କବାଟ ନଖୋଲିବାରୁ ମନ୍ଦିର ଭିତରେ ଶୋଇଗଲା ଚୋର

ମନ୍ଦିର ଭିତରେ ଥିବା ସବୁ ସାମଗ୍ରୀକୁ ଗୋଟାଇଥିଲା । ତା’ପରେ ମନ୍ଦିର ଭିତରୁ ବାହାରିବା ପାଇଁ ଚେଷ୍ଟା କରିଥିଲା । ହେଲେ ବାହାରି ପାରିନଥିଲା

ଭୁବନେଶ୍ୱର: ଚୋରି କରିବା ପାଇଁ ମହାଦେବ ମନ୍ଦିରରେ ପଶିଲା । ହେଲେ ବାହାରି ପାରିଲା ନାହିଁ । କବାଟ ନଖୋଲିବାରୁ ମନ୍ଦିର ଭିତରେ ଶୋଇଗଲା ଚୋର । ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି ।

ବନ୍ତୋଳ ପଞ୍ଚାୟତ ଚାନ୍ଦପୁର ଗାଁରେ ବିଜେ କରୁଛନ୍ତି ବାବା ସ୍ୱପ୍ନେଶ୍ୱର ମହାଦେବ । ମଙ୍ଗଳବାର ୩ ଚୋର ଉକ୍ତ ମନ୍ଦିରରୁ ଚୋରି କରିବା ପାଇଁ ଯୋଜନା କରିଥିଲେ । ବିଳମ୍ବିତ ରାତିରେ ପୂରା ଗାଁ ଶୋଇ ଯାଇଥିଲା । ୩ ଯୁବକ ମନ୍ଦିର ବେଢ଼ାରେ ପହଞ୍ଚିଥିଲେ । ୨ ଜଣ ଯୁବକ ମନ୍ଦିର ବାହାରେ ରହିଥିବା ବେଳେ ଓ ଜଣେ କବାଟ ଠେଲି ଭିତରେ ପଶିଥିଲା ।

ମନ୍ଦିର ଭିତରେ ଥିବା ସବୁ ସାମଗ୍ରୀକୁ ଗୋଟାଇଥିଲା । ତା’ପରେ ମନ୍ଦିର ଭିତରୁ ବାହାରିବା ପାଇଁ ଚେଷ୍ଟା କରିଥିଲା । ହେଲେ ବାହାରି ପାରିନଥିଲା । ସେତେବେଳେ ମନ୍ଦିର କବାଟଟି ଜାମ ହୋଇଯାଇଥିଲା । ତେଣୁ ଖୋଲିନଥିଲା । ବହୁ ଟାଓଟରା କରିଥିଲେ ମଧ୍ୟ ଖୋଲିବାରେ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ବାହାରେ ଥିବା ଚୋରଙ୍କ ଦୁଇ ସାଥୀ ମଧ୍ୟ କବାଟକୁ ବାହାର ପାଶ୍ୱର୍ରୁ ଠେଲିଥିଲେ । ସେମ।।ନେ ମଧ୍ୟ ବିଫଳ ହୋଇଥିଲେ । ପରେ ସେମାନେ ପଳାଇ ଯାଇଥିଲେ । କବାଟ ନଖୋଲିବାରୁ ଚୋର ମନ୍ଦିର ଭିତରେ ଶୋଇ ଯାଇଥିଲା ।

ସବୁଦିନ ପରି ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ପାଇଁ ଯାଇଥିଲେ । ସେତେବେଳେ ମନ୍ଦିର ଭିତରେ ଚୋର ଶୋଇଥିବା ଦେଖି ପୂଜକ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ଯୁବକଙ୍କୁ କାବୁ କରିଥିଲେ । ହେଲେ ଯୁବକ ନିଜ ନାଁ ଓ ଠିକଣା କହିନଥିଲା । ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଭଳି ଅଭିନୟ କରିଥିଲା । ପୋଲିସ ଯୁବକକୁ ଗାଁ ଲୋକଙ୍କ କବଳରୁ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଯୁବକ ଜଣକ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛି । ମେଡିକାଲରୁ ଚୋର ଚମ୍ପଟ ମାରିବା ପରେ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାରୁ ପ୍ରକାଶ, ଦୁଇ ମାସ ତଳେ ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା । ଦୁର୍ବୃତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି କରିନେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଚୋରଙ୍କୁ ଧରିବାରେ ସଫଳ ହୋଇନାହିଁ । ଏବେ ପୁଣି ଥରେ ଚୋରି ହୋଇଥିବାରୁ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି ।