fbpx

Video: ହଟହଟ୍ଟା ହେଲେ ଇମ୍ରାନ ଖାନଙ୍କ ନିକଟତର ନେତା ଫୱାଦ ଚୌଧୁରୀ, ପୋଲିସକୁ ଦେଖି କୋର୍ଟ ଭିତରକୁ ଦଉଡ଼ିଲେ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଡ୍ରାମା ଥମିବାର ନାଁ ନେଉ ନାହିଁ । ପାକିସ୍ତାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସରକାର ଏବଂ ସେନା ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଏଭଳି ସମୟରେ ତାଙ୍କର ପାର୍ଟି ତେହେରିକ-ଇ-ଇନସାଫ(ପିଟିଆଇ) ର ଅନେକ ନେତା ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପାର୍ଟିର ବରିଷ୍ଠ ନେତା ଫବାଦ ଚୌଧୂରିଙ୍କୁ ଜାମିନ ପ୍ରଦାନ କରିଥିଲେ । କିନ୍ତୁ କୋର୍ଟରୁ ବାହାରିବା ପରେ ସେ ଏପରି କିଛି କାର୍ଯ୍ୟ କରିଥିଲେ ଯେ, ନିଜେ ଲୋକହସା ହୋଇଥିଲେ ।

ଫୱାଦ ଚୌଧୁରୀ ଜାମିନ ପାଇବା ପରେ କୋର୍ଟ ପରିସରରୁ ବାହାରିଥିଲେ। ଫୱାଦ ଚୌଧୁରୀ ତାଙ୍କ ଧଳା ଏସୟୁଭିରେ ବସିଥିଲେ, କିନ୍ତୁ ଏହି ସମୟରେ ତାଙ୍କ ଆଖି କୋର୍ଟ ବାହାରେ ଥିବା ପୋଲିସ ଉପରେ ପଡିଥିଲା। ଏହା ଦେଖି ସେ ଶୀଘ୍ର କାରର କବାଟ ଖୋଲି କୋର୍ଟ ଭିତରକୁ ଦୌଡ଼ିଥିଲେ।

ଡନ୍ ନ୍ୟୁଜ୍ ଅନୁଯାୟୀ, ଅନ୍ୟ ଏକ ମାମଲାରେ ଚୌଧୁରୀଙ୍କୁ ଗିରଫ କରିବା ପାଇଁ ପୋଲିସ କୋର୍ଟ ବାହାରେ ପହଞ୍ଚିଥିଲା। ଏହାର କିଛି ସମୟ ପରେ ପିଟିଆଇ ଦ୍ୱାରା ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଥିଲା। ଏଥିରେ ଫୱାଦ ଚୌଧୂରୀ ଓକିଲଙ୍କ ସହ ଏଚସି ଭିତରକୁ ଯାଉଥିବା ଦେଖିବାକୁ ମିଳିବ। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅନ୍ୟ ନେତାଙ୍କ ସହ ଫୱାଡଙ୍କୁ ଅଗ୍ନିକାଣ୍ଡ ତଥା ହିଂସାତ୍ମକ ବିରୋଧ ପ୍ରଦର୍ଶନ ଅଭିଯୋଗରେ ଗିରଫ କରାଯାଇଥିଲା। ପୋଲିସର ସୂଚନାନୁସାରେ, ସେମାନେ ଏକ ସୁଚିନ୍ତିତ ରଣନୀତି ଅନୁଯାୟୀ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି। ପାକିସ୍ତାନୀ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିବା ପରେ ଇସଲାମାବାଦ ଏଚସି ବାହାରେ ବିରୋଧ ସମୟରେ ଏହି ହିଂସା ଘଟିଥିଲା।

ଅନ୍ୟପକ୍ଷରେ ମଙ୍ଗଳବାର ଲାହୋର ହାଇକୋର୍ଟ ଇମ୍ରାନ ଖାନଙ୍କ ଜାମିନ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଗତ ସପ୍ତାହରେ ଗିରଫ ହେବା ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସଂପର୍କରେ ଇମ୍ରାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଖାନ ଶନିବାର ଏହି ପିଟିସନ ଦାଖଲ କରିଥିଲେ। ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଇସଲାମାବାଦ ହାଇକୋର୍ଟ ପକ୍ଷରୁ ଜାମିନରେ ମୁକ୍ତ କରାଯାଇଥିଲା।

Get real time updates directly on you device, subscribe now.