ନୋବେଲ ଶାନ୍ତି ପୁରସ୍କାର ନମିଳିବାରୁ ରାଗରେ ଜରଜର ଟ୍ରମ୍ପ, ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ନୋବେଲ ଶାନ୍ତି ପୁରସ୍କାର ନମିଳିବାରୁ ରାଗରେ ଜରଜର ଟ୍ରମ୍ପ

Thump on Greenland: ନୋବେଲ ଶାନ୍ତି ପୁରସ୍କାର ନମିଳିବାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଖୁଲାମଖୁଲା ଭାବେ ସାମ୍ନାକୁ ଆସିଛି। ଟ୍ରମ୍ପ ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର୍ ଷ୍ଟୋରେଙ୍କୁ ଏକ ଧମକମୂଳକ ସନ୍ଦେଶ ପଠାଇଥିବା ସୂଚନା ମିଳିଛି ।

ନରୱେ ପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ଟ୍ରମ୍ପଙ୍କ ସନ୍ଦେଶରେ ନୋବେଲ ଶାନ୍ତି ପୁରସ୍କାର ନଦିଆଯିବା ପରେ ଶାନ୍ତି ତାଙ୍କ ପାଇଁ ଆରମ୍ଭିକ ପ୍ରାଥମିକତା ରହିନଥିବା ଉଲ୍ଲେଖ ରହିଛି। ଟ୍ରମ୍ପ ଲେଖିଛନ୍ତି, ଯେହେତୁ ନରୱେ ତାଙ୍କୁ ଅନେକ ଯୁଦ୍ଧ ରୋକିବା ଦାବି ସତ୍ତ୍ୱେ ନୋବେଲ ପୁରସ୍କାର ଦେଇନାହିଁ, ତେଣୁ ସେ ଏବେ କେବଳ ଶାନ୍ତିକୁ ନୁହେଁ, ବରଂ ଆମେରିକା ପାଇଁ କ’ଣ ଭଲ ତାହାକୁ ଗୁରୁତ୍ୱ ଦେବେ।

ଟ୍ରମ୍ପ ତାଙ୍କ ପତ୍ରରେ ଗ୍ରୀନଲ୍ୟାଣ୍ଡ ମୁଦ୍ଦାକୁ ମଧ୍ୟ ଉଠାଇଛନ୍ତି। ସେ ନରୱେକୁ କହିଛନ୍ତି ଯେ, ଡେନମାର୍କ ସହ କଥା ହୋଇ ଗ୍ରୀନଲ୍ୟାଣ୍ଡକୁ ଆମେରିକାକୁ ସୋପାନ କରାଯାଉ। ଟ୍ରମ୍ପଙ୍କ ମତରେ, ଡେନମାର୍କ ରୁଷ କିମ୍ବା ଚୀନ୍‌ରୁ ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେଇପାରିବ ନାହିଁ ଏବଂ ଏହା ଉପରେ ତାଙ୍କର ସ୍ୱାମୀତ୍ୱ ଦାବି ପାଇଁ କୌଣସି ସ୍ପଷ୍ଟ ଲିଖିତ ଦଲିଲ ନାହିଁ।

ନରୱେର ଖବରକାଗଜ Aftenpostenକୁ ଦିଆଯାଇଥିବା ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ଷ୍ଟୋରେ କହିଛନ୍ତି ଯେ, ଏହି ସନ୍ଦେଶ ୧୮ ଜାନୁଆରୀ ୨୦୨୬ ରେ ମିଳିଥିଲା। ଏହା ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସାଣ୍ଡର ଷ୍ଟବ୍‌ଙ୍କ ସହ ମିଶି ଟ୍ରମ୍ପଙ୍କୁ ପଠାଯାଇଥିବା ଟାରିଫ୍‌ ବିରୋଧୀ ଚିଠିର ପ୍ରତିଉତ୍ତର ଥିଲା।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୋବେଲ ଶାନ୍ତି ପୁରସ୍କାର ନିଷ୍ପତ୍ତି ନରୱେ ସରକାର ନୁହେଁ, ବରଂ ଓସ୍ଲୋ ଭିତ୍ତିକ ଏକ ସ୍ୱାଧୀନ ସମିତି ନେଇଥାଏ। ଏହା ସତ୍ତ୍ୱେ ଟ୍ରମ୍ପ ବାରମ୍ବାର ନିଜକୁ ଏହି ପୁରସ୍କାର ପାଇଁ ସର୍ବୋତ୍ତମ ପ୍ରାର୍ଥୀ ବୋଲି ଦାବି କରିଆସୁଛନ୍ତି।