ଗ୍ରିଲ୍‌ କାଟି ଘରେ ପଶିଲେ, ଫ୍ରିଜ୍‌ରୁ କେକ୍‌ ଖାଇଲେ… ବର୍ଥଡେ ଗିଫ୍ଟ ସହ ଲକ୍ଷାଧିକ ଟଙ୍କାର ଜିନିଷ ଧରି ଛୁ ଚୋର

ଝରକାର ଗ୍ରିଲ୍‌ କାଟି ପଶିଲେ ୩ ଦୁର୍ବୃତ୍ତ। ପ୍ରଥମେ ଫ୍ରିଜ୍‌ରୁ ଜନ୍ମଦିନ କେକ୍‌ ଖାଇଲେ, ପରେ ଘରେ କଳାକନା ବୁଲାଇଲେ ଚୋର। CCTVରେ କଏଦ ହେଲା ପୁରା ଘଟଣା।

ପଶ୍ଚିମବଙ୍ଗ: ଘରେ କେହି ନଥିଲେ। ଚାରିଆଡ଼େ ନିରବତା। ହଠାତ୍ ଝରକାର ଗ୍ରିଲ୍ କାଟି ଘର ଭିତରକୁ ପଶିଲେ ତିନି ଜଣ ଦୁର୍ବୃତ୍ତ। ହାତରେ ଥିଲା ଲୁଟ୍‌ପାଟ୍‌ର ଯୋଜନା। ହେଲେ ଘରେ ପଶିବା ପରେ ସେମାନଙ୍କ ପ୍ରଥମ ନଜର ପଡ଼ିଲା ଫ୍ରିଜ୍‌ ଉପରେ।

ଫ୍ରିଜ୍‌ ଖୋଲିଲେ, ଭିତରେ ଥିବା ଜନ୍ମଦିନ କେକ୍‌ ବାହାର କଲେ ଆଉ ମନଭରି ଖାଇଲେ। ଏତିକିରେ ସରିଲାନି ସେମାନଙ୍କ କାରନାମା। ଘର ମନ୍ଦିରରେ ଥିବା ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ସୁନା ବୋଲି ସନ୍ଦେହ କରି ଘଷି ଘଷି ପରୀକ୍ଷା କଲେ।

ଏହାପରେ ଘରର ପ୍ରତିଟି ରୁମରେ ଖୋଜି ଖୋଜି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଧରି ଚମ୍ପଟ ମାରିଲେ। ଚୋରିର ଏଭଳି ଅଜବ ଘଟଣା ଘଟିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ। ଆଉ ଏହି ସବୁ କାରନାମା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

୪୦ ମିନିଟରେ ଘର ଖାଲି: ସୂଚନା ଅନୁସାରେ, ନରେନ୍ଦ୍ରପୁର ଥାନା ଅଧୀନ ଗରିଆର ଫରତାବାଦ ଅଞ୍ଚଳର ବାସିନ୍ଦା ପୃଥ୍ୱୀରାଜଙ୍କ ଘରେ ଏହି ଚୋରି ହୋଇଛି। ଘଟଣାଟି ରାତି ପ୍ରାୟ ୮ଟାରୁ ୮ଟା ୪୦ ମିନିଟ୍‌ ମଧ୍ୟରେ ଘଟିଥିବା ଜଣାପଡ଼ିଛି।

ସେହି ସମୟରେ ପୃଥ୍ୱୀରାଜ ନିଜ ପରିବାର ସହ ଘର ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ତିନି ଜଣ ଚୋର ଝରକାର ଗ୍ରିଲ୍‌ କାଟି ଘର ଭିତରକୁ ପଶିଥିଲେ।

ପରିବାର ଲୋକେ ଘରକୁ ଫେରିବା ପରେ ମେନ୍ ଡୋର୍ ଖୋଲା ଥିବା ଦେଖି ସନ୍ଦେହ କରିଥିଲେ। ଭିତରକୁ ଯାଇ ଦେଖିବା ବେଳକୁ ଘରର ଜିନିଷପତ୍ର ଏପଟସେପଟ ହୋଇ ପଡ଼ିଥିଲା।

