ଭାଙ୍ଗିଲା ମମତାଙ୍କ ଦମ୍ଭ; NCPIରେ ମିଶିବେ ନିଜ ଦଳର ବିଦ୍ରୋହୀ ସାଂସଦ

ଟିଏମସିର ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ଉପସ୍ଥିତି ଆସାମ, ତ୍ରିପୁରା, ବେଙ୍ଗଲ ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ରହିଛି

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ଦମ୍ଭ ଗଲା। ଦୁଇ ଫାଳ ହେଲା ଟିଏମ୍‌ସି। ୨୦ ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ) ମିଶିଲେ। ଖାଲି ମିଶିଲେ ନାହିଁ ନିଜର ଜାହିର ଦାବି କରିବା ପାଇଁ ଆଜି ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଟିଏମସିର ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ଉପସ୍ଥିତି ଆସାମ, ତ୍ରିପୁରା, ବେଙ୍ଗଲ ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ରହିଛି। ସେମାନେ ଏହି ଦଳରେ ମିଶିବେ ଓ ଏନଡିଏକୁ ସମର୍ଥନ କରିବେ। ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି।

ବାଚସ୍ପତିଙ୍କ ସହ ବୈଠକ ପରେ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ଆମେ ଟିଏମସିରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟିଲୁ। ଅଲଗା ବସିବା ପାଇଁ ଅନୁରୋଧ କରି ଏକ ପତ୍ର ଦେଲୁ। ଏହି ୨୦ ଜଣ ସାଂସଦ ଆମର ସମୁଦାୟ ସଂଖ୍ୟାର ଦୁଇ-ତୃତୀୟାଂଶରୁ ଅଧିକ ଅଟନ୍ତି। ଆମେ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ) ସହିତ ମିଶୁଛୁ। ଆଗକୁ ଆମେ ଦେଶ ପାଇଁ କାମ କରିବୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନ୍‌ଡିଏ ସହିତ ମିଶି କାର‌୍ୟ୍ୟ କରିବୁ ବୋଲି କାକୋଲି ଘୋଷ କହିଛନ୍ତି।

ସେପଟେ ବିଦ୍ରୋହୀ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଆମେ ଏନ୍‌ସିପିଆଇରେ ମିଶିବୁ। ବାଚସ୍ପତିଙ୍କ ନିକଟରେ ସ୍ୱାକ୍ଷର ସହିତ ଆବେଦନ ପତ୍ର ଦାଖଲ କରିଛୁ। ଏହାପରେ ଜୁଲାଇ ୨୦ ତାରିଖରେ ଲୋକସଭା ଗୃହ ଖୋଲିବ। ତା’ ପୂର୍ବରୁ ଆମର ଏକ ବ୍ଲକ ରହିବ। ଆମକୁ କାର‌୍ୟ୍ୟାଳୟ ଦିଆଯିବ। ଏହାପରେ ପ୍ରକୃତ ତୃଣମୂଳ କିଏ, ତାହାର ନିଷ୍ପତ୍ତି କୋର୍ଟରେ ହେବ। କୋର୍ଟ ଯେଉଁ ନିଷ୍ପତ୍ତି ଦେବେ ତାହାକୁ ଗ୍ରହଣ କରାଯିବ ବୋଲି ସୁଦୀପ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ କାକୋଲି ଘୋଷ ଦସ୍ତିଦାର ୧୯ ଜଣ ସାଂସଦଙ୍କ ସ୍ୱାକ୍ଷରିତ ପତ୍ର ଲୋକସଭା ବାଚସ୍ପତିଙ୍କୁ ଦେଇଥିଲେ। ଏହି ଚିଠିରେ ଟିଏମସିର ଏକ ଅଲଗା ଗୋଷ୍ଠୀ ଗଠନ କରିବାକୁ ଦାବି କରାଯାଇଥିଲା। ଏନଡିଏକୁ ସମର୍ଥନ ଦେବା କଥା କୁହାଯାଇଥିଲା, କିନ୍ତୁ ଏବେ ଟିଏମସିର ବିଦ୍ରୋହୀ ସାଂସଦମାନେ ଅଲଗା ପାର୍ଟି ଏନ୍‌ସିପିଆଇରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଟିଏମସି ବିଦ୍ରୋହୀ ସାଂସଦଙ୍କ ବୈଠକ ଓ ବାଚସ୍ପତିଙ୍କ ସହ ସାକ୍ଷାତ

ଅନ୍ୟପଟେ ରବିବାର ପୁଣିଥରେ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ବିଦ୍ରୋହୀ ସାଂସଦମାନେ ବୈଠକ କରିଥିଲେ। ଏହି ବୈଠକରେ ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା। ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ବୈଠକ ପରେ ବିଦ୍ରୋହୀ ସାଂସଦମାନେ ଲୋକସଭା ବାଚସ୍ପତିଙ୍କ ବାସଭବନରେ ପହଞ୍ଚିଥିଲେ।

ବାଚସ୍ପତିଙ୍କ ବାସଭବନରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ କାକୋଲି ଘୋଷ ଦସ୍ତିଦାର, ଶତାବ୍ଦୀ ରାୟ, ସୁଦୀପ ବାନାର୍ଜୀ, ସାୟନୀ ଘୋଷ, ମାଲା ରାୟ, ଅରୂପ ଚକ୍ରବର୍ତ୍ତୀ, ଘାଟାଲର ସାଂସଦ ଦୀପକ ଅଧିକାରୀ (ଦେବ), ୟୁସୁଫ ପଠାନ, ଜୁନ୍ ମାଲ୍ୟା, ପ୍ରସୂନ ବାନାର୍ଜୀ, ଶର୍ମିଲା ସରକାର, ମିତାଲି ବାଗ୍, ଅବୁ ତାହିର ଏବଂ ଖଲିଲୁର ରହମାନଙ୍କୁ ଦେଖିବାକୁ ମିଳିଛି। ସେମାନଙ୍କ ସହ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଅଛନ୍ତି। ସମୁଦାୟ ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟିଛନ୍ତି।

ଅଲଗା ଗୋଷ୍ଠୀକୁ ମାନ୍ୟତା ନଦେବାକୁ ଅଭିଷେକଙ୍କ ଦାବି

ରବିବାର ସାଂସଦ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ସାଂସଦ କୀର୍ତ୍ତି ଆଜାଦ ଓ ସାଗରିକା ଘୋଷ ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି। ଅଲଗା ଗୋଷ୍ଠୀକୁ ମାନ୍ୟତା ନଦେବାକୁ ଅଭିଷେକ ବାନାର୍ଜୀ ଅପିଲ କରିଥିଲେ। ଏହା ସମ୍ବିଧାନ ଏବଂ ଆଇନ ବିରୋଧୀ ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ଟିଏମସିର ବରିଷ୍ଠ ସାଂସଦ ସୌଗତ ରାୟ ବିଦ୍ରୋହୀ ଟିଏମସି ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିବା ପ୍ରସଙ୍ଗରେ କହିଛନ୍ତି, ମୁଁ କ’ଣ କହିପାରିବି? ଏହି ଲୋକମାନେ ଆମ ଦଳ ଛାଡ଼ି ସାରିଛନ୍ତି। ଯଦି ସେମାନେ ପଶ୍ଚିମବଙ୍ଗରେ ‘ଅପରେସନ ଲୋଟସ’ର ଇନଚାର୍ଜ ବିଜେପି ସହ ମିଶୁଛନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯଦି ସେମାନେ ଆଜି ବାଚସ୍ପତିଙ୍କୁ ଭେଟୁଛନ୍ତି, ତେବେ ଠିକ୍ ଅଛି। ଆମେ ବିଜେପି ଓ ଏନଡିଏ ବିରୋଧରେ ଲଢ଼େଇ କରିଥିଲୁ। ଏନଡିଏରେ ସାମିଲ ହେବା ଭୁଲ ବୋଲି ସେ କହିଛନ୍ତି।