fbpx

ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ

ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ । ତିନିଜଣଙ୍କ ବୟସ ୫ରୁ ୮ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଏହି ଘଟଣା ଏବେ ସମ୍ପୂର୍ଣ୍ଣ ଭରତପୁରରେ ହଇଚଇ ସୃଷ୍ଟି କରିଛି ।

ସୁଚନା ଅନୁସାରେ, ଭରତପୁର ଗାଁରେ ଗୋଟିଏ ସତସଙ୍ଗ କାର୍ଯ୍ୟକ୍ର୍ରମ ହେଉଥିଲା । ଗାଁର ସବୁ ଲୋକ ସେଥିରେ ବ୍ୟସ୍ତ ଥିଲେ । ଏହା ଭିତରେ ଗାଁର ତିନୋଟି ଶିଶୁ ଖେଳିବା ବେଳେ ଗୋଟିଏ କାର ଭିତରକୁ ଚାଲିଯାଇଥିଲେ ଏବଂ ଭିତରୁ ହିଁ ଲକ୍ କରିଦେଇଥିଲେ । ପରେ ସେମାନେ ଆଉ ସେଥିରୁ ବାହାରି ନ ପାରି ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ । କିଛି ସମୟ ପରେ ଯେତେବେଳେ ପରିବାର ଲୋକେ ପିଲାମାନଙ୍କୁ ଖୋଜିବାକୁ ଆରମ୍ଭ କଲେ ପିଲାମାନେ କାରରେ ବେହୋସ୍ ଅବସ୍ଥାରେ ପଡିଥିଲେ । ପରିବାର ଲୋକେ ପିଲାମାନଙ୍କୁ ହସ୍ପିଟାଲ ନେବାପରେ ଡାକ୍ତର ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପୋଷ୍ଟମର୍ଟନ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ଏହାପରେ ସେମାନଙ୍କ ପରିବାର ଲୋକ ଏବଂ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତ ତିନି ଶିଶୁଙ୍କ ବୟସ ମାତ୍ର ୫ରୁ ୮ ବର୍ଷ ଭିତରେ ଥିଲା ବୋଲି ସୁଚନାରୁ ଜଣାପଡିଛି ।

Get real time updates directly on you device, subscribe now.