fbpx

ରାଜି ନହେବାରୁ ରାଜନୈତିକ ପ୍ରତିଶୋଧର ଶିକାର ହେଲେ ସୌରଭ ଗାଙ୍ଗୁଲି ? ବିଜେପିକୁ ଘେରିଲା ଟିଏମସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ଗାଙ୍ଗୁଲିଙ୍କ ଅଧ୍ୟକ୍ଷ ପଦ ଛାଡିବା ଖବର ମଧ୍ୟରେ ବିଜେପିକୁ ଟାର୍ଗେଟ୍ କରି ତୃଣମୂଳ କଂଗ୍ରେସ। ଟିଏମସିର କହିବା କଥା ଗାଙ୍ଗୁଲି ବିଜେପିର କଥା ନମାନିବାରୁ ଏବେ ତାଙ୍କୁ ସଜା ଦିଆଯାଉଛି। ବିଜେପି ଗାଙ୍ଗୁଲିକୁ ନିଜ ପାର୍ଟିରେ ସାମିଲ୍ କରାଇବା ନେଇ ଅନେକ ଉଦ୍ୟମ କରିଥିଲା। ଆଉ ଏବେ ପୂର୍ବତନ କ୍ରିକେଟର ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି।

ଟିଏମସି ନେତା ଡ. ଶାନ୍ତନୁ ସେନ କହିଛନ୍ତି, ଅମିତ୍ ଶାହ କିଛି ମାସ ପୂର୍ବେ ସୌରଭ ଗାଙ୍ଗୁଲିଙ୍କ ବାସଭବନକୁ ଯାଇଥିଲେ। ବିଜେପିରେ ମିଶିବା ଲାଗି ଗାଙ୍ଗୁଲିଙ୍କ ସହ ବାରମ୍ବାର ଯୋଗାଯୋଗ କରୁଥିଲା ବିଜେପି। ହେଲେ ଗାଙ୍ଗୁଲି ନମାନିବାରୁ ଏବେ ସେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି।

ମାମଲା କଣ
ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନ ନେଇ ପାରନ୍ତି। ବିନ୍ନି ୧୯୮୩ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ। ମଙ୍ଗଳବାର ସେ ବିସିସିଆଇ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ଅକ୍ଟୋବର ୧୮ରେ ହେବାକୁ ଥିବା ବୋର୍ଡର ସାଧାରଣ ବାର୍ଷିକ ବୈଠକରେ ବିନ୍ନି ନିଦ୍ଵର୍ନ୍ଦ୍ଵରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପାରନ୍ତି।

ଅନ୍ୟପକ୍ଷେ ବିସିସିଆଇ ଅଧ୍ୟକ୍ଷ ପଦ ଦୌଡରୁ ଗାଙ୍ଗୁଲିଙ୍କ ନାମ ବାଦ୍ ପଡିବା ଖବର ସାମ୍ନାକୁ ଆସିଥିଲା। ଆଉ ଏବେ ଏହାକୁ ନେଇ ବିଜେପିକୁ ଘେରିବା ଆରମ୍ଭ କରିଛି ଟିଏମସି। ସେନ୍ ଟୁଇଟ୍ କରିଛନ୍ତି, ରାଜନୈତିକ ପ୍ରତିଶୋଧର ଏହା ସଦ୍ୟତମ ଉଦାହରଣ। ଅମିତ୍ ଶାହଙ୍କ ପୁଅ ସଂପାଦକ ପଦରେ ଯଥାସ୍ଥିତି ରହିଲେ, ହେଲେ ଗାଙ୍ଗୁଲି ନାହିଁ। ଏହାର କାରଣ ଗାଙ୍ଗୁଲି ମମତା ବାନାର୍ଜୀଙ୍କ ରାଜ୍ୟରୁ ଆସିଛନ୍ତି ନା ସେ ବିଜେପିରେ ମିଶିଲେନି ବୋଲି ?

ଅପରପକ୍ଷେ ବିଜେପି ଟିଏମସିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ପାର୍ଟି କହିଛି, ଗାଙ୍ଗୁଲି କ୍ରିକେଟର ଜଣେ ଦିଗଜ ଖେଳାଳି ଏବଂ ବିସିସିଆଇ ନିଷ୍ପତ୍ତିରେ ରାଜନୀତି ସହ କୌଣସି ଲେଣଦେଣ ନାହିଁ। ଏହା କ୍ରିକେଟ୍ ଦୁନିଆ ସହ ଜଡିତ ମାମଲା। କ୍ରିକେଟ୍ ସହ ସଂପର୍କିତ ଲୋକେ ହିଁ ଏହା ଉପରେ ଟିପ୍ପଣୀ କରି ପାରିବେ। କୌଣସି ପ୍ରସଙ୍ଗ ନମିଳିବାରୁ ଟିଏମସି ଗାଙ୍ଗୁଲିଙ୍କୁ ନେଇ ରାଜନୀତି କରୁଛି ଏବଂ ବିଜେପି ଉପରେ ଅପବାଦ ଲଦିବାକୁ ଚେଷ୍ଟା କରୁଛି।

Get real time updates directly on you device, subscribe now.