fbpx

ତାଲିବାନ୍ ଡରରେ ପ୍ରତି ସପ୍ତାହରେ ଆଫଗାନିସ୍ତାନରୁ ପଳାୟନ କରୁଛନ୍ତି ୩୦ହଜାର ଲୋକ

ନୂଆଦିଲ୍ଲୀ: ଆମେରିକୀ ସେନା ପ୍ରତ୍ୟାହାର ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନ ମାନଙ୍କର କବଜା ଆରମ୍ଭ ହୋଇଛି । ଆଫଗାନିସ୍ତାନର ଅନେକ ଜିଲ୍ଲାରେ ତାଲିବାନ ମାନେ ଅକ୍ତିୟାର୍ କରିଛନ୍ତି । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ତାଲିବାନ ୧୯୩ ଟି ଜିଲ୍ଲା ଏବଂ ୧୯ ଟି ସୀମାବର୍ତ୍ତୀ ଜିଲ୍ଲାକୁ ଦଖଲ କରିଛି। ତାଲିବାନ ଦ୍ୱାରା କରାଯାଇଥିବା ହିଂସାରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ତାଲିବାନର ଆତଙ୍କ ଏତେ ବଢ଼ିଗଲାଣି ଯେ, ଲୋକମାନେ ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ଯିବା ଆରମ୍ଭ କରିଛନ୍ତି। ପ୍ରତି ସପ୍ତାହରେ ପ୍ରାୟ ୩୦,୦୦୦ ଲୋକ ଆଫଗାନିସ୍ତାନରୁ ପଳାୟନ କରୁଛନ୍ତି। ବାଧ୍ୟ ହୋଇ ସେମାନେ ନିଜ ଘରଦ୍ୱାର ଛାଡ଼ି ଅନ୍ୟ ଦେଶରେ ଶିବିର କରି ରହୁଛନ୍ତି । କେତେକ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଯାଇ ଆଶ୍ରୟ ନେଉଛନ୍ତି । ବେଆଇନ ଉପାୟରେ ସୀମା ପାର ହେବା ପାଇଁ ଲୋକମାନେ ଚୋରା ଚାଲାଣକାରୀଙ୍କ ସାହାଯ୍ୟ ମଧ୍ୟ ନେଉଛନ୍ତି।

ମିଳିତ ଜାତିସଂଘ ଅନୁଯାୟୀ, ଚଳିତ ବର୍ଷ ଆଫଗାନିସ୍ତାନରୁ ପ୍ରାୟ ୩୩୦,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ, ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାର ହେତୁ ନିଜ ଘର ଛାଡ଼ି ପଳାଉଛନ୍ତି । କିଛି ଲୋକ ଶିବିର କରି ଏବଂ ଟେଣ୍ଟ କରି ରହୁଛନ୍ତି । ହଜାର ହଜାର ଲୋକ ନିଜ ସୁରକ୍ଷା ପାଇଁ ଦେଶ ଛାଡ଼ି ଯିବାକୁ ନିଜ ନିଜର ପାସପୋର୍ଟ ଓ ଭିଜା ତିଆରି କରିବାରେ ଲାଗିଛନ୍ତି । କିଛି ଲୋକ ଅବୈଧ ଉପାୟରେ ସୀମା ପାର୍ କରି ଚାଲିଯାଉଛନ୍ତି ।

ଅନ୍ୟପଟେ ଆଫଗାନିସ୍ତାନ ଛାଡ଼ି ଯାଉଥିବା ଲୋକମାନଙ୍କ ପାଇଁ ପଡୋଶୀ ଦେଶ ମାନେ ସୀମା ବନ୍ଦ କରିବାରେ ଲାଗିଛନ୍ତି । କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସୀମାରେ ଅବୈଧ ପ୍ରବେଶକୁ ରୋକିବାକୁ ପଡ଼ୋଶୀ ଦେଶ ମାନେ ପ୍ରୟାସ କରୁଛନ୍ତି । ଆଫଗାନିସ୍ତାନରେ ଏପ୍ରିଲ୍ ୧୪ ତାରିଖରୁ ପାଖାପାଖି ୪୦୦୦ ଏନଡିଏସଏଫ୍ ଙ୍କର ମୃତ୍ୟୁ ଘଟିଛି । ୭ହଜାରରୁ ଅଧିକ ଆହତ ହୋଇଛନ୍ତି ଓ ୧୬୦୦ରୁ ଅଧିକ ତାଲିବାନ୍ ଦ୍ୱାରା କବଜାରେ ରହିଛନ୍ତି । ହିଂସାରେ ୨୦୦୦ରୁ ଅଧିକ ମହିଳା ଓ ପିଲା ପ୍ରାଣ ହରାଇଛନ୍ତି ଏବଂ ୨ହଜାର ୨୦୦ଜଣ ଆହତ ହୋଇଛନ୍ତି ।

Get real time updates directly on you device, subscribe now.