TMC ଦଳୀୟ କାର୍ଯ୍ୟାଳୟ ଉପରେ ବୁଲିଲା Bulldozer
ବିଜେପିର ‘ପରିବର୍ତ୍ତନ’ ସ୍ଲୋଗାନକୁ କଟାକ୍ଷ କରି ଟିଏମସି (TMC) କହିଛି ଯେ, ଏହି ପରିବର୍ତ୍ତନ ବୁଲଡୋଜର ସହିତ ଆସିଛି।
ପଶ୍ଚିମବଙ୍ଗ: ନିର୍ବାଚନ ଫଳାଫଳ ଘୋଷଣା ପରେ ମଧ୍ୟ ପଶ୍ଚିମବଙ୍ଗରେ ଉତ୍ତେଜନା କମିବାର ନାଁ ନେଉନାହିଁ। ରାଜ୍ୟରେ ବହୁ ବ୍ୟବଧାନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି) ‘ବୁଲଡୋଜର କାର୍ଯ୍ୟାନୁଷ୍ଠାନ’ କରୁଥିବା ନେଇ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଅଭିଯୋଗ କରିଛି। ମଙ୍ଗଳବାର ରାତିରେ ଟିଏମସି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ବିଜେପି କର୍ମୀ ଓ ସମର୍ଥକମାନେ କୋଲକାତାର ନ୍ୟୁ ମାର୍କେଟ ଅଞ୍ଚଳରେ ବୁଲଡୋଜର ସାହାଯ୍ୟରେ ଭଙ୍ଗାରୁଜା କରିବା ସହ ଟିଏମସିର ଦଳୀୟ କାର୍ଯ୍ୟାଳୟକୁ ମଧ୍ୟ ନଷ୍ଟ କରିଦେଇଛନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ବହୁ ସଂଖ୍ୟକ ଲୋକ ଏକ ବୁଲଡୋଜରକୁ ଘେରି ରହିଛନ୍ତି ଏବଂ ପ୍ରବଳ ପାଟିତୁଣ୍ଡ ଓ ଗୀତବାଦ୍ୟ ମଧ୍ୟରେ ସେହି ଅଞ୍ଚଳର ଏକ ଦୋକାନକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଉଛି। ବିଜେପିର ‘ପରିବର୍ତ୍ତନ’ ସ୍ଲୋଗାନକୁ କଟାକ୍ଷ କରି ଟିଏମସି କହିଛି ଯେ, ବୁଲଡୋଜର ସହ ପରିବର୍ତ୍ତନ ଆସିଯାଇଛି। ଦଳ ପକ୍ଷରୁ ପୋଷ୍ଟରେ ଲେଖାଯାଇଛି, “ବିଜେପିର ‘ପରିବର୍ତ୍ତନ’ ଆସିଛି, ଏବଂ ଏହା ବୁଲଡୋଜର ସହିତ ଆସିଛି। ବିଜେପି ସମର୍ଥକମାନେ ଗୁଣ୍ଡାରାଜ ଚଳାଇ ନ୍ୟୁ ମାର୍କେଟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି, ଦୋକାନ ବଜାର ଭାଙ୍ଗିଛନ୍ତି ଏବଂ ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟକୁ ନଷ୍ଟ କରିଛନ୍ତି। ଏହା ସେହି ଦଳର ବିଜୟ ଉତ୍ସବ, ଯିଏ ବିଶ୍ୱାସ କଥା କହି ଆତଙ୍କ ଖେଳାଉଛି।”
ଟିଏମସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଦଳ କହିଛି ଯେ, ବିଜେପିର କେନ୍ଦ୍ରୀୟ ନେତାମାନେ ସେମାନଙ୍କ କର୍ମୀଙ୍କ ହାତରେ “ରାସ୍ତାଘାଟରେ ଉତ୍ପାତ କରିବା” ଏବଂ “ଯାହାକୁ ଚାହିଁବେ ତାଙ୍କୁ ମାରିଦେବା ପାଇଁ ଏକ ଲାଇସେନ୍ସ” ଧରାଇ ଦେଇଛନ୍ତି।
