“ଯାହା ପାଖରେ ଅଛି ଆଧାର କାର୍ଡ, ତାଙ୍କୁ ମିଳିବ ଏକ ତୋଳା ସୁନା!” ଘୋଷଣା କଲେ PM ମୋଦି?
PM ମୋଦୀଙ୍କ ନାଁରେ ଭାଇରାଲ୍ ହେଉଛି ଡିପ୍ଫେକ୍ ଭିଡିଓ, PIB କଲା ସତର୍କ!
ଓଡିଶାଭାସ୍କର: ସୋସିଆଲ୍ ମିଡିଆରେ ପ୍ରତିଦିନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅନେକ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ଭାଇରାଲ୍ ହେଉଛି, ତ ଆଉ କେତେବେଳେ କୌଣସି ସରକାରୀ ଯୋଜନାର ବିବରଣୀ ସାମ୍ନାକୁ ଆସୁଛି।
ଏହି କ୍ରମରେ ନିକଟରେ ସୋସିଆଲ୍ ମିଡିଆ ମାଧ୍ୟମରେ ଆଉ ଏକ ଯୋଜନା ସମ୍ପର୍କରେ ସୂଚନା ଭାଇରାଲ୍ ହୋଇଛି। ଏଥିରେ ଦାବି କରାଯାଉଛି ଯେ, ଯାହାଙ୍କ ପାଖରେ ଆଧାର କାର୍ଡ ରହିଛି, ସେମାନଙ୍କୁ ସରକାର ସୁନା ଦେବେ।
ପୁରା ଘଟଣା କ’ଣ: ବାସ୍ତବରେ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ପିଏମ୍ ମୋଦୀ ଏକ ଯୋଜନା ସମ୍ପର୍କରେ କହୁଥିବା ଦେଖାଯାଉଛି।
ଭିଡିଓରେ ଦାବି କରାଯାଉଛି ଯେ, ଯେଉଁ ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ ରହିଛି, ସରକାର ସେମାନଙ୍କୁ ୧ ତୋଳା ବା ୧୧.୬୬ ଗ୍ରାମ୍ ସୁନା ଦେବ।
ତେବେ ଏହି ଭାଇରାଲ୍ ଭିଡିଓକୁ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଆସିଛି। ପିଆଇବି ଫ୍ୟାକ୍ଟଚେକ୍ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଭାଇରାଲ୍ ଭିଡିଓଟି ଏଡିଟ୍/ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏବଂ କେନ୍ଦ୍ର ସରକାର ଆଧାର କାର୍ଡଧାରୀଙ୍କୁ ୧ ତୋଳା ସୁନା ଦେବା ନେଇ କୌଣସି ଏଭଳି ଯୋଜନା ଘୋଷଣା କରିନାହାନ୍ତି।
ଭିଡ଼ିଓର ସତ କ’ଣ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓର ସରକାରୀ ଏଜେନ୍ସି PIB Fact Check ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଜେନ୍ସିର ଅଫିସିଆଲ୍ X ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇ ଏହା ଉପରେ ସ୍ପଷ୍ଟ ଭାବେ ‘FAKE’ ଲେଖାଯାଇଛି। ଏହା ସହ କ୍ୟାପ୍ସନ୍ରେ ଲୋକଙ୍କୁ ‘ଡିପ୍ଫେକ୍ ଭିଡିଓରୁ ସତର୍କ ରୁହନ୍ତୁ’ ବୋଲି ସଚେତନ କରାଯାଇଛି।
ଅର୍ଥାତ୍, ଆଧାର କାର୍ଡଧାରୀଙ୍କୁ ୧ ତୋଳା ସୁନା ଦେବା ନେଇ ପିଏମ୍ ମୋଦୀଙ୍କ ନାଁରେ ଭାଇରାଲ୍ ହେଉଥିବା ଭିଡିଓ ନକଲି ବୋଲି ସ୍ପଷ୍ଟ କରାଯାଇଛି।
ଏହି ଦାବିର ସତ୍ୟତା ବିଷୟରେ ଆଗକୁ କୁହାଯାଇଛି ଯେ, ‘indiamobileyojna’ ନାମକ ଏକ Instagram ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଡିଜିଟାଲ୍ ଭାବେ ପରିବର୍ତ୍ତିତ ଭିଡିଓ ସେୟାର କରାଯାଇଛି। ଏଥିରେ ଦାବି କରାଯାଉଛି ଯେ, ସମସ୍ତ ଆଧାର କାର୍ଡଧାରୀଙ୍କୁ ମାଗଣାରେ ୧ ତୋଳା ସୁନା ଦିଆଯିବ।
ତେବେ PIB Fact Check ଅନୁସାରେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା। ପ୍ରଧାନମନ୍ତ୍ରୀ କିମ୍ବା ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ଘୋଷଣା କରାଯାଇନାହିଁ।
ସତର୍କ ରହିବାକୁ ପରାମର୍ଶ: ଏହା ସହିତ ସରକାରୀ ଏଜେନ୍ସି ପକ୍ଷରୁ ଲୋକଙ୍କୁ ସତର୍କ ଓ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ କୌଣସି ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ପ୍ରାମାଣିକ ସୂଚନା ପାଇଁ କେବଳ ସରକାରୀ ୱେବସାଇଟ୍ କିମ୍ବା ଅଧିକୃତ ସୂତ୍ର ଉପରେ ଭରସା କରିବାକୁ କୁହାଯାଇଛି।


