ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି ବୁଥ୍ ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା

ଚଳିତ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ବୁଥ୍ ନମ୍ବର ୫ରେ କାର୍ଯ୍ୟରତ ବିଜେପି ଏଜେଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଯାହାଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମକର୍ତ୍ତାମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗରେ ବୁଧବାର ଶେଷ ପର୍ଯ୍ୟାୟ ମତଦାନ ହେବ । ମୋଟ୍ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୪୨ ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ତେଣୁ ଭୋଟରମାନେ ଶୃଙ୍ଖଳିତ ଭାବେ ଯାଇ ମତଦାନ କରୁଛନ୍ତି । ହେଲେ କେତେକ ସ୍ଥାନରେ ବିଶୃଙ୍ଖଳା ବା ଗଣ୍ଡଗୋଳ ଦେଖିବାକୁ ମିଳୁଛି । ଏହାକୁ ଲକ୍ଷ୍ୟକରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସ ସମେତ ସିଆରପିଏଫ ମୁତୟନ ହୋଇଛନ୍ତି ।

ଚଳିତ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ବିଜେପି ଚାହୁଁଛି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ । ଆଉ ଟିଏମ୍‌ସି ଚାହୁଁଛି ତୃତୀୟ ଥର ପାଇଁ ଗାଦିରେ ବସିବ । ସେଥିପାଇଁ ଉଭୟ ଦଳ ନିଜ ସପକ୍ଷରେ ମତଦାନ ନେବା ପାଇଁ ଜିନ୍‌ଜାନ ଲଗାଇ ଦେଇଛନ୍ତି । ତେବେ ପ୍ରକୃତରେ କିଏ ଶାସନ କ୍ଷମତାକୁ ଫେରିବ? ତାହା ମାର୍ଚ୍ଚ ୪ ତାରିଖରେ ଜଣାପଡ଼ିବ । ହେଲେ ଆଜି ସନ୍ଧ୍ୟା ବେଳେ ଆସୁଥିବା ବିଭିନ୍ନ ଗଣମାଧ୍ୟମର ବୁଥ୍ ବାହାଡ଼ା ମତ କିଛି ମାତ୍ରାରେ ଚିତ୍ର ଦେଇପାରେ ।

ସେପଟେ ଆଜି ହେଉଥିବା ମତଦାନକୁ ନେଇ ସଜାଗ ରହିଛି ବିଜେପି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀର ପ୍ରତି ବୁଥର ବାହାରେ ନିଜର କର୍ମକର୍ତ୍ତାଙ୍କୁ ନିୟୋଜିତ କରିଛି । ଏଥିପାଇଁ ମୋଟ୍ ୪୦ ହଜାର କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି । ସେମାନେ ଟିକିନିଖି ଖବର ୱାର ରୁମ୍‌କୁ ଖବର ଦେଉଛନ୍ତି ।