ଟ୍ରମ୍ପ ବଢ଼ାଇଲେ ସିଜ୍ଫାୟାର, ପାକିସ୍ତାନ ପାଇଁ ନିଷ୍ପତ୍ତି ବଦଳାଇଲେ କି ଟ୍ରମ୍ପ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଅସ୍ତ୍ରବିରତିକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
US-Iran War : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଅସ୍ତ୍ରବିରତିକୁ ଆଗକୁ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ଟ୍ରମ୍ପ ଏହି ପଦକ୍ଷେପ ବର୍ତ୍ତମାନର ସିଜ୍ଫାୟାର୍ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧ କ୍ରମେ ଉଠାଇଛନ୍ତି । ସେ କହିଛନ୍ତି ଯେ ଇରାନ ପକ୍ଷରୁ କୌଣସି ପ୍ରସ୍ତାବ ନମିଳିବା ପର୍ଯ୍ୟନ୍ତ ସେ ଯୁଦ୍ଧବିରତିକୁ ଆଗକୁ ବଢ଼ାଉଛନ୍ତି । ଏହାଦ୍ୱାରା ଯୁଦ୍ଧ ବର୍ତ୍ତମାନ ପାଇଁ ଟଳିଯାଇଛି ଏବଂ ମଧ୍ୟସ୍ଥି ପାକିସ୍ତାନକୁ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର ନୂତନ ପର୍ଯ୍ୟାୟ ଆୟୋଜନ କରିବା ପାଇଁ ସମୟ ମିଳିଯାଇଛି ।
ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ଆମେ ଏହି କଥାକୁ ବୁଝିଛୁ ଯେ ଇରାନ ସରକାର ଗମ୍ଭୀର ଭାବେ ବିଭାଜିତ । ପାକିସ୍ତାନର ଫିଲ୍ଡ ମାର୍ଶଲ ଅସୀମ ମୁନିର ଏବଂ ପିଏମ ଶେହବାଜ ଶରିଫ ମୋତେ ସିଜ୍ଫାୟାର୍ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ଆମକୁ କୁହାଯାଇଛି ଯେ ଆମେ ଇରାନ ଉପରେ ସେପର୍ଯ୍ୟନ୍ତ ଆକ୍ରମଣ ନକରୁ, ଯେପର୍ଯ୍ୟନ୍ତ ସେମାନଙ୍କ ନେତା ଏବଂ ପ୍ରତିନିଧି ଏକମତ ହୋଇ କୌଣସି ପ୍ରସ୍ତାବ ନେଇ ଆସିନାହାନ୍ତି ।
ବର୍ତ୍ତମାନ ପାଇଁ ଟଳିଲା ଯୁଦ୍ଧର ବିପଦ
ଡୋନାଲ୍ଡ ଟ୍ରମ୍ପ ଆଗକୁ ଲେଖିଛନ୍ତି ଯେ ପାକିସ୍ତାନର ଅନୁରୋଧ କ୍ରମେ ମୁଁ ଅସ୍ତ୍ରବିରତିକୁ ସେପର୍ଯ୍ୟନ୍ତ ବଢ଼ାଉଛି ଯେପର୍ଯ୍ୟନ୍ତ ଇରାନ ପକ୍ଷରୁ ପ୍ରସ୍ତାବ ଉପସ୍ଥାପନ କରାଯାଇ ନାହିଁ ଏବଂ ଆଲୋଚନା ଶେଷ ହୋଇନାହିଁ। ମୁଁ ମୋର ସେନାକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ନାକାବନ୍ଦୀ ଜାରି ରଖନ୍ତୁ ଏବଂ ବାକି ସମସ୍ତ ବିଷୟ ପାଇଁ ପ୍ରସ୍ତୁତ ରହନ୍ତୁ ।
ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘୋଷଣା ଦ୍ୱାରା ବର୍ତ୍ତମାନ ପାଇଁ ଲଢ଼େଇ ପୁଣି ଆରମ୍ଭ ହେବାର ବିପଦ ଟଳିଯାଇଛି । ଯଦିଓ ଏବେ ବି ଉଭୟ ପକ୍ଷ ମଧ୍ୟରେ ଗଭୀର ମତଭେଦ ରହିଛି । ଆମେରିକୀୟ ଆଲୋଚନାକାରୀ ଦଳର ନେତୃତ୍ୱ ନେବା ପାଇଁ ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ପ୍ରସ୍ତାବିତ ପାକିସ୍ତାନ ଗସ୍ତକୁ ସ୍ଥଗିତ ରଖାଯାଇଛି । ହୋର୍ମୁଜ ଷ୍ଟ୍ରେଟ୍ରେ ଇରାନ ଉପରେ ଆମେରିକାର ନାକାବନ୍ଦୀ ମଧ୍ୟ ଏବେ ବି ଜାରି ରହିଛି ।
ପାକିସ୍ତାନୀ ପିଏମ କହିଲେ ଧନ୍ୟବାଦ
ପାକିସ୍ତାନ ପିଏମ ଶେହବାଜ ଶରିଫ କହିଛନ୍ତି ଯେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି ଯେ ସେ ପାକିସ୍ତାନର ଅସ୍ତ୍ରବିରତି ବଢ଼ାଇବା ଅନୁରୋଧକୁ ଗ୍ରହଣ କରିନେଲେ, ଯାହାଦ୍ୱାରା ଚାଲିଥିବା କୂଟନୈତିକ ପ୍ରୟାସ ଆଗକୁ ବଢ଼ିପାରିବ । ପାକିସ୍ତାନ ଏହି ସଂଘର୍ଷର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ନିଜର ସମସ୍ତ ପ୍ରୟାସ ଜାରି ରଖିବ ।
ଆମେରିକା ଏବଂ ଇସ୍ରାଏଲ ୨୮ ଫେବୃଆରୀରେ ଇରାନ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଥିଲେ, ଯାହା ପ୍ରାୟ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ୮ ଏପ୍ରିଲରେ ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧବିରତି ହୋଇଥିଲା । ଏହି ସମୟରେ ୧୧ ଏପ୍ରିଲରେ ପାକିସ୍ତାନରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ତାହା ନିଷ୍କର୍ଷବିହୀନ ରହିଥିଲା । ବର୍ତ୍ତମାନ ଏହି ସିଜ୍ଫାୟାର୍କୁ ଆଗକୁ ବଢ଼ାଯାଇଛି ।
