ଦିନେ ଋଷି କପୁରଙ୍କୁ ଟଙ୍କା ଅଫର କରିଥିଲା ମାଫିଆ ଦାଉଦ !

ବଲିଉଡର ଜଣେ ଜଣାଶୁଣା ଅଭିନେତା ଦିନେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, ଅଭିନେତାଜଣଙ୍କର ଖରାପ ସମୟ ଚାଲିଥିବା ବେଳେ ଏହି ମାଫିଆ ଡନ୍ ତାଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ମଧ୍ୟ ଅଫର ଦେଇଥିଲା।

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ଅଭିନେତା ଦିନେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ଖୁବ ନିକଟରୁ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, ଅଭିନେତାଜଣଙ୍କର ଖରାପ ସମୟ ଚାଲିଥିବା ବେଳେ ଏହି ମାଫିଆ ଡନ୍ ତାଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ମଧ୍ୟ ଅଫର ଦେଇଥିଲା। ଆସନ୍ତୁ ଜାଣିବା ସେହି ଅଭିନେତାଜଣକ କିଏ।

ବର୍ଷ ବର୍ଷ ଧରି ବଲିଉଡର ଅନେକ କଳାକାର ଦାଉଦ୍ ଇବ୍ରାହିମ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସ୍ୱର୍ଗତ ଅଭିନେତା ଋଷି କପୁର। ନିଜର ଆତ୍ମଜୀବନୀ ‘ଖୁଲ୍ଲମ୍ ଖୁଲ୍ଲା’ (Khullam Khulla) ରେ ଋଷି କପୁର ଦାଉଦ୍ ସହ ତାଙ୍କର ସାକ୍ଷାତକାର ବିଷୟରେ ବଡ଼ ଖୁଲାସା କରିଥିଲେ। ସେ ଲେଖିଥିଲେ ଯେ ସେ ଏହି ସାକ୍ଷାତକୁ ଲୁଚାଇବାକୁ ଚାହିଁନଥିଲେ, କାରଣ ଏହି ସବୁ ଦେଖାସାକ୍ଷାତ ୧୯୯୩ ମସିହା ମୁମ୍ବାଇ ସିରିଏଲ ବ୍ଲାଷ୍ଟ (ବୋମା ବିସ୍ଫୋରଣ) ପୂର୍ବରୁ ହୋଇଥିଲା।

Uttarakhand Govt.

ଆଶ୍ଚର୍ଯ୍ୟର କଥା ହେଉଛି, ସେମାନଙ୍କ ସାକ୍ଷାତ ସମୟରେ ଦାଉଦ୍ ଇବ୍ରାହିମ ଋଷି କପୁରଙ୍କୁ ଟଙ୍କା ପଇସାର ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲା। ବହିରେ ଋଷି କପୁର ଉଲ୍ଲେଖ କରିଛନ୍ତି ଯେ ଦାଉଦ୍ ତାଙ୍କୁ କହିଥିଲା, “ଯଦି ଆପଣଙ୍କର କୌଣସି ଜିନିଷର ଆବଶ୍ୟକତା ଥାଏ, ଟଙ୍କା ପଇସା କିମ୍ବା ଅନ୍ୟ କିଛି, ତେବେ ମତେ ବିନା ସଂକୋଚରେ ମାଗିପାରିବେ।” ହେଲେ ଅଭିନେତାଜଣକ ଅତି ଭଦ୍ରତାର ସହ ଦାଉଦ୍‌ର ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

୧୯୮୦ ଦଶକର ଶେଷ ଭାଗରେ ଦୁବାଇରେ କିଛି ଅପ୍ରତ୍ୟାଶିତ ସାକ୍ଷାତକାର ମାଧ୍ୟମରେ ଅଭିନେତା ଋଷି କପୁର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସଂସ୍ପର୍ଶରେ ଆସିଥିଲେ। ସେହି ସମୟର ଏକ ସାକ୍ଷାତକୁ ମନେ ପକାଇ ସେ ନିଜ ବହିରେ ଲେଖିଛନ୍ତି, “ଆମକୁ ଏକ ଚମକୁଥିବା ରୋଲ୍ସ ରଏସ୍ (Rolls-Royce) ଗାଡ଼ିରେ ବସାଇ ଗୋଲ୍ ଗୋଲ୍ କରି ବୁଲାଇ ନିଆଯାଇଥିଲା, ଯେମିତି କି ଆମେ ସେହି ରାସ୍ତା ଚିହ୍ନି ନପାରୁ।” ସେ ଆହୁରି ମଧ୍ୟ ଲେଖିଛନ୍ତି, “ସେ ଆମକୁ ଚା’ ଏବଂ ବିସ୍କୁଟ୍ ଖାଇବାକୁ ଦେଇଥିଲା। ସେ ନିଜେ ମଦ ପିଉନଥିଲା କି ଆମକୁ ମଧ୍ୟ ମଦ ଅଫର କରିନଥିଲା।”

୧୯୮୦ ଦଶକର ଶେଷ ଆଡ଼କୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଦୁବାଇଠାରେ ଋଷି କପୁର ଦୁଇଟି ଅଲଗା ଅଲଗା ସମୟରେ ଦାଉଦ୍ ଇବ୍ରାହିମକୁ ଭେଟିଥିଲେ। ପ୍ରଥମ ସାକ୍ଷାତ ସମୟରେ ଋଷି କପୁର ଏକ ମ୍ୟୁଜିକାଲ୍ ଶୋ’ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସେ ନିଜ ପତ୍ନୀ ନୀତୁ କପୁରଙ୍କ ସହ କେଉଁଆଡ଼େ ବୁଲିବାକୁ ବାହାରିଥିବା ବେଳେ ଏକ ଲେବାନିଜ୍ ଜୋତା ଦୋକାନରେ ହଠାତ୍ ଦାଉଦ୍ ସହ ତାଙ୍କର ଦେଖା ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ବଲିଉଡର ଏହି କିମ୍ବଦନ୍ତୀ ଅଭିନେତା ଋଷି କପୁରଙ୍କର ୨୦୨୦ ମସିହା ଅପ୍ରେଲ ୩୦ ତାରିଖରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା।