fbpx

HSRP ଲଗାଇବା ସମୟସୀମା ବୃଦ୍ଧି କରିବେ ରାଜ୍ୟ ସରକାର! ଆସନ୍ତାକାଲି ଠାରୁ ଆରମ୍ଭ ଯାଞ୍ଚ, ଜାଣନ୍ତୁ କ’ଣ କହିଲେ ପରିବହନ କମିସନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ତେବେ ଟାଇମଲାଇନ ମଧ୍ୟରେ ବୁକିଂ କରିଥିଲେ ରିହାତି ମିଳିବ ବୋଲି ଗତ ୨୬ ତାରିଖରେ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ତେବେ ଏଚଏସଆରପି ସମୟସୀମା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ କଟକଣା କୋହଳ କରିବାକୁ ପରିବହନ ବିଭାଗ ଚିନ୍ତା କରୁଛି । ହାଇକୋର୍ଟ ନିର୍ଦ୍ଦେଶ ଦେଲେ ନମ୍ବର ପ୍ଲେଟ ଲଗାଇବା ସମୟସୀମା ବୃଦ୍ଧି କରାଯିବ । କେବଳ ଓଡ଼ିଶାରେ ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏଚଏସଆରପି ଲାଗିବା ନେଇ ଦେଶର ୨୬ଟି ରାଜ୍ୟରେ ବାଧ୍ୟତାମୂଳକ କରାଯାଇଛି । ଏହି ପ୍ରକ୍ରିୟା ବଡ଼ଧରଣର ହୋଇଥିବାରୁ ଲୋକଙ୍କୁ ଏନେଇ ସମସ୍ୟା ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇଛି । ଆଗାମୀ ଦିନରେ ରାଜ୍ୟରେ କାରର ପଛଯାତ୍ରୀଙ୍କ ପାଇଁ ସିଟ୍ ବେଲଟ ବାଧ୍ୟତାମୂଳକ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗରେ ରାଜ୍ୟ ପରିବହନ ବିଭାଗକୁ ହାଇକୋର୍ଟ ଜବାବ ମାଗିଥିଲେ । କୌଣସି ଭିତ୍ତିଭୂମି ନଥାଇ ଡେଡଲାଇନ କାହିଁକି ରଖାଯାଇଥିଲା ସେନେଇ ହାଇକୋର୍ଟ ପ୍ରଶ୍ନ କରିଥିଲେ । ଯାନରେ ନମ୍ବର ପ୍ଲେଟ ଲଗାଇବାକୁ ନେଇ ଦୁଇଜର ବସ୍ ମାଳିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣିକରି ହାଇକୋର୍ଟ ପରିବହନ ବିଭାଗକୁ ଜବାବ ମାଗିଥିଲେ ।

ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଯେଉଁ ଗାଡ଼ିର ନମ୍ବର ନମ୍ବର ୩ ଓ ୪ ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଥିବ ସେଥିରେ ଅକ୍ଟୋବର ୩୧ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୭ ଓ ୮ ମଧ୍ୟରେ ଶେଷ ହେଉଥିବ ସେଥିରେ ନଭେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.