ଟିଏମସି ପକ୍ଷରୁ କୁହାଯାଇଛି, “ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କୁ ଖୋଲା ଛାଡ଼ି ଦେଇଛନ୍ତି, ଯାହାଫଳରେ ସେମାନେ ରାସ୍ତାରେ ଆତଙ୍କ ଖେଳାଇବା ସହ ସେମାନଙ୍କ ପଥରେ ଯିଏ ଆସୁଛି ତାଙ୍କୁ ଦଳି ଦେଉଛନ୍ତି, ଆକ୍ରମଣ କରୁଛନ୍ତି ଏବଂ ନିର୍ମମ ଭାବେ ହତ୍ୟା କରୁଛନ୍ତି।” ଏଥିସହ କେନ୍ଦ୍ରୀୟ ବାହିନୀକୁ “ସବୁକିଛି ଚୁପ୍ଚାପ୍ ଦେଖିବା ପାଇଁ” ନିର୍ଦ୍ଦେଶ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିଛି।
ବିଦାୟୀ ଶାସକ ଦଳ ଏକ ଚେତାବନୀ ମଧ୍ୟ ଜାରି କରିଛି। ସେମାନେ କହିଛନ୍ତି ଯେ ଆଜି ଦୋକାନ ଉପରେ ବୁଲଡୋଜର ଚାଲିଛି, କାଲି ଏହା ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଚାଲିବ ଏବଂ ତା’ପରେ “ବଙ୍ଗଳାର ମହାନ ଜନନାୟକମାନଙ୍କ ପ୍ରତିମୂର୍ତ୍ତି ଉପରେ ଚାଲିବ”।
ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, “ଶେଷରେ ଏହା ଗରିବ ଏବଂ ଅସହାୟଙ୍କ ଘର ପର୍ଯ୍ୟନ୍ତ ମଧ୍ୟ ଯିବ। କିନ୍ତୁ ବଙ୍ଗଳାରେ ଯେଉଁଠି ବି ବିଜେପିର ବୁଲଡୋଜର ଚାଲିବ, ତାହା ଏକ ବିରାଟ ପ୍ରତିରୋଧର କାନ୍ଥର ସାମ୍ନା କରିବ। ଆମେ ଏହି ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦୀ ନୀତି ବିରୋଧରେ ଲଢ଼େଇ କରିବୁ।”
ଟିଏମସି ନେତ୍ରୀ ମହୁଆ ମୈତ୍ର ମଧ୍ୟ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, “କୋଲକାତାର ଐତିହାସିକ ନ୍ୟୁ ମାର୍କେଟ୍; ବଙ୍ଗାଳୀମାନେ ଏବେ ‘ପରିବର୍ତ୍ତନ’ର ମଜା ନେଉଛନ୍ତି।” ଏହା ପୂର୍ବରୁ ମଙ୍ଗଳବାର ଦିନ ଅନ୍ୟ ଏକ ପୋଷ୍ଟରେ ସେ ଦାବି କରିଥିଲେ ଯେ, ବଙ୍ଗଳାର କୋଣ ଅନୁକୋଣରେ ଏବେ ହିଂସା ଏବଂ ଗୁଣ୍ଡାରାଜ ଚାଲିଛି। ସେ କହିଛନ୍ତି ଯେ, ଶପଥ ଗ୍ରହଣ ପୂର୍ବରୁ ଏହି ସାମ୍ପ୍ରଦାୟିକ ସ୍ଲୋଗାନ ଏବଂ ଘୃଣାଭରା ଭାଷଣ ବଙ୍ଗାଳୀମାନଙ୍କୁ ଆଗକୁ ଆସୁଥିବା ‘ପରିବର୍ତ୍ତନ’ ପାଇଁ ପ୍ରସ୍ତୁତ ରହିବାକୁ ସଙ୍କେତ ଦେଉଛି।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୯୪ଟି ଆସନରୁ ୨୦୭ଟି ଜିତି ଏକ ଐତିହାସିକ ସଫଳତା ପାଇଥିବା ବେଳେ ଶାସକ ଟିଏମସି ମାତ୍ର ୮୦ଟି ଆସନରେ ସୀମିତ ରହିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ନିଜ ଆସନରେ ପରାଜିତ ହୋଇଥିବା ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ସେ ଓ ତାଙ୍କ ଦଳ ହାରିନାହାନ୍ତି ବୋଲି ମମତା ଦାବି କରିଛନ୍ତି।
