fbpx

କରୋନା ମୁକାବିଲା କରିବା କ୍ଷେତ୍ରରେ ହୁ ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ ଭାରତର ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତ ପାଇଁ ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଦୈନିକ ଗଣମାଧ୍ୟମ ସମ୍ପର୍କ କାର୍ୟ୍ୟକ୍ରମରେ ବିସ୍ତୃତ ଭାବେ ତଥ୍ୟ ଦେଇଛି । ବିଶେଷ ଭାବେ ଗତ ସପ୍ତାହରେ ବିଶ୍ୱରେ ୫୪ ଲକ୍ଷ ନୂଆ ସଂକ୍ରମଣ ଓ ୯୦ ହଜାର କରୋନା ଜନିତ ମୃତ୍ୟୁ ହୋଇଥିଲା । ବାରମ୍ବାର ଚେତାବନୀ ଦେବା ସତ୍ତେ୍ୱ ଭାରତ ଭଳି କେତେକ ଦେଶ କରୋନାର ପ୍ରଥମ ଲହର ପରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇନଥିଲା । ଏଥିସହିତ କଠୋର ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଯାହାର ପରିଣାମସ୍ୱରୁପ ଦ୍ଵିତୀୟ ଲହର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବା ‘ହୁ’ କହିଛି ।

ସୁଚନା ଯେ, ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ସ୍ୱାସ୍ଥ୍ୟ ଭିତ୍ତିକ କାର୍ୟ୍ୟକୁ ଆହୁରି ଦୃଢ କରିବା ନିମନ୍ତେ ଟୁଗେଦର ଫର ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି । ଯାହା ଦ୍ୱାରା ଅଧିକ ମାତ୍ରାରେ ଅମ୍ଳଜାନ, ପିପିଇ କିଟ ଏବଂ ଔଷଧ କ୍ରୟ କରାଯାଇପାରିବ । ଏ ବିଷୟରେ ‘ହୁ’ ଏକ ଭିଡିଓ ଜାରି କରି କହିଛି ଯେ ଟିକା କରୋନା ସଂକ୍ରମଣ ହ୍ରାସ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ଓ ଏହା ଆଗାମୀ ଦିନରେ କୋଭିଡ ସଂକ୍ରମଣ ମୁକାବିଲା କରିପାରିବ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିକାକରଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛି ।

ବିଶ୍ୱ ସ୍ଥରରେ ସମସ୍ତ ଦେଶ ଆବଶ୍ୟକ ପରିମାଣର ଟିକା ପାଉନଥିବା ‘ହୁ’ କହିଛି । ବିଶ୍ୱର ଉଚ୍ଚ ଏବଂ ମଧ୍ୟମରୁ ଅଧିକ ଆୟକାରୀ ରାଷ୍ଟ୍ର ଯେଉଁଗୁଡିକ ୫୩ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ, ସେହି ଦେଶଗୁଡିକୁ ୮୩ ପ୍ରତିଶତ ଟିକା ମିଳିଥିବା ବେଳେ ବିଶ୍ୱର ୪୭ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ନିମ୍ନ ଆୟକାରୀ ଦେଶଗୁଡିକୁ ମାତ୍ର ୧୭ ପ୍ରତିଶତ ଟିକା ମିଳିପାରିଛି ଯାହା କରୋନା ନିୟନ୍ତ୍ରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

Get real time updates directly on you device, subscribe now.