ବିଜେପିକୁ ମମତାଙ୍କ କଡ଼ା ଚେତାବନୀ: “ମୋତେ ଚୁପ୍ କରିବାକୁ ହେଲେ ହତ୍ୟା କରିବାକୁ ପଡ଼ିବ”

ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି ତାଙ୍କୁ ଚୁପ୍ କରାଇବାକୁ କିମ୍ବା ଟିଏମସିକୁ ଶେଷ କରିବାକୁ ଚାହୁଁଥାଏ, ତେବେ ତାଙ୍କୁ "ହତ୍ୟା" କରିବାକୁ ପଡ଼ିବ।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ନିଜ ଦଳର ନେତା ଏବଂ କର୍ମୀଙ୍କୁ ବିଜେପି ଟାର୍ଗେଟ କରୁଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ରାଜନୈତିକ ଚାପ ସତ୍ତ୍ୱେ ସେ କେବେବି ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଗତ କିଛି ବର୍ଷ ହେବ ଦଳର ବରିଷ୍ଠ ନେତାଙ୍କୁ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ମହୁଆ ମୈତ୍ରା, ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ପରି ନେତାମାନଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି। “ତୁମେ କାହାକୁ ବାଦ୍ ଦେଇଛ? ମହୁଆ, ଅଭିଷେକ, କଲ୍ୟାଣଙ୍କୁ ଆକ୍ରମଣ କରିଛ। ଏପରିକି ମୋ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି,” ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ସେ ଆହୁରି କହିଛନ୍ତି “ମତେ ଚୁପ କରିବାକୁ ହେଲେ ମାରିବାକୁ ପଡି଼ବ “ ନିଜ ଭିଡିଓ ବାର୍ତ୍ତାରେ ବେଶ୍ ଆକ୍ରମଣାତ୍ମକ ଶୈଳୀରେ ମମତା କହିଛନ୍ତି, “ମୋତେ ଚୁପ୍ କରାଇବାକୁ ହେଲେ ଆପଣଙ୍କୁ ମୋତେ ମାରିଦେବାକୁ ପଡ଼ିବ। ହଁ, ଏଥିପାଇଁ ଆପଣ କୌଣସି ପ୍ରୟାସ ବାକି ରଖିନାହାନ୍ତି।” ମମତାଙ୍କ ଏହି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟିଏମସି ଏବେ ଏକ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଥିବା ବେଳେ ତାଙ୍କର ଏହି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Uttarakhand Govt.

ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ କାରଣରୁ ଟିଏମସି ଏବେ ଅଡ଼ୁଆରେ। ଖବର ଅନୁଯାୟୀ, ରିତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ଗୋଷ୍ଠୀ ପ୍ରାୟ ୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏହାଛଡ଼ା, ପ୍ରାୟ ୨୦ ଜଣ ବିଦ୍ରୋହୀ ବିଧାୟକ ତ୍ରିପୁରା ଆଧାରିତ NCPI ସହ ମିଶିଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ଘଟଣାକ୍ରମ ପଶ୍ଚିମବଙ୍ଗର ଆଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନାକୁ ଦ୍ୱିଗୁଣିତ କରିଛି।

ଏହା ବ୍ୟତୀତ ମମତା ଅଭିଯୋଗ କରିଛନ୍ତି ଯେ, ହେପାଜତରେ ଥିବା ସମୟରେ ଦଳୀୟ ନେତା ଓ କର୍ମୀଙ୍କୁ ଅମାନବୀୟ ଭାବେ ରଖାଯାଉଛି। କେତେକଙ୍କୁ ଖାଲି ଚଟାଣରେ ଶୋଇବାକୁ ବାଧ୍ୟ କରାଯାଉଛି ଏବଂ ଆଉ କେତେକଙ୍କୁ ଅପମାନିତ କରାଯାଉଛି। ଏହା ବିରୋଧୀଙ୍କୁ ଦବାଇବାର ଏକ ଷଡ଼ଯନ୍ତ୍ର ବୋଲି ସେ ଦାବି କରିଛନ୍ତି।

ସ୍କୁଲ ମଧ୍ୟାହ୍ନ ଭୋଜନ ନୀତିକୁ ନେଇ ମଧ୍ୟ ସେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ହଟାଇ ନିରାମିଷ ଖାଦ୍ୟ ଦେବା ପାଇଁ ଯେଉଁ ପରୀକ୍ଷାମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି, ତାହାକୁ ସେ ବିରୋଧ କରିଛନ୍ତି। “ପିଲାଙ୍କୁ ଅଣ୍ଡା ମିଳୁନାହିଁ, କିନ୍ତୁ ଏଭଳି କାମରେ ସରକାର ବ୍ୟସ୍ତ। ଏହା ବଙ୍ଗଳାର ସଂସ୍କୃତି ନୁହେଁ,” ବୋଲି ସେ କହିଛନ୍ତି। ସେ ମଧ୍ୟାହ୍ନ ଭୋଜନ ସହ ଜଡ଼ିତ ରୋଷେଇଆ ଓ ସହାୟକମାନଙ୍କ ସ୍ଥିତି ନେଇ ମଧ୍ୟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ସାମଗ୍ରିକ ଭାବେ, ମମତାଙ୍କ ଏହି ମନ୍ତବ୍ୟ ଟିଏମସି ଓ ବିଜେପି ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ସ୍ପଷ୍ଟ କରୁଛି। ତେବେ ମମତାଙ୍କ ଏହି ଅଭିଯୋଗ ଉପରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।