fbpx

ଆଜି ବିଶ୍ୱ ପରିବେଶ ଦିବସ; ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ? କ’ଣ ରହିଛି ଏହାର ଉଦ୍ଦେଶ୍ୟ?

ପ୍ରତ୍ୟେକ ବର୍ଷ ଜୁନ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି । ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ହେଉଛି ଆମର ଦାୟିତ୍ୱ ।

ପ୍ରକୃତିର ସବୁଜିମା ହିଁ ଆମ ଜୀବନ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ପ୍ରକୃତିକୁ କିପରି ପ୍ରଦୁଷଣ ମୁକ୍ତ କରିହେବ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
ବର୍ତ୍ତମାନ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଗଲାଣି ଯେ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି । ପ୍ରଦୂଷଣ କାରଣରୁ ଅନେକ ଜୀବଜନ୍ତୁ ଲୋପ ପାଇବାକୁ ବସିଲେଣି । ସେହିପରି ମଣିଷ ମଧ୍ୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି ।

କେବେ ଆରମ୍ଭ ହେଲା ବିଶ୍ୱ ପରିବେଶ ଦିବସ:

ମିଳିତ ଜାତିସଂଘ ଦ୍ୱାରା ୧୯୭୨ ମସିହାରେ ଷ୍ଟକହୋମ ସମ୍ମିଳନୀରେ ଏହି ବିଶ୍ୱ ପରିବେଶ ଦିବସର ପ୍ରତିଷ୍ଠା କରାଯାଇଥିଲା । ଏହି ସମ୍ମିଳନୀରେ ୧୧୯ ଦେଶ ଅଂଶଗ୍ରହଣ କରିଥିଲେ । ଏହାପରେ ହିଁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଉଛି । ଭାରତରେ ୧୯ ନଭେମ୍ବର ୧୯୮୬ ରୁ ପରିବେଶ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା ।

ଏହାର ଉଦ୍ଦେଶ୍ୟ:

ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ଏହି ବଢୁଥିବା ପ୍ରଦୂଷଣ ପ୍ରକୃତି ପ୍ରତି ବିପଦ ସୃଷ୍ଟି କରୁଛି । ଏହି ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବିଶ୍ୱ ପରିବେଶ ଦିବସ । ଯାହାଦ୍ୱାରା ଲୋକମାନେ ସଚେତନ ହେବା ସହିତ ପ୍ରକୃତିକୁ ପ୍ରଦୂଷଣର ବଞ୍ଚାଇବା ଥିଲା ମୂଳ ଲକ୍ଷ୍ୟ ।

ସେହିପରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ୨୦୨୨ର ବିଷୟବସ୍ତୁ ‘କେବଳ ଗୋଟିଏ ପୃଥିବୀ’ ରଖାଯାଇଛି । ‘ପ୍ରକୃତି ସହିତ ସଦଭାବନାରେ ରହିବା’ ହେଉଛି ଏହି ବିଷୟବସ୍ତୁର ସ୍ଲୋଗାନ । ପ୍ରଥମେ ୧୯୭୨ ମସିହାରେ ଷ୍ଟକହୋମ ସମ୍ମିଳନୀରେ ଏହି ସ୍ଲୋଗାନ ଦିଆ ଯାଇଥିଲା । ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏହି ଦିବସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

 

 

 

Get real time updates directly on you device, subscribe now.