ନିଆଁ ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରିଥିଲା। ତେବେ ହେତମପୁର ଷ୍ଟେସନ ପୂର୍ବରୁ ଟ୍ରେନ୍ରେ ନିଆଁ ଲାଗିଥିବା ଗୁଜବ ପ୍ରଚାରିତ ହୋଇଥିଲା
ଭୋପାଳ: ମଧ୍ୟପ୍ରଦେଶର ମୁରେନାରେ ରବିବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ଗୁଜବ ପରେ ଜୀବନ ବିକଳରେ ଯାତ୍ରୀମାନେ ଚେନ୍ ପୋଲ୍ କରି ଟ୍ରେନ୍ରୁ ଡେଇଁ ପଡ଼ିଲେ। ସେହି ସମୟରେ ଦୃତଗତିରେ ଆସୁଥିବା ପାତାଲକୋଟ ଏକ୍ସପ୍ରେସ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅନେକ ଆହତ ହୋଇଛନ୍ତି।
ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରିଥିଲା। ତେବେ ହେତମପୁର ଷ୍ଟେସନ ପୂର୍ବରୁ ଟ୍ରେନ୍ରେ ନିଆଁ ଲାଗିଥିବା ଗୁଜବ ପ୍ରଚାରିତ ହୋଇଥିଲା। ଏହାପରେ ଜଣେ ଯାତ୍ରୀ ଚେନ୍ ପୋଲ୍ କରିଥିଲେ। ଟ୍ରେନ୍ ଅଟକିବା ପୂର୍ବରୁ ଯାତ୍ରୀମାନେ ଜୀବନ ବିକଳରେ ଅନ୍ୟ ଟ୍ରାକ୍କୁ ଡେଇଁ ପଡ଼ିଥିଲେ। ସେହି ସମୟରେ ଦୃତଗତିରେ ଆସୁଥିବା ପାତାଲକୋଟ ଏକ୍ସପ୍ରେସ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରେଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛୁ, ନିଆଁ ଲାଗିବାର ଗୁଜବ ଆସିଲା କେଉଁଠାରୁ? କେହି ଜାଣିଶୁଣି ଏହି ଗୁଜବ ସୃଷ୍ଟି କରିଛି ନା ଏହା କୌଣସି ଭୁଲ ବୁଝାମଣା ଯୋଗୁଁ ହୋଇଛି। ସେ ନେଇ ତଦନ୍ତ ଆରମ୍ଭ ହୋଇଛି।
ଏନେଇ ଉତ୍ତର-ମଧ୍ୟ ରେଲୱେ ମୁରେନା ରେଳ ବିଭାଗ କହିଛି, ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଜଣେ ଯାତ୍ରୀ ଆଲାର୍ମ ଚେନ ଟାଣିବା ଯୋଗୁଁ ଟ୍ରେନଟି ଅଟକି ଯାଇଥିଲା। କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପାଖ ଟ୍ରାକକୁ ଚାଲିଯାଇଥିଲେ। ସେହି ସମୟରେ ଆସୁଥିବା ପାତାଲକୋଟ ଏକ୍ସପ୍ରେସ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ କହିଛନ୍ତି, ହଠାତ୍ କେହି ଜଣେ ଚେନ୍ ଟାଣିଦେଲା। ଆଉ ନିଆଁ ଲାଗିଥିବା ନେଇ ଚିତ୍କାର କରିବାକୁ ଲାଗିଥିଲା। ଏହା ପରେ ଲୋକମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇବାକୁ ଲାଗିଲେ। ଯେତେବେଳେ ଯାତ୍ରୀମାନେ ରେଳ ଧାରଣା ପାର କରୁଥିଲେ, ସେତେବେଳେ ପାତାଲକୋଟ ଏକ୍ସପ୍ରେସ ଆସୁଥିଲା। ଯାହାଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।
ଅନ୍ୟ ଜଣେ ଯାତ୍ରୀ କହିଛନ୍ତି; ଏଠାରେ ଜଣେ ପିଲା ମୋବାଇଲ୍ ବ୍ୟବହାର କରୁଥିଲା। ମୋବାଇଲ୍ ଚଲାଉ ଚଲାଉ ହଠାତ୍ ସେଥିରେ ବିସ୍ଫୋରଣ ହୋଇଥିଲା। ଅର୍ଥାତ୍ ମୋବାଇଲ୍ଟି ଫାଟି ଯାଇଥିଲା। ଏହି କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଅନେକ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଲେ। ଯାହାଫଳରେ ଦୁର୍ଘଟଣା ଘଟିଥିଲା।


