fbpx

୪ ବର୍ଷର ଦରମା ବୋନସରେ ଦେଉଛି ଏହି କମ୍ପାନୀ; କର୍ମଚାରୀ ହେଲେ ମାଲାମାଲ

ନୂଆଦିଲ୍ଲୀ: ବିଶ୍ୱର ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବହୁତ ପରିଶ୍ରମ କରନ୍ତି ଏବଂ ନିଜ କାର୍ଯ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି । ଏଭଳି ସମୟରେ ଏକ ଜବରଦସ୍ତ ଖବର ସାମ୍ନାକୁ ଆସିଛି । ତେବେ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏକ ଜ୍ୟାକପଟ୍ ବାହାର କରିଛି । ଏହି କମ୍ପାନୀ ନିଜର ସମସ୍ତ କର୍ମଚାରୀଙ୍କୁ ମାଗଣାରେ ଚାରି ବର୍ଷର ଦରମା ଦେବାକୁ ନିଷ୍ପତ୍ତି ନେଇଛି । କାମ କରିବା ପୂର୍ବରୁ ଏଭଳି ବୋନସ ମିଳିବା କଥା ଶୁଣି କମ୍ପାନୀ କର୍ମଚାରୀମାନେ ବେଶ ଖୁସି ହୋଇଛନ୍ତି । ତେବେ କେଉଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ଆପଣ ମାନେ ତାହା ଜାଣିବାକୁ ନିଶ୍ଚିତ ଚାହୁଁଥିବେ ।

ତେବେ ଏହି କମ୍ପାନୀ ତାଇୱାନରେ ଅବସ୍ଥିତ । ମିଳିଥିବା ସୂଚନା ଅନୁଯାୟୀ, ଏଭରଗ୍ରୀନ୍ ମେରାଇନ୍ କର୍ପୋରେସନ୍ ନାମକ ଏହି କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏଭଳି ଏକ ଖୁସି ଖବର ଆଣିଦେଇଛି । ଏହି କମ୍ପାନୀ ଏହାର ପ୍ରତ୍ୟେକ କର୍ମଚାରୀଙ୍କୁ ୫୦ ମାସର ବେତନ ପ୍ରଦାନ କରିବାକୁ ଘୋଷଣା କରିଛି । ଏହାର କାରଣ ମଧ୍ୟ କମ୍ପାନୀ କହିଛି ।

କମ୍ପାନୀ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ କମ୍ପାନୀର ତାଇୱାନ ୟୁନିଟରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ବୋନସ ଗ୍ରହଣ କରିଛନ୍ତି । ଏହି ବୋନସ୍ କର୍ମଚାରୀମାନଙ୍କୁ ସେମାନଙ୍କର ଚାକିରିର ଗ୍ରେଡ୍ ଏବଂ କାର୍ଯ୍ୟ ଆଧାରରେ ଦିଆଯାଇଛି । ତେବେ କମ୍ପାନୀ ଗତ କିଛି ଧରି ବହୁତ ଲାଭ ପାଇଛି ଏବଂ ସେ ତାର କର୍ମଚାରୀମାନଙ୍କ ପାଇଁ ଏଭଳି ବଡ଼ ଘୋଷଣା କରିଛି ।

ତେବେ ଏହା ସହ ଜଡିତ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ସାଂଘାଇରେ ଥିବା କମ୍ପାନୀର ୟୁନିଟ୍ ଏହାର କର୍ମଚାରୀଙ୍କ ସହ ଭେଦଭାବ କରିଛି କାରଣ ସେଠାରେ ଥିବା କର୍ମଚାରୀମାନେ ଏପରି ବୋନସ୍ ପାଇପାରିବେ ନାହିଁ । ବିଶେଷଜ୍ଞମାନେ ଏହି କମ୍ପାନୀର ନିଷ୍ପତ୍ତିକୁ ଅନେକ ଦିଗରୁ ଦେଖୁଛନ୍ତି । ବର୍ତ୍ତମାନ ଏହି ନିଷ୍ପତ୍ତିରୁ କର୍ମଚାରୀମାନେ ବହୁ ଉପକୃତ ହୋଇଛନ୍ତି ।

ତେବେ ଏହା ଏକ ଶିପିଂ କମ୍ପାନୀ ବୋଲି ଜଣା ପଡ଼ିଛି । ଏବଂ ଗତ କିଛି ବର୍ଷ ମଧ୍ୟରେ ଏହା ଭଲ ଭାବେ ଲାଭ କମାଇବାରେ ଲାଗିଛି । ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଆରମ୍ଭରେ ଏହି କମ୍ପାନୀର ଏକ ଜାହାଜ ସୁଇଜ୍ କେନାଲରେ ଅଟକି ଯାଇଥିବା ବେଳେ ଏହି କମ୍ପାନୀ ସାରା ବିଶ୍ୱରେ ଆଲୋଚନା ହୋଇଥିଲା । ଯଦିଓ ପରେ ଏହି ମାମଲାକୁ ଭଲ ଭାବରେ ପରିଚାଳନା କରାଯାଇଥିଲା ।

Get real time updates directly on you device, subscribe now.