ମୋ ପୁଅକୁ ଥଣ୍ଡା ଲାଗୁଥିବ… ସହିଦ୍ ପୁଅର ପ୍ରତିମୂର୍ତ୍ତିକୁ କମ୍ୱଳରେ ଘୋଡ଼ାଇ ଦେଲେ ମା’, ଦେଖିଲେ ଆଖିରେ ଲୁହ ରହିବନି

ପୁଅ ମରିଗଲେ ବି ମା' ପାଇଁ ସବୁବେଳେ ଜୀବନ୍ତ ଥାଏ।

ଓଡିଶାଭାସ୍କର: କଥାରେ ଅଛି ମାଆ ପୁଅର ସମ୍ପର୍କ ସବୁଠାରୁ ନିଆରା। ଛୁଆ ଭୋକରେ ଥିଲେ ପେଟ କଥା କେବଳ ସେହି ମା’ ହିଁ ବୁଝିପାରେ। ଆଉ ନିଜ ପିଲା ଉପରକୁ ବିପଦ ଆସିଲେ ସେହି ମାଆ ନିଜ ଜୀବନକୁ ପାଣି ଛଡ଼ାଇ ସନ୍ତାନକୁ ସୁରକ୍ଷା ଦିଏ।

ଆଉ ଯେତେବେଳେ ଜଣେ ଭେଣ୍ଡିଆ ପୁଅ ମା’ର କୋଳ ଶୂନ୍ୟ କରି ସବୁଦିନ ପାଇଁ ତାକୁ ଛାଡ଼ି ଚାଲିଯାଏ ସେହି କଷ୍ଟ କେବଳ ଗୋଟେ ମାଆ ହିଁ ଅନୁଭବ କରିପାରେ। ମଲା ପରେ ସିନା ସମସ୍ତେ ଧୀରେ ଧୀରେ ତାକୁ ଭୁଲି ଯାଆନ୍ତି ହେଲେ ଦେହରେ ଶେଷ ନିଶ୍ୱାସ ଥିବା ଯାଏ ଜଣେ ମାଆ ତା ପିଲାକୁ କେବେ ଭୁଲି ପାରେନା।

ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ହୃଦୟସ୍ପର୍ଶୀ କାହାଣୀ କେବଳ ଜଣେ ମାଆ ଏବଂ ତାଙ୍କ ସହିଦ୍ ପୁଅ ବିଷୟରେ ନୁହେଁ ବରଂ ଜଣେ ମାଆ ବିଷୟରେ ଯିଏ ମୃତ୍ୟୁ ପରେ ମଧ୍ୟ ତାଙ୍କ ପୁୁଅର ଯତ୍ନ ନେବା ଛାଡ଼ି ନାହାନ୍ତି।

ଯେଉଁ ଖବର ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଜଣେ ମାଆ ଯିଏ ତାଙ୍କ ପୁଅକୁ ସୀମାରେ ଦେଶ ପାଇଁ ଜୀବନ ବଳିଦାନ ଦେଇଥିବାର ଦେଖିଥିଲେ, ସେ ଏବେ ବି ତାଙ୍କୁ ଏପରି ମନେ ରଖିଛନ୍ତି ଯେପରି ସେ ଜୀବିତ ଅଛନ୍ତି।

ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଗଲେ କଥାଟି ହେଉଛି ଏମିତି… ଏବେ ସବୁଠି ଶୀତର ଲହରୀ ଚାଲିଛି। ଘରୁ କମ୍ୱଳ ତଳୁ ବାହାରିବାକୁ ଇଚ୍ଛା ହେଉନି। ଆଉ ଏହି ପରିପ୍ରେକ୍ଷୀରେ ଥଣ୍ଡା ପବନ, ଆଉ ଶୀତରେ ଛଟ ଉପରେ ଛିଡ଼ା ହୋଇଥିବା ତାଙ୍କ ପୁଅର ପ୍ରତିମୂର୍ତ୍ତିକୁ ଦେଖି ମାଆଙ୍କ ମନ ସହିଲାନି।

ସେ ଭାବିଲେ ଯଦି ଶୀତରେ ସମସ୍ତଙ୍କୁ ଥଣ୍ଡା ଲାଗୁଛି ତାହାଲେ ମୋ ପୁଅକୁ ବି ଥଣ୍ଡା ଲାଗୁଥିବ। ଏହା ଭାବି ମାଆ ଜଣକ ଆଗ ପଛ ବିଚାର ନକରି ଏକ ନୂଆ କମ୍ୱଳ କିଣି ଆଣିଲେ। ଆଉ ପୁଅର ପ୍ରତିମୂର୍ତ୍ତି ଉପରେ ଘୋଡ଼ାଇ ଦେଲେ।

ଆଉ ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଆର ପ୍ରେମ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଯିଏ ଦେଖୁଛି ତା ଆଖିରେ ଲୁହ ରହୁନି।

ପୁଅ ପ୍ରତିମୂର୍ତ୍ତିରେ କମ୍ୱଳ:

ପ୍ରକୃତରେ, ଜମ୍ମୁର ବାସିନ୍ଦା ଜସୱନ୍ତ କୌରଙ୍କ ପାଇଁ, ତାଙ୍କ ପୁଅ ଏବେ ବି ଜୀବିତ ଅଛି। ସେ ଏବେ ବି ଗାଁ ଛକରେ ଥିବା ଗୁରନାମ ସିଂହଙ୍କ ପ୍ରତିମୂର୍ତ୍ତିକୁ ଦେଖିଲେ ସେ ଭାବନି ତାଙ୍କ ପୁଅ ଏବେବି ଜୀବିତ ଅଛି।

ଏହି ସହିଦ ସୈନିକ ଦେଶକୁ ସୁରକ୍ଷା ଦେଇ ସୀମାରେ ନିଜ ଜୀବନ ଦେଇଥିଲେ। ପୁରା ଅଞ୍ଚଳ ଏହି ସାହସୀ ପୁଅ ପାଇଁ ଗର୍ବିତ। ଲୋକମାନେ ପ୍ରତିଦିନ ଛକ ଦେଇ ଯାଆନ୍ତି, ପ୍ରତିମୂର୍ତ୍ତିକୁ ସମ୍ମାନ ଜଣାଇ ମୁଣ୍ଡ ନୁଆଇଁଥାନ୍ତି

କିନ୍ତୁ ସାମ୍ପ୍ରତିକ ଏକ ଦୃଶ୍ୟ ସମସ୍ତଙ୍କ ହୃଦୟକୁ ତରଳାଇ ଦେଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏବଂ ୟୁଜରମାନେ ଏହି ଭିଡ଼ିଓ ଉପରେ ବିଭିନ୍ନ ପ୍ରକାରରେ ପ୍ରତିକ୍ରିୟା ଦେଉଛନ୍ତି।