ବଙ୍ଗ ବିଜୟର ଚର୍ଚ୍ଚା ଆମେରିକାରେ! ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୨୦୬ଟି ଆସନ ଜିତି ବହୁମତ ହାସଲ କରିଛି।

ୱାଶିଂଟନ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବୋଲି ମଙ୍ଗଳବାର ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି ଯେ, “ଏହି ସାମ୍ପ୍ରତିକ, ଐତିହାସିକ ଏବଂ ନିର୍ଣ୍ଣାୟକ ନିର୍ବାଚନ ବିଜୟ ପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।”

ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୨୦୬ଟି ଆସନ ଜିତି ବହୁମତ ହାସଲ କରିଛି। ଫାଲ୍‌ଟା ନିର୍ବାଚନ ମଣ୍ଡଳୀରେ ମତଦାନ ବାତିଲ ହୋଇଥିବାରୁ, ବାସ୍ତବରେ ବହୁମତ ପାଇଁ ୧୪୭ଟି ଆସନର ଆବଶ୍ୟକତା ରହିଥିଲା।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୨୦୬ଟି ଆସନ ହାସଲ କରିଥିବା ବେଳେ ସୋମବାର ଘୋଷଣା ହୋଇଥିବା ଫଳାଫଳ ଅନୁଯାୟୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ମାତ୍ର ୮୦ଟି ଆସନ ଜିତିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଆମ ଜନତା ଉନ୍ନୟନ ପାର୍ଟି ୨ଟି ଲେଖାଏଁ ଆସନ ଜିତିଥିବା ବେଳେ ସିପିଆଇ (ଏମ) ଏବଂ ଅଲ୍ ଇଣ୍ଡିଆ ସେକୁଲାର ଫ୍ରଣ୍ଟ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସର ଏକ ପୂର୍ବ ରିପୋର୍ଟ ଅନୁଯାୟୀ, ବିଜେପିର ଦମଦାର ନିର୍ବାଚନୀ ପ୍ରଚାର ଏବଂ ଶାସକ ଦଳ ବିରୋଧୀ ହାୱା ଯୋଗୁଁ ବଙ୍ଗଳାରେ ଏଭଳି ଜନାଦେଶ ମିଳିଛି। ଏହି ନିର୍ବାଚନରେ ବିଜେପି ନିଜ ଉପରୁ ଟିଏମସି ଦେଇଥିବା ‘ବହିରାଗତ’ ବା ବାହାର ଲୋକର ଆଖ୍ୟାକୁ ହଟାଇବାରେ ସଫଳ ହେବା ସହ ଅନୁପ୍ରବେଶକାରୀଙ୍କ ଭୟକୁ ମୁଦ୍ଦା କରି ଲୋକଙ୍କୁ ପ୍ରଭାବିତ କରିପାରିଥିଲା। ଏଥିସହିତ ଦଳ ନିଜ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ ଟିପ୍ପଣୀ ନଦେଇ ମୁଖ୍ୟ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇଥିଲା।

ବିଜେପି ଏଥର ଏକ ସ୍ଥାନୀୟ ରଣନୀତି ଆପଣାଇଥିଲା, ଯେଉଁଥିରେ “ଜୟ ମା’ କାଳୀ” ଏବଂ “ଜୟ ମା’ ଦୁର୍ଗା” ଭଳି ସ୍ଲୋଗାନ ଏବଂ ବୁଥ୍ ସ୍ତରୀୟ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରୟାସ ମେ ୪ ତାରିଖରେ ସଫଳ ହୋଇଛି, ଯେଉଁଥିପାଇଁ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବାକୁ ଯାଉଛି। ସୋମବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ନିଜ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରିଥିଲେ।