ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ! ଟ୍ରକ୍ ଧକ୍କାରେ ୨ ମୃତ, ୧୦ରୁ ଅଧିକ ଆହତ
ବୁଧବାର ସନ୍ଧ୍ୟାରେ ଚମାଖଣ୍ଡି ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା। ଏହାପରେ ଗୋଟିଏ ବାଇକ୍ ଓ କାର୍କୁ ପିଟିଥିଲା
ବ୍ରହ୍ମପୁର: ପୁଣି ରକ୍ତରଞ୍ଜିତ ହେଲା ଜାତୀୟ ରାଜପଥ। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଭୟଙ୍କର ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ବୁଧବାର ସନ୍ଧ୍ୟାରେ ଚମାଖଣ୍ଡି ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା। ଏହାପରେ ଗୋଟିଏ ବାଇକ୍ ଓ କାର୍କୁ ପିଟିଥିଲା। ଟ୍ରକ୍ର ଧକ୍କାରେ ରାସ୍ତାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।
ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ଦାବି ପୂରଣ ନହେବା ପର୍ୟ୍ୟନ୍ତ ରାସ୍ତା ଅବରୋଧ ହଟାଇବାକୁ ଲୋକେ ରାଜି ହୋଇନଥିବା ସୂଚନା ମିଳିଛି।
ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଟ୍ରକ୍ଟିକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଟ୍ରକ୍ଟି ନିୟନ୍ତ୍ରଣ ହରାଇଲା, ସେନେଇ ତଦନ୍ତ ଚାଲିଛି।
ଉଲ୍ଲେଖଯୋଗ୍ୟ, ଏହାର ଦିନକ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ସ୍କର୍ପିଓ ଗାଡ଼ିର ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ଆସିଥିଲା। ଲଗାତାର ଏଭଳି ଦୁର୍ଘଟଣା ସଡ଼କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।


