ବିଶ୍ୱ ଶାନ୍ତି ପାଇଁ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟର ଫୋନ କଲ !

ଇରାନ-ଆମେରିକା ଶାନ୍ତି ଆଲୋଚନା ବିଫଳ ପରେ ମୋଦୀଙ୍କୁ ଫୋନ୍ କଲେ ଟ୍ରମ୍ପ: ୪୦ ମିନିଟର ମହା-ମନ୍ଥନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ କଲ ମାଧ୍ୟମରେ ପାଖାପାଖି ୪୦ ମିନିଟର ଆଲୋଚନା ହୋଇଛି । ଏହି ମଧ୍ୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ଲାଗି ରହିଥିବା ଉତ୍ତେଜନା , ହର୍ମୁଜ ପ୍ରଣାଳୀ ସମେତ ଅନେକ ଗୁଡିଏ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଯୁଦ୍ଧବିରତି ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ଏବଂ ଭାରତ ମଧ୍ୟରେ ଏହା ହେଉଛି ପ୍ରଥମ ଆଲୋଚନା ।

ଏହି ଫୋନ କଲକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋତେ ମୋ ମିତ୍ର ଡୋନାଲ୍ଡ ଟ୍ରମ୍ପ ଫୋନ କରିଥିଲେ । ଆମେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତିର ସମୀକ୍ଷା କରିଥିଲୁ । ଆମେ ସମସ୍ତ ପ୍ରସଙ୍ଗରେ ବ୍ୟାପକ ବୈକ୍ଷୟିକ କୂଟନୀତିକ ବୁଝାମଣାକୁ ଆହୁରୀ ସୁଦୃଢ କରିବା ପାଇଁ ପ୍ରତିବଦ୍ଧ ଅଟୁ । ଆମେ ପଶ୍ଚିମ ଏସିଆର ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲୁ ଏବଂ ହର୍ମୁଜ ପ୍ରଣାଳୀକୁ ଖୋଲି ଓ ସୁରକ୍ଷିତ ରଖିବାର ମହତ୍ୱ ଉପରେ ଜୋର ଦେଇଥିଲୁ । ”

ପ୍ରକାଶ ଥାଉକି, ଯୁଦ୍ଧବିରତି ଘୋଷଣା ପରେ ପାକିସ୍ତାନରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ କୌଣସି ଚୂଡାନ୍ତ ନିଷ୍ପତି ନହୋଇପାରିବା କାରଣରୁ ଏହି ଶାନ୍ତି ଆଲୋଚନା ବିଫଳ ହୋଇଯାଇଥିଲା । ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ପାଖାପାଖି ୨୧ ଘଂଟାର ଆଲୋଚନା ପରେ କୌଣସି ନିଷ୍କର୍ଷ ନବାହାରି ପାରିବା କାରଣରୁ ଏହି ଆଲୋଚନା ବିଫଳ ହୋଇଥିଲା ।