“ପାପା I’m sorry,” ମରିବା ପୂର୍ବର ସୁଇସାଇଡ୍ ନୋଟ୍… ନଅ ତାଲାରୁ ଡେଇଁ ଏକାସାଙ୍ଗେ ଆତ୍ମହତ୍ୟା କଲେ ୩ ଭଉଣୀ
ଅନଲାଇନ ଗେମ୍ ପାଇଁ ନବମ ତାଲାରୁ ଡେଇଁ ଆତ୍ୟହତ୍ୟା କଲେ ୩ ନାବିଳିକା ଭଉଣୀ।
ଓଡିଶାଭାସ୍କର: ପୁଣି ଅନଲାଇନ୍ ଗେମ୍ ନେଲା ଜୀବନ। ତାହା ପୁଣି ଜଣେ କି ଦୁଇଜଣ ନୁହେଁ, ଏକାସାଙ୍ଗେ ୩ ଜଣ ନାବାଳିକା ଭଉଣୀଙ୍କ ଜୀବନ ଗଲା ଅନଲାଇନ୍ ଗେମ୍ ପାଇଁ।
ଉତ୍ତର ପ୍ରଦେଶ ଗାଜିଆବାଦ ଟିଲା ମୋଡ୍ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଛାତି ଥରାଇଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୩ ଜଣ ନାବାଳିକା ଭଉଣୀ ବିଲ୍ଡିଂର ନବମ ମହଲାରୁ ଡେଇଁ ଏକାସାଙ୍ଗେ ଆତ୍ମହତ୍ୟା କରିଛନ୍ତି।
ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ୩ ଭଉଣୀ ଅନଲାଇନ୍ ଗେମ୍ ନିଶାରେ ପଡିଯାଇଥିଲେ। ଆଉ ଘରଲୋକ ଯେତେବେଳେ ସେମାନଙ୍କୁ ଗେମ୍ ଖେଳିବାକୁ ବାରଣ କରିଥିଲେ ସେତେବେଳେ ଏପରି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ୩ ନାବାଳିକା ଭଉଣୀ।
୧୬ ବର୍ଷୀୟା ନିଶିକା, ୧୪ ବର୍ଷୀୟା ପ୍ରାଚୀ ଏବଂ ୧୨ ବର୍ଷୀୟା ପାଖି ଭାରତ ସିଟିର B1 ଟାୱାରର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
ପରିବାର ଲୋକଙ୍କ କହିବା କଥା ଏହି ୩ ଭଉଣୀ କରୋନା ସମୟରୁ ଅନଲାଇନରେ ଗେମ୍ ଖେଳୁଥିଲେ। ଗେମ୍ ରେ ଏତେ ମଜ୍ଜି ଯାଇଥିଲେ ଯେ ନିୟମିତ ଭାବରେ ସ୍କୁଲ ମଧ୍ୟ ଯାଉନଥିଲେ।
ଘର ଲୋକ ଗେମ୍ ଖେଳିବାକୁ ବାରଣ କରିବାରୁ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ୩ଜଣ ଭଉଣୀ ଏକାସାଙ୍ଗେ ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତିନି ଜଣଙ୍କୁ ଲୋନିର ଏକ ହସ୍ପିଟାଲକୁ ନେଇଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସକୁ ମିଳିଲା ସୁଇସାଇଡ ନୋଟ:
ପୋଲିସ ଘଟଣାସ୍ଥଳରୁ ଏକ ପକେଟ ଡାଏରୀ ଜବତ କରିଛି, ଯେଉଁଥିରେ ଏକ ଆଠ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଲେଖାଯାଇଛି। ନୋଟ୍ରେ ତିନି ଭଉଣୀ ସେମାନଙ୍କର ଗେମିଂ ଏବଂ ଅନ୍ୟାନ୍ୟ ମୋବାଇଲ୍ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଥିଲେ।
ସେମାନେ କହିଥିଲେ ଯେ ସେମାନେ ଗେମିଂକୁ ଭଲ ପାଆନ୍ତି ଏବଂ ଏହାକୁ ଛାଡିପାରିବେ ନାହିଁ। ନୋଟ୍ ର ଶେଷରେ ଲେଖାଥିଲା “ପାପା, ଆଇ ଆମ୍ ସରି।”
ପୋଲିସର କହିବା ଅନୁଯାୟୀ, ମଝିଆଁ ଭଉଣୀ ପ୍ରାଚୀ ଖେଳରେ ବସ୍ ଭୂମିକାରେ ଅଭିନୟ କରିଥିଲେ। ତିନି ଭଉଣୀ ଏକାଠି ଖାଇବା ସମେତ ସେମାନଙ୍କର ସମସ୍ତ ଦୈନନ୍ଦିନ କାର୍ଯ୍ୟ କରୁଥିଲେ।
ଏହି ସମୟରେ, ନାବାଳକମାନଙ୍କ ବାପା କହିଥିଲେ, “ସେମାନେ ମୋତେ କହିଲେ, ‘ପାପା, ଆମେ କୋରିଆନ ଗେମ୍ ଛାଡିପାରିବୁ ନାହିଁ। କୋରିଆନ ହେଉଛି ଆମର ଜୀବନ। କୋରିଆନ ହେଉଛି ଆମ ପାଇଁ ସବୁକିଛି। ତୁମେ ଆମକୁ ଏଥିରୁ ଅଲଗା କରିପାରିବ ନାହିଁ। ଆମେ ଆମର ଜୀବନ ତ୍ୟାଗ କରିଦେବୁ।”
ବାପା ଜଣକ ଏହାମଧ୍ୟ କହିଛନ୍ତି “ମୁଁ ବର୍ତ୍ତମାନ ଆତ୍ମହତ୍ୟା ନୋଟ୍ ଦେଖିଲି। ଏହା ବହୁତ ଦୁଃଖଦ। ମୁଁ ସମସ୍ତ ପିତାମାତାଙ୍କୁ ସତର୍କ ରହିବାକୁ ଏବଂ ପିଲାମାନେ ଖେଳରେ ଏତେ ଗଭୀର ଭାବରେ ଜଡିତ ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରୁଛି।”
ପୋଲିସ କଣ କହିଲା:
ଏସଏସପି ଶାଲିମାର ଗାର୍ଡେନ୍ ଅତୁଲ କୁମାର ସିଂହ କହିଛନ୍ତି ଯେ ପ୍ରାୟ ୨:୧୫ ସମୟରେ ଭାରତ ସିଟିର ଟାୱାର ବି୧ର ନବମ ମହଲା ବାଲକୋନିରୁ ତିନି ଜଣ ଝିଅ ଡେଇଁ ପଡ଼ିଥିବା ସୂଚନା ମିଳିଥିଲା।
ପଡ଼ିଯିବାରୁ ତିନି ଜଣ ଝିଅଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଲୋନି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଏହି ମାମଲାରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ସମସ୍ତ ଦିଗର ତଦନ୍ତ କରାଯାଉଛି।