ମନ୍ଦିରରେ ଥିବା ରାଧାକୃଷ୍ଣଙ୍କ ମୂର୍ତ୍ତିର ବସ୍ତ୍ର ଚିରି ତଳେ ପଡ଼ିଥିଲା। ଫ୍ରିଜ୍‌ ଖୋଲା ଥିବା ବେଳେ ଭିତରେ ରଖାଯାଇଥିବା ପତ୍ନୀଙ୍କ ଜନ୍ମଦିନ କେକ୍‌ର ଅଧା ଖିଆ ହୋଇଥିଲା। ଏସବୁ ଦେଖି ଘରେ ଚୋରି ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।

ପ୍ରଥମେ କେକ୍ ଖାଇଲେ, ପରେ କଳାକନା ବୁଲାଇଲେ: ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଚୋରଙ୍କ ଅଜବ କାରନାମା ସାମ୍ନାକୁ ଆସିଥିଲା। ଘରେ ପଶିବା ପରେ ସେମାନେ ସିଧା ଫ୍ରିଜ୍‌ ନିକଟକୁ ଯାଇଥିଲେ।

ସେଠାରୁ କେକ୍‌ ବାହାର କରି ଖାଇବା ପରେ ଘରର ବିଭିନ୍ନ ରୁମ୍ ଖୋଜିଥିଲେ। ଆଲମାରି ଖୋଲି ନଗଦ ଟଙ୍କା, ମୂଲ୍ୟବାନ ରତ୍ନ, ବିଦେଶୀ ଡଲାର ଏବଂ ଜନ୍ମଦିନରେ ପତ୍ନୀଙ୍କୁ ମିଳିଥିବା ଦାମୀ ଉପହାର ଲୁଟି ନେଇଥିଲେ।

ଏହି ସବୁ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି। ତାଙ୍କ ଅନୁସାରେ, ଚୋରମାନେ ୫ ଲକ୍ଷ ଟଙ୍କାରୁ ଅଧିକ ନଗଦ ଓ ମୂଲ୍ୟବାନ ସାମଗ୍ରୀ ନେଇଯାଇଛନ୍ତି।

ସୁନା ଭାବି ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଘଷିଲେ: ଚୋରମାନଙ୍କ ଆଉ ଏକ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘର ମନ୍ଦିରରେ ଥିବା ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଦେଖି ଏହା ସୁନାର ହୋଇଥାଇପାରେ ବୋଲି ସେମାନଙ୍କ ସନ୍ଦେହ ହୋଇଥିଲା।

ତେଣୁ ମୂର୍ତ୍ତିରେ ଥିବା ବସ୍ତ୍ରକୁ ଚିରି ତାହାକୁ ତଳେ ଘଷି ଘଷି ପରୀକ୍ଷା କରିଥିଲେ। ଏପରିକି ଘରେ ଲାଗିଥିବା ସିସିଟିଭି କ୍ୟାମେରାର ରେକର୍ଡିଂ ଯନ୍ତ୍ର ବା ଡିଭିଆର୍‌ ଖୋଜିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ତାହା ସେମାନଙ୍କ ହାତରେ ଲାଗିନଥିଲା। ଫଳରେ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇ ରହିଯାଇଥିଲା।

ପୋଲିସର ତଦନ୍ତ ଆରମ୍ଭ: ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ନରେନ୍ଦ୍ରପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ତିନି ଜଣ ଦୁର୍ବୃତ୍ତଙ୍କ ପରିଚୟ ଏବଂ ସେମାନଙ୍କ ଗତିବିଧି ଜାଣିବାକୁ ଉଦ୍ୟମ ଚାଲିଛି।

ମାତ୍ର ୪୦ ମିନିଟ୍‌ ଭିତରେ ଘରେ ପଶି କେକ୍‌ ଖାଇବାଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିବା ପର୍ଯ୍ୟନ୍ତ ସମସ୍ତ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।