fbpx

ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ନିଳାଦ୍ରୀ ବିଜେ: ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୁରତୀ

ଓଡ଼ିଶା ଭାସ୍କର: ୧୨ ଦିନର ଲୀଳାଖେଳା ସାରି ଆଜି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରା ପରେ ସୁନାବେଶ ଏବଂ ପରେ ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ଆଜି ରତ୍ନ ସିଂହାସନକୁ ବିଜେ କରିବେ ତିନି ଠାକୁର । ତେବେ ଦୀର୍ଘ ଏକ ମାସ ଧରି ରତ୍ନମଣ୍ଡପରୁ ବାହାରେ ଥିଲେ ମହାବାହୁ । ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଉ ପୁଣି ଥରେ ରତ୍ନବେଦୀରେ ଶୋଭା ପାଇବେ ବିଶ୍ୱନିୟନ୍ତା ।

ମହାବାହୁଙ୍କ ଦର୍ଶନ ଲାଗି ପୁଣି ଶ୍ରୀମନ୍ଦିର ହୋଇ ଉଠିବ ଚଳଚଞ୍ଚଳ । ଷାଠିଏ ପଉଟି ଭୋଗ ରୋଷଶାଳାରେ ପ୍ରସ୍ତୁତ ହେବା ସହ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରେ ଏହି ମହାପ୍ରସାଦ ସେବନ କରିବେ । ଏହି ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ସ୍ନାନପୂର୍ଣ୍ଣିମା ପର ଠାରୁ ମହାପ୍ରଭୁ ରତ୍ନବେଦୀରୁ ବାହାରକୁ ବାହାରିଥିଲେ । ୧୫ଦିନ ଅଣସର ଘରେ ରହିବା ପରେ ମହାବାହୁ ରଥରେ ବିଜେ କରି ମାଉସୀ ମା’ ଗଚୁଣ୍ଡିଚା ରାଣୀଙ୍କ ଘରକୁ ଚାଲି ଯାଇଥିଲେ । ନିଜ ଜନ୍ମବେଦୀରେ ୯ ଦିନ ଧରି ନିଜର ଲୀଳାଖେଳା ସମାପନ କରି ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ କାଳିଆ ଠାକୁର । ବାହୁଡ଼ା ଯାତ୍ରା ପରେ ସୁନାବେଶ ଓ ଅଧରପଣା ନୀତି ଶେଷ ପରେ ଆଜି ଶ୍ରୀଜିଉଙ୍କ ନିଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ ।

ରଥାରୁଢ ଚତୁର୍ଦ୍ଧା ମୁରତୀଙ୍କ ସନ୍ଧ୍ୟାଧୂପ ସରିବା ପରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ ମହାବାହୁ । ନିଳାଦ୍ରି ବିଜେ ସମୟରେ ପ୍ରଥମେ କୃଷ୍ଣ ବଳରାମ ପରେ ମଦନମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ । ଏହା ପରେ ରତ୍ନବେଦୀରେ ବିଜେ ହେବେ ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ । ସର୍ବଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଅଧିଷ୍ଠିତ କରାଯିବ । ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମା ଲକ୍ଷ୍ମୀ ସାନ୍ତାଣୀ ଓ ଶ୍ରୀ ଜଗନ୍ନାଥଙ୍କ ଭେଟନୀତି ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଏକା ଛାଡି ନିଜ ଜନ୍ମବେଦୀକୁ ମହାପ୍ରଭୁ କେବଳ ନିଜ ଭାଇ ଭଉଣୀଙ୍କ ସହ ଯାଇଥିଲେ । ୯ ଦିନ ପର୍ଯ୍ୟନ୍ତ ପତି ପରମେଶ୍ୱରଙ୍କୁ ପାଖରୁ ଦୂରେଇ ରହି ମା ଲକ୍ଷ୍ମୀ ପ୍ରଭୁଙ୍କ ଉପରେ ଅଭିମାନ କରି ସିଂହଦ୍ୱାରକୁ ବନ୍ଦ ରଖିଥାନ୍ତି । ପରମ୍ପରା ଅନୁସାରେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି । ମା’ଙ୍କ ଅଭିମାନକୁ ଦୂର କରିବା ପରେ ଶ୍ରୀମନ୍ଦିରକୁ ତିନି ଠାକୁରଙ୍କୁ ପାଛୋଟି ଆଣନ୍ତି ମା ଲକ୍ଷ୍ମୀ ସାନ୍ତାଣୀ । ସେହିପରି ମହାପ୍ରଭୁଙ୍କ ନିକଟରେ ଘସା, ବିଡ଼ିଆ ମଣୋହି ସରିବା କ୍ଷଣି ଶ୍ରୀଜୀଉ ରତ୍ନ ସିଂହାସନକୁ ବିଜେ କରଥାନ୍ତି ।

Get real time updates directly on you device, subscribe now.