fbpx

ଉଦଯାପିତ ହେଲା ଟୋକିଓ-୨୦୨୦; ତିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଦୀର୍ଘ ୧୬ ଦିନ ଧରି ଆୟୋଜିତ ହେବା ପରେ ସମାପିତ ହୋଇଛି ଟୋକିଓ ୨୦୨୦ । କରୋନା କାରଣରୁ ଏକ ବର୍ଷ ବିଳମ୍ବରେ ହୋଇଥିବା ଏହି ଅଲିମ୍ପିକ୍ସରେ ସମଗ୍ର ବିଶ୍ୱର ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡାବିତଙ୍କ ମଧ୍ୟରୁ କିଛି ପଦକ ସହିତ ଫେରିଥିବା ବେଳେ କିଛି କ୍ରୀଡାବିତ ଜୀବନବ୍ୟାପୀ ଅଭିଜ୍ଞତା ସହିତ ଫେରିଛନ୍ତି । ଏପରି ପରସ୍ଥିତିରେ ଟୋକିଓ ସ୍ଥିତ ଅଲିମ୍ପିକ ଭିଲେଜରେ ଅନୁଷ୍ଠିତ ହୋଇଛି ଉଦଯାପନୀ ସମାରୋହ । ପୂର୍ବ ସଂସ୍କରଣ ଗୁଡିକ ଭଳି ଦର୍ଶକ ମହଜୁଦ ନଥିବାରୁ କେବଳ ଖେଳାଳିଙ୍କୁ ନେଇ ଉଦଯାପିତ ହୋଇଛି ଟୋକିଓ ୨୦୨୦ ।

ଉଦଯାପନୀ ଉତ୍ସବରେ ଭାରତୀୟ ତିରଙ୍ଗାର ଧ୍ୱଜାବହକ ସାଜିଛନ୍ତି ରେସଲର ବଜରଙ୍ଗ ପୁନିଆ । ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ଭାରତୀୟ ତ୍ରିରଙ୍ଗା ଧରିଥିଲେ । ଚଳିତ ଅଲିମ୍ପିକ୍ସରେ ୭ଟି ପଦକ ସହିତ ଭାରତ ୪୮ ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି । ଯୁକ୍ତରାଷ୍ଟ୍ର ଆମେରିକା ୩୯ ସ୍ଵର୍ଣ୍ଣ, ୪୧ ରୌପ୍ୟ ଓ ୩୩ କାଂସ୍ୟ ସହ ମୋଟ୍ ୧୧୩ ପଦକ ସହ ତାଲିକାର ଶୀର୍ଷରେ ରହିଥିବା ବେଳେ ୩୮ ସ୍ଵର୍ଣ୍ଣ, ୩୨ ରୌପ୍ୟ ଓ ୧୮ କାଂସ୍ୟ ସହିତ ୮୮ ପଦକ ସହ ଦ୍ଵିତୀୟ ସ୍ଥାନରେ ରହିଛି ଚୀନ । ଆୟୋଜକ ଜାପାନ ୨୭ ସ୍ଵର୍ଣ୍ଣ, ୧୪ ରୌପ୍ୟ ଓ ୧୭ କାଂସ୍ୟ ସହିତ ମୋଟ୍ ୫୮ ପଦକ ସହ ତୃତୀୟ ସ୍ଥାନରେ ରହିଛି।ଉଲ୍ଲେଖଯୋଗ୍ୟ ଯେ, ଉଦଘାଟନୀ ଉତ୍ସବରେ ମନପ୍ରୀତ ସିଂ ଓ ଏମ୍ ସି ମେରୀକମ୍ ତ୍ରିରଙ୍ଗା ଧରିବାର ସୌଭାଗ୍ୟ ହାସଲ କରିଥିଲେ ।

Get real time updates directly on you device, subscribe now.