କ ଜୀବନ ଓ ଜୀବିକା କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଗ୍ରାମରେ ପ୍ରବେଠଶ କରିବା ପୂର୍ବରୁ ବାଲ୍ୟବିବାହ ମୁକ୍ତ ଗାଁ ପୋଷ୍ଟର ଆପଣ ଦେଖିପାରିବେ । ଏହା ଓଡ଼ିଶାର ଦ୍ୱିତୀୟ ବାଲ୍ୟ ବିବାହ ମୁକ୍ତ ଗାଁ ହୋଇଥିବା ବେଳେ ଜିଲ୍ଲାର ପ୍ରଥମ ବୋଲି ଜଣାପଡିଛି ।

ପ୍ରାୟ ୫ ବର୍ଷ ତଳେ କିନ୍ତୁ ଠିଆମାଳରେ ପରସ୍ଥିତି ଭିନ୍ନ ଥିଲା । ୨୦୧୫-୧୬ରେ ଦେବଗଡ ଜିଲ୍ଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରେ ୨୩.୪ ପ୍ରତିଶତ ବାଲ୍ୟବିବାହ ହେଉଥିବା ଜଣାପଡିଥିଲା । ଏହି ସମୟରେ ରାଜ୍ୟରେ ଏହି ହାର ୨୧.୩ ପ୍ରତିଶତ ରହିଥିଲା । ବର୍ତ୍ତମାନ ସମୟରେ ଏହି ଜିଲ୍ଲାର ୩୭୦ ପରିବାର ବର୍ତ୍ତମାନ ବାଲ୍ୟ ବିବାହ କବଜାରୁ ମୁକ୍ତ । ତେବେ ଏହି ସଂସ୍କାର ଆଣିବା ପଛରେ ଡକ୍ୟୁମେଣ୍ଟ ଭେରିଫିକେସନର ବଡ ଭୂମିକା ରହିଛି । ବିବାହ ପୂର୍ବରୁ ଗାଁ କମିଟି ନିକଟରେ ଉଭୟ ବର ଓ କନିଆଁଙ୍କ ବୟସର ଯାଞ୍ଚ କରାଯିବ । ପୂର୍ବରୁ ପ୍ରାୟ ବିବାହ କମ ବୟସରୁ ହେଉଥିବା ବେଳେ ବର୍ତ୍ତମାନ ଉପଯୁକ୍ତ ବୟସ ଛୁଇଁବା ପରେ ହିଁ ବିବାହ କରାଯାଉଛି ବୋଲି ଅଜିତ ପ୍ରଧାନ ନାମକ ଜଣେ ଗ୍ରାମବାସୀ କହିଛନ୍ତି ।

ତେବେ ଆଧାର କାର୍ଡ ନଥିଲେ ବୟସ ପ୍ରମାଣପତ୍ର ପାଇଁ ଅନ୍ୟ ଡକ୍ୟୁମେଣ୍ଟକୁ ମଧ୍ୟ ଗ୍ରହଣ କରାଯାଉଛି । ମାତ୍ର ବିନା ଡକ୍ୟୁମେଣ୍ଟରେ କୌଣସି ବିବାହ ହେଉନାହିଁ । ଏପରିକି ଫେବୃୟାରୀ ୨୦୨୦ରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ୟୁନିସେଫ ସହାୟତାରେ ଏକ ଡାଟାବେସ ମଧ୍ୟ ପ୍ରସ୍ତୁତ କରାଯାଇ ସମସ୍ତ ତଥ୍ୟ ସଂରକ୍ଷିତ ରଖାଯାଉଛି । ଏହା ସହିତ ଜିଲ୍ଲାର ଶିଶୁ ସୁରକ୍ଷା ଅଫିସର ମଧ୍ୟ ଏ ଦିଗରେ କାମ କରୁଛନ୍ତି । ଅକ୍ଟୋବର ୨୦୨୦ରେ ଏହି ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଥିଲା । ଏହି ମଡେଲ ଆମ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଜିଲ୍ଳା ଶିଶୁମଙ୍ଗଳ ଅଧିକାରୀ ରୋମିଓ ମହାପାତ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.