ଅବିବାହିତ ପୁଅଙ୍କ ପାଇଁ ସ୍ୱର୍ଗ ଏହି ଦେଶ! ଝିଅ ମିଳିବା ସହ ହେବ ଟଙ୍କାର ବର୍ଷା? ଜାଣନ୍ତୁ କଣ ରହିଛି ସତ୍ୟତା…

ୟୁରୋପରେ ଏମିତି ଏକ ଦେଶ ଅଛି, ଯେଉଁଠାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ, ଯାହାଫଳରେ ସେଠାରେ ବିବାହ ପାଇଁ ପୁରୁଷଙ୍କର ଅଭାବ ଦେଖାଦେଇଛି। ଏପରି ପରିସ୍ଥିତିରେ, ସେଠାରେ 'ରେଣ୍ଟାଲ୍ ହସବ୍ୟାଣ୍ଡ' ଭଳି ପେଶାଦାର ସେବା ମଧ୍ୟ ଚାଲୁଛି। ଚାଲନ୍ତୁ ସେହି ବିଷୟରେ ଜାଣିବା।

Latvia : ଲାତଭିଆର ସମୁଦାୟ ଜନସଂଖ୍ୟା ପ୍ରାୟ ୧୮ ଲକ୍ଷ, କିନ୍ତୁ ଯେତେବେଳେ ଆମେ ଏହାର ଲିଙ୍ଗ ଅନୁପାତ ଉପରେ ନଜର ପକାଉ, ସେତେବେଳେ ପରିସଂଖ୍ୟାନ ଆଶ୍ଚର୍ଯ୍ୟଜନକ ଜଣାପଡ଼େ। ୨୦୨୬ ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଲାତଭିଆରେ ପ୍ରତି ୧୦୦ ପୁରୁଷରେ ପ୍ରାୟ ୧୧୬ ଜଣ ମହିଳା ଅଛନ୍ତି। ଶତକଡ଼ା ହିସାବରେ ଦେଖିଲେ, ଦେଶର ସମୁଦାୟ ଜନସଂଖ୍ୟାରେ ମହିଳାଙ୍କ ଅଂଶ ୫୩.୫% ଥିବାବେଳେ ପୁରୁଷଙ୍କ ସଂଖ୍ୟା ମାତ୍ର ୪୬.୫% ରେ ସୀମିତ ରହିଛି। ଏକ ଛୋଟ ଦେଶ ପାଇଁ ୧.୩ ଲକ୍ଷର ଏହି ପାର୍ଥକ୍ୟ ସାମାଜିକ ସନ୍ତୁଳନ ବିଗାଡ଼ିବା ପାଇଁ ଯଥେଷ୍ଟ ବଡ଼ ବୋଲି ଧରାଯାଉଛି।

ଲାତଭିଆରେ ଜନସଂଖ୍ୟାର ଏକ କୌତୁହଳପୂର୍ଣ୍ଣ ଦିଗ ହେଉଛି ଯେ, ଏଠାରେ ୨୦ ରୁ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଏବଂ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ ଥାଏ। ଅସଲ ସମସ୍ୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଯୁବକମାନେ ୩୦ ବର୍ଷ ବୟସ ଅତିକ୍ରମ କରନ୍ତି। ବୟସ ବଢ଼ିବା ସହିତ ପୁରୁଷଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଏ ଏବଂ ମହିଳାଙ୍କ ଅନୁପାତ ବଢ଼ିବାରେ ଲାଗେ।

ପରିସ୍ଥିତି ଏପରି ହୁଏ ଯେ, ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଶ୍ରେଣୀରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ହୋଇଯାଏ। ଏହି କାରଣରୁ ୩୦ ବର୍ଷରୁ ଅଧିକ ବୟସ୍କା ଝିଅମାନଙ୍କ ପାଇଁ ବିବାହ କରିବା ଏକ କଷ୍ଟକର ମିଶନ ହୋଇପଡ଼ିଛି।

ପୁରୁଷଙ୍କ ସଂଖ୍ୟା କମିବାର କାରଣ:

ପୁରୁଷଙ୍କର ଏହି ଅଭାବ ପଛରେ କିଛି ଗମ୍ଭୀର କାରଣ ରହିଛି:

ଜୀବନ ପ୍ରତ୍ୟାଶା: ଲାତଭିଆରେ ମହିଳାମାନେ ହାରାହାରି ୮୦-୮୧ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ବେଳେ ପୁରୁଷଙ୍କ ହାରାହାରି ଆୟୁ ବହୁତ କମ୍।

ସ୍ଥାନାନ୍ତରଣ: ଉନ୍ନତ କ୍ୟାରିୟର, ଅଧିକ ଦରମା ଏବଂ ଭଲ ଜୀବନଶୈଳୀ ପାଇଁ ଏଠାକାର ଯୁବକମାନେ ପଡ଼ୋଶୀ ୟୁରୋପୀୟ ଦେଶକୁ ଚାଲିଯାଉଛନ୍ତି।

ଛାଡ଼ପତ୍ର: ଦେଶରେ ଛାଡ଼ପତ୍ର ହାର ଅଧିକ ହେବା କାରଣରୁ ମଧ୍ୟ ଅବିବାହିତ ପୁରୁଷଙ୍କ ସଂଖ୍ୟା ସୀମିତ ହୋଇଯାଇଛି।

ହସବ୍ୟାଣ୍ଡ ଫର୍ ଆନ୍ ଆୱାର’

ଯେତେବେଳେ ଘରେ ପୁରୁଷଙ୍କ ସଂଖ୍ୟା କମିଗଲା, ସେତେବେଳେ ସେଠାକାର ମହିଳାମାନେ ଦୈନନ୍ଦିନ କାମରେ ଅସୁବିଧାର ସମ୍ମୁଖୀନ ହେଲେ। ଏହି ଆବଶ୍ୟକତା ‘ହସବ୍ୟାଣ୍ଡ ଫର ଆନ ଆୱାର’ ଭଳି ଏକ ନିଆରା ସେବାକୁ ଜନ୍ମ ଦେଇଛି। ଯଦିଓ ଏହାର ନାମ ଶୁଣିବାକୁ ଟିକେ ଅଲଗା ଲାଗିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଏକ ପେଶାଦାର ସେବା। ଏଥିରେ ମହିଳାମାନେ ଘରର ଭାରୀ ଏବଂ ବୈଷୟିକ କାମ ଯେପରିକି— ପ୍ଲମ୍ବିଂ, ବିଦ୍ୟୁତ ମରାମତି, ଆସବାବପତ୍ର ଠିକ କରିବା ବା ପେଣ୍ଟିଂ ପାଇଁ ପୁରୁଷମାନଙ୍କୁ ଘଣ୍ଟା ପ୍ରତି ହିସାବରେ ଭଡ଼ାରେ ନିଅନ୍ତି। ଏହି ସେବା କେବଳ ଘରର ରକ୍ଷଣାବେକ୍ଷଣ ମଧ୍ୟରେ ସୀମିତ ଏବଂ ଏହାର ପ୍ରେମ ବା ବିବାହ ସହିତ କୌଣସି ସମ୍ପର୍କ ନାହିଁ।

କ’ ସରକାର ଟଙ୍କା ଦିଅନ୍ତି?

ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆରେ ପ୍ରାୟତଃ ଦାବି କରାଯାଏ ଯେ, ଯଦି କୌଣସି ବିଦେଶୀ ପୁଅ ଲାତଭିଆର ଝିଅକୁ ବିବାହ କରେ, ତେବେ ସରକାର ତାଙ୍କୁ ୧୦ ଲକ୍ଷ ଟଙ୍କା ବା ବଡ଼ ପୁରସ୍କାର ଦିଅନ୍ତି। ତେବେ ‘ଫ୍ୟାକ୍ଟ ଚେକ୍’ ରୁ ଜଣାପଡ଼ିଛି ଯେ ଏହି ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଲାତଭିଆ ସରକାର ବିବାହ ବଦଳରେ କୌଣସି ନଗଦ ରାଶି ପ୍ରଦାନ କରନ୍ତି ନାହିଁ। ସରକାରଙ୍କ ସମସ୍ତ ଧ୍ୟାନ ନିଜର ହ୍ରାସ ପାଉଥିବା ଜନସଂଖ୍ୟାକୁ ସ୍ଥିର କରିବା ଉପରେ ରହିଛି, ବିବାହ ପାଇଁ ଟଙ୍କା ବାଣ୍ଟିବା ଉପରେ ନୁହେଁ।

ଲାତଭିଆର ମହିଳାମାନେ ଶିକ୍ଷିତ, ସ୍ୱାବଲମ୍ବୀ ଏବଂ ସୁନ୍ଦର, କିନ୍ତୁ ଲିଙ୍ଗ ଅନୁପାତର ଏହି ଅସନ୍ତୁଳନ ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। ଏହି କାରଣରୁ ଲାତଭିଆରେ ଏବେ ‘ମ୍ୟାରେଜ୍ ଟୁରିଜିମ୍’ ଏବଂ ଅନ୍ତର୍ଜାତୀୟ ଡେଟିଂ ଆପ୍‌ର ଚଳନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।