ସମାଧାନ ହେବ କି ୫ ମାସର ସଂଘର୍ଷ? ଆଲୋଚନା ପାଇଁ ହାତ ବଢ଼ାଇଲା ଇରାନ୍!
ଟ୍ରମ୍ପ କହିଛନ୍ତି, ଆମେ ବହୁତ ଭଲ ଭାବରେ ଆଗକୁ ବଢ଼ୁଛୁ। ଖୁବ ଶୀଘ୍ର ସବୁକିଛି ଜଣାପଡ଼ିବ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଲଗାତାର ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦାବି କରିଛନ୍ତି; ଇରାନ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପରିସ୍ଥିତି ଆହୁରି ସ୍ପଷ୍ଟ ହୋଇଯିବ।
ଲସ୍ ଏଞ୍ଜେଲେସ୍ରୁ ଲାସ୍ ଭେଗାସ୍ ଯିବା ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, “ଆମେ ବହୁତ ଭଲ ଭାବରେ ଆଗକୁ ବଢ଼ୁଛୁ। ଖୁବ ଶୀଘ୍ର ସବୁକିଛି ଜଣାପଡ଼ିବ। ମୁଁ କହିବି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ।”
ଆମେରିକା ସହ ଚୁକ୍ତି କରିବାକୁ ଚାହୁଁଛି କି ଇରାନ?: ଟ୍ରମ୍ପ କହିଛନ୍ତି; ଇରାନୀ ଅଧିକାରୀମାନେ ଆମେରିକା ସହ ଯୋଗାଯୋଗ କରି ଆଲୋଚନା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କ ମତରେ, ତେହେରାନ ପାଇଁ ଆମେରିକା ସହ ଚୁକ୍ତି କରିବା ଏକ ବୁଦ୍ଧିମାନ ପଦକ୍ଷେପ ହେବ।
Uttarakhand Govt.
ସେ କହିଥିଲେ, “ସେମାନେ(ଇରାନ୍) ମୋତେ ଫୋନ କରି କହିଲେ, ‘ଦୟାକରି ଆସନ୍ତୁ, କଥା ହେବା।’ ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି। ମଜାର କଥା ହେଉଛି, ସେମାନେ ଏହାକୁ ସାର୍ବଜନୀନ ଭାବେ କେବେ କହନ୍ତି ନାହିଁ। ମୋ ମନେ ହୁଏ, ସେମାନଙ୍କ ପାଇଁ ଚୁକ୍ତି କରିବା ବହୁତ ବୁଦ୍ଧିମାନର କାମ ହେବ। ଏବେ ଦେଖିବା କ’ଣ ହେଉଛି।”
ପୂର୍ବରୁ ମଙ୍ଗଳବାର ଟ୍ରମ୍ପ କହିଥିଲେ ଯେ, ଇରାନ ଓ ଓମାନ ସହ ଏକ ସମ୍ଭାବ୍ୟ ଚୁକ୍ତି ଅନୁଯାୟୀ ହର୍ମୋଜ ପ୍ରଣାଳୀ ଖୁବ୍ ଶୀଘ୍ର ଖୋଲିଯିବ। ଯଦି ଅଞ୍ଚଳରେ ତିକ୍ତତା କମାଇବା ପାଇଁ ହେଉଥିବା ଆଲୋଚନାରେ କୌଣସି ସହମତି ନହୁଏ, ତେବେ ଇରାନକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ଇରାନକୁ କେବେ ବି ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ।
ଖୋଲିବ କି ହର୍ମୋଜ ପ୍ରଣାଳୀ?: ‘ଫକ୍ସ ନ୍ୟୁଜ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, “ଇରାନ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବ ନାହିଁ। ବର୍ତ୍ତମାନ ମଧ୍ୟ ସେମାନଙ୍କ ପାଖରେ ଏହା ନାହିଁ, କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯିବ। ହର୍ମୋଜ ପ୍ରଣାଳୀ ଖୁବ୍ ଶୀଘ୍ର ଖୋଲିଯିବ।”
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସେହି ସମୟରେ ଆସିଛି, ଯେତେବେଳେ ଖବର ମିଳୁଛି ଯେ ଆମେରିକା, ଇରାନ ଓ ଓମାନ ହର୍ମୋଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଏକ ଅନ୍ତରୀଣ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇପହଞ୍ଚିଛନ୍ତି। ଗତ ମାସରେ ୱାଶିଂଟନ ଓ ତେହେରାନ ମଧ୍ୟରେ ହୋଇଥିବା ୧୪ ଦଫା ଚୁକ୍ତି ଭାଙ୍ଗିଯିବା ପରେ ଏହି ଅଞ୍ଚଳରେ ଉତ୍ତେଜନା ବଢ଼ିଯାଇଥିଲା।